ହାସ୍ୟବିଦୁଷୀ ପଙ୍କଜିନୀ ଆଉ ନାହାନ୍ତି

ଢେଙ୍କାନାଳ : ରାଜ୍ୟର ଲବ୍ଧପ୍ରତିଷ୍ଠ ହାସ୍ୟବିଦୁଷୀ କବୟିତ୍ରୀ ପଙ୍କଜିନୀ ଦାଶ ଆଉ ନାହାନ୍ତି। ଆଜି ଅପରାହ୍ନରେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର ସାହିତ୍ୟିକ ତଥା ସାହିତ୍ୟପ୍ରେମୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

ସ୍ୱର୍ଗତା ଦାଶ ୧୯୩୩ ମସିହା ଅଗଷ୍ଟ ୨୫ ତାରିଖରେ ପବିତ୍ର ଗଣେଶ ଚତୁର୍ଥୀରେ ଢେଙ୍କାନାଳ ଧଳପୁର ଶାସନର ସ୍ବର୍ଗତ ଲଳିତ ମୋହନ ନନ୍ଦ ଓ ମନୋରମା ଦେବୀଙ୍କ କୋଳମଣ୍ଡନ କରିଥିଲେ। ତିନି ଭାଇ ଓ ଚାରି ଭଉଣୀଙ୍କ ମଧ୍ୟରେ ସେ ଥିଲେ ଦ୍ବିତୀୟ। ସାନଭାଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ ବିଧୂଭୂଷଣ ନନ୍ଦ ତାଙ୍କର ସାନଭାଇ ଓ ବିଶିଷ୍ଟ ଔପନ୍ୟାସିକା ସୁକାନ୍ତୀ ନନ୍ଦ ତାଙ୍କର ସାନଭଉଣୀ ଅଟନ୍ତି। ବାଳୁତ ବୟସରେ ଢେଙ୍କାନାଳର ଇଂଜିନିୟର କୁଂଜବିହାରୀ ଦାଶଙ୍କ ସହ ତାଙ୍କର ବିବାହ ହୋଇଥିଲା। ସ୍ବାମୀ କୁଂଜବିହାରୀ ପୂର୍ବରୁ ପରଲୋକ ଗମନ କରିଥିଲା ବେଳେ ତିନି ପୁଅ ଓ ତିନି ଝିଅଙ୍କ ମଧ୍ୟରୁ ବଡ଼ପୁଅ ମନୋରଂଜନ ଓ ଦ୍ବିତୀୟ ପୁତ୍ର ଚିତ୍ତରଂଜନ ମେରାଇନ୍ ଇଂଜିନିୟର ଭାବେ ସଂପ୍ରତି ନୂଆଦିଲ୍ଲୀ ଓ ମୁମ୍ବାଇରେ କାର୍ଯ୍ୟରତ। ସାନପୁଅ ଦୀପ୍ତିରଂଜନ ଢେଙ୍କାନାଳର ଏକ ଘରୋଇ କଂପାନିରେ କାର୍ଯ୍ୟରତ ଅଛନ୍ତି।

୧୯୫୫ ମସିହା ବେଳକୁ ବିଭିନ୍ନ ପତ୍ରପତ୍ରିକାରେ ‘ପଦ୍ମଜା’ ଛଦ୍ମନାମରେ ତାଙ୍କର ଲେଖା ପ୍ରକାଶିତ ହେଉଥିଲା। ୧୯୭୫ ମସିହା ବେଳକୁ ତାଙ୍କ ପ୍ରକୃତ ନାମରେ ଉପନ୍ୟାସ, ନାଟକ ଆଦି ପ୍ରକାଶ ପାଇଥିଲା। ଦିଲ୍ଲୀ ଦୂରଦର୍ଶନରେ ‘ଗୁଲାବି ଚିଠି’ ଓ ‘ମୀମାଂସା’ ନାମରେ ତାଙ୍କର ୨ଟି ଟେଲିଫିଲ୍ମ ପ୍ରସାରିତ ହୋଇଛି। ୧୯୮୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। କୁଞ୍ଜକାନ୍ତସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସାନପୁଅ ଦୀପ୍ତିରଂଜନ ମୁଖାଗ୍ନି ଦେଇଥିଲେ। ପଙ୍କଜିନୀ ଦେବୀଙ୍କ ପରଲୋକ ଖବର ପାଇ ରାଜ୍ୟ ଏବଂ ବାହାରର ବହୁ ସାହିତ୍ୟିକ ତଥା ସାହିତ୍ୟପ୍ରେମୀଙ୍କ ନିକଟରୁ ତାଙ୍କ ପରିବାରବର୍ଗଙ୍କୁ ଶୋକବାର୍ତାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର