କବି ହରିହର ମିଶ୍ର ପାଇବେ ବିଷୁବ ସମ୍ମାନ

କଟକ : ବିଶି‌ଷ୍ଟ କବି‌, କଥାକାର ତଥା ନାଟ୍ୟକାର ହରିହର ମିଶ୍ର ଚଳିତବର୍ଷର ସମ୍ମାନଜନକ ବିଷୁବ ପୁରସ୍କାର ପାଇବ‌ାକୁ ମନୋନୀତ ହୋଇଛନ୍ତି। ପୁରସ୍କାରସ୍ବରୂପ କବି ଶ୍ରୀ ମିଶ୍ରଙ୍କୁ ଏକ ଲକ୍ଷ ଟଙ୍କା ଓ ତାମ୍ରଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆସନ୍ତା ୧୪ ତାରିଖ ପୂର୍ବାହ୍‌ଣ ୧୦ଟାରେ ପ୍ରଜାତନ୍ତ୍ର କାର୍ଯ୍ୟାଳୟସ୍ଥିତ ବିଷୁବ ମଣ୍ଡପରେ ଆୟୋଜିତ ୭୦ତମ ବିଷୁବ ମିଳନ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ସମାରୋହରେ ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା ପାଇଁ ପ୍ରଫେସର କୁମୁଦଚନ୍ଦ୍ର ଦାଶ, କବିତା ପାଇଁ ପ୍ରସନ୍ନ କୁମାର ମହାନ୍ତି, ଗଳ୍ପ ପାଇଁ ଶ୍ୟାମାପ୍ରସାଦ ଚୌଧୁରୀଙ୍କୁ ଚଳିତ ବର୍ଷର ଝଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାରସ୍ବରୂପ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଓ ତାମ୍ରଫଳକ ପ୍ରଦାନ କରାଯିବ। ଅନୁବାଦ ସାହିତ୍ୟ ପାଇଁ ଭୂପେନ ମହାପାତ୍ର ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରସ୍ବରୂପ ଶ୍ରୀ ମହାପାତ୍ରଙ୍କୁ ୧୦ ହଜାର ଟଙ୍କା ସମେତ ମାନପତ୍ର ପ୍ରଦାନ କରାଯିବ।

ସେହିପରି ଝଙ୍କାର ଲଳିତ ନିବନ୍ଧ ପୁରସ୍କାର ପାଇଁ ଧନେଶ୍ବର ସାହୁ ମନୋନୀତ ହୋଇଛନ୍ତି। ଶ୍ରୀ ସାହୁଙ୍କୁ ୧୦ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଜଷ୍ଟିସ୍ ହରିହର ମହାପାତ୍ରଙ୍କ ପ୍ରଦତ୍ତ ଅର୍ଥରାଶିରୁ ‘ହରିହର ମହାପାତ୍ର ସ୍ମାରକୀ ନାଟ୍ୟସାହିତ୍ୟ ପୁରସ୍କର’ ପାଇଁ ନାଟ୍ୟକାର ପ୍ରାଧ୍ୟାପକ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କୁ ଚୟନ କରାଯାଇଛି। ପ୍ରାଧ୍ୟାପକ ଆଚାର୍ଯ୍ୟଙ୍କୁ ୩ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ଏକ ‌ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ୭୦ତମ ବିଷୁବ ମିଳିନ ଉତ୍ସବ ଆସନ୍ତା ୧୨ତାରିଖରୁ ଆରମ୍ଭ ହୋଇ ତିନି ଦିନ ଧରି ବିଷୁବ ମଣ୍ଡପରେ ଆୟୋଜନ ହେବ।

ସମ୍ବନ୍ଧିତ ଖବର