କବି ସୀତାଂଶୁ ୟଶଶ୍ଚନ୍ଦ୍ର ପାଇବେ ସରସ୍ୱତୀ ସମ୍ମାନ

ଭୁବନେଶ୍ୱର: ବିଶିଷ୍ଟ ଗୁଜୁରାତୀ କବି, ନାଟ୍ୟକାର ତଥା ଶିକ୍ଷାବିତ୍‌ ସୀତାଂଶୁ ୟଶଶ୍ଚନ୍ଦ୍ର ଭାରତୀୟ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ପୁରସ୍କାର ଭାବେ ସ୍ୱୀକୃତ ସରସ୍ୱତୀ ସମ୍ମାନ ପାଇବାଲାଗି ମନୋନୀତ ହୋଇଛନ୍ତି। ୨୦୦୯ ମସିହାରେ ପ୍ରକାଶିତ କବିତା ସଂକଳନ ‘ବାଖର୍‌’ ପାଇଁ କବି ୨୦୧୭ ବର୍ଷ ନିମନ୍ତେ ଏହି ପୁରସ୍କାର ପାଇବେ।

ଉଲ୍ଲେଖନୀୟ ଯେ କେକେ ବିର୍ଲା ଫାଉଣ୍ଡେସନ୍‌ ଦ୍ୱାରା କୌଣସି ଭାରତୀୟ ଭାଷାରେ ଲେଖା ହୋଇଥିବା ଶ୍ରେଷ୍ଠ ସାହିତ୍ୟ କୃତିକୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ସେଥିପାଇଁ ବିଗତ ଦଶବର୍ଷ ମଧ୍ୟରେ ପ୍ରକାଶିତ ବହିଗୁଡ଼ିକୁ ବିଚାରକୁ ନିଆଯାଏ। ପୁରସ୍କାର ରୂପେ ମାନଫଳକ ଓ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ସଂପୃକ୍ତ ଲେଖକଙ୍କୁ ଦିଆଯାଏ। ୧୯୪୧ ମସିହାରେ ଗୁଜରାତର ଭୁଜ୍‌ଠାରେ ଜନ୍ମିତ ସୀତାଂଶୁ ୟଶଶ୍ଚନ୍ଦ୍ର ସମକାଳୀନ ଗୁଜୁରାତୀ ସାହିତ୍ୟର ଜଣେ ପ୍ରମୁଖ ପ୍ରତିନିଧି ଭାବେ ସ୍ୱୀକୃତ। କବି, ନାଟ୍ୟକାର, ଅନୁବାଦକ ତଥା ଶିକ୍ଷାବିତ୍‌ ଭାବେ ବେଶ୍‌ ଜଣାଶୁଣା ଶ୍ରୀ ୟଶଶ୍ଚନ୍ଦ୍ର ତିନିଟି କବିତା ସଂଳକନର ସ୍ରଷ୍ଟା। ପୁରସ୍କୃତ ‘ବାଖର୍‌’ ବ୍ୟତୀତ ତାଙ୍କର ଅନ୍ୟ ଦୁଇ କବିତା ସଂକଳନ ହେଉଛି ‘ଓଡୟସେଉସ୍ନ ହାଲେସ୍‌’ ଓ ‘ଜଟାୟୁ’। ତାଙ୍କର ଦଶଟି ନାଟକ ମଧ୍ୟ ପ୍ରକାଶିତ ହୋଇଛି। ଏହା ସହିତ ସାହିତ୍ୟ ସମାଲୋଚନାରେ ତାଙ୍କର ଅଛି ତିନିଟି ବହି। ପୂର୍ବରୁ ସେ ସାହିତ୍ୟ ଅକାଦେମି ପୁରସ୍କାର, କବୀର ସମ୍ମାନ ତଥା ପଦ୍ମଶ୍ରୀ ସମ୍ମାନ ପାଇ ସାରିଛନ୍ତି। ୨୦୧୬ରେ ଶ୍ରୀ ୟଶଶ୍ଚନ୍ଦ୍ର ‘କଥା’ର ବାର୍ଷିକ ଉତ୍ସବ ଏବଂ ନିକଟରେ ବିଷୁବ ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆସିଥିଲେ।

ସମ୍ବନ୍ଧିତ ଖବର