‘ବଡ଼ ସ୍ୱପ୍ନ ଦେଖ, ଓ ମାନବିକତା ପାଇଁ କାମ କର’

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୈଳାସ ସତ୍ୟାର୍ଥୀ

ବୁର୍ଲା : ସ୍ୱପ୍ନ ଦେଖ, ଅନୁସନ୍ଧାନ କର ଓ କର୍ମ ତତ୍ପର ହୁଅ। ସ୍ୱପ୍ନ ସବୁ ଛୋଟ। ନିଜ ପାଇଁ ସ୍ୱପ୍ନ ଦେଖ ମାନବିକତା ପାଇଁ ଦେଖ। ପ୍ରତିଯୋଗିତାର ଦୁନିଆରେ ସମସ୍ତେ ଏହା ଭୁଲି ଯାଇଛନ୍ତି ଯେ ନିଜ ମଧ୍ୟରେ ଅନ୍ତର୍ନିହିତ ଶକ୍ତି ରହିଛି। ତାହାକୁ ଉଦଜୀବିତ କର ଓ ଅନୁସନ୍ଧାନ କର । ସେହି ଲକ୍ଷ୍ୟକୁ ନେଇ କାମ କଲେ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚିବ ବୋଲି ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ତଥା ବଚପନ ବଚାଓ ଆନ୍ଦୋଳନର ପୁରୋଧା କୈଳାସ ସତ୍ୟାର୍ଥୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ‘ଏକ୍ସଟ୍ରାମୁରାଲ ଟକ୍‍’ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି। ଗୁରୁବାର ଜ୍ୟୋତିବିହାରସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟାର୍ଥୀ ତାଙ୍କ ଜୀବନର କେତୋଟି ପ୍ରମୁଖ ଘଟଣା ଓ ଅଭିଜ୍ଞତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କହିଥିଲେ ଅନୁଭବ ଏକ ବଡ଼ ଗହନ କଥା। ସତ୍ୟ ଓ ନ୍ୟାୟ ସର୍ବଶକ୍ତିମାନ। ଏହା ଆଗରେ ବିଶ୍ୱର କୌଣସି ଶକ୍ତି ତିଷ୍ଠି ପାରିବ ନାହିଁ। ମୋ ପାଖରେ ଲକ୍ଷ୍ୟ ଥିଲା ମାତ୍ର ତାକୁ ପାଇବାକୁ ରାସ୍ତା ନଥିଲା। ବାଦଲ ଖାନର ଝିଅ ସବୋ ଘଟଣା ମତେ ରାସ୍ତା ଦେଇଥିଲା। ବାଳ ଶ୍ରମିକ ଓ ଯୌନ ଶୋଷଣର ଶିକାର ହେଉଥିବା ବାଳକ ଓ ବାଳିକାଙ୍କ ପାଇଁ ଲଢେଇ କରିବାକୁ ପ୍ରେରଣା ଦେଇଥିଲା।

ସେ ଆହୁରି କହିଥିଲେ ଯେ ୧୦ ବର୍ଷର ଉଦ୍ୟମ ପରେ ୧୯୯୦ରେ ଶିଶୁ ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା। ସେ ସମୟରେ ବିଶ୍ୱରେ ୨୬ କୋଟି ବାଳ ଶ୍ରମିକ ଥିବା ଅନ୍ତର୍ଜାତୀୟ ସର୍ବେକ୍ଷଣର ପରିସଂଖ୍ୟନରୁ ଜଣାପଡିଥିଲା। ବର୍ତ୍ତମାନ ୧୫ ବର୍ଷ ପରେ ସେହି ସଂଖ୍ୟା ୧୫ କୋଟିକୁ ହ୍ରାସ ପାଇଛି। ବାଳ ଶ୍ରମିକ ଓ ଯୌନ ଅତ୍ୟାାଚାରରୁ ମୁକ୍ତି କରାଯାଉଥିବା ସେହି ଶିଶୁମାନଙ୍କ ଶିକ୍ଷା ଆଉ ଏକ ବଡ଼ ସମସ୍ୟା ଭାବେ ଦେଖାଯାଇଥିଲା। ମାତ୍ର ପ୍ରତ୍ୟୋକ ସମସ୍ୟାର ଗର୍ଭରେ ତାହାର ସମାଧାନ ଲୁଚି ରହିଥାଏ ବୋଲି ସେ କହିଥିଲେ। ପିଲାଙ୍କ ଶିକ୍ଷା ପାଇଁ ସମ୍ବିଧାନରେ ସଂଶୋଧନ ଆଣିବାକୁ ଯେଉଁ ଲଢେଇ ୨୨ଟି ରାଜ୍ୟ ଓ ୧୫ହଜାର କିଲୋମିଟର ଅତିକ୍ରମ କରି ଦିଲ୍ଲୀ ପହଞ୍ଚିବା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଶିକ୍ଷାକୁ ମୌଳିକ ଅଧିକାରରେ ସାମିଲ କରାଯିବା ନେଇ ଆଇନ ପ୍ରଣୟନ ହୋଇଥିଲା। ଏହା ଥିଲା ଏକ ବଡ଼ ସଫଳତା। ସେହି ଶିକ୍ଷା ଯାତ୍ରାର ନେତୃତ୍ଵ ସତ୍ୟାର୍ଥୀ ନୁହେଁ ବରଂ ଯୁବବର୍ଗ ନେଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ଆଜି ଯଦି ଭାରତର ପ୍ରତିଛବି ଯେଉଁ ସ୍ତରକୁ ପହଞ୍ଚିଛି ତାହା ପ୍ରକୃତ ଅର୍ଥରେ ଯୁବବର୍ଗ ପାଇଁ ଏହି ପରିବର୍ତ୍ତନ ଆସିଛି। ଦେଶରେ ଆଜିବି ଜଣେ ଝିଅକୁ ରାତିରେ ବାହାରିବାର ସ୍ୱାଧୀନତା ନାହିଁ। ସ୍କୁଲ,କଲେଜ ଓ ନିଜ ଘରେ ବି ଝିଅ ସୁରକ୍ଷିତ ନୁହେଁ। ଦୁଷ୍କର୍ମର ଶିକାର ହେଲେ ଯୁବତୀ ଦଣ୍ଡ ପାଉଛି। ଏହି କଳଙ୍କକୁ ଧୋଇବ ଏହି ଯୁବ ସମାଜ ବୋଲି ଶ୍ରୀ ସତ୍ୟାର୍ଥୀ ଆଶା ପ୍ରକଟ କରିଥିଲେ। ଶେଷରେ ବାଳ ନିର୍ଯାତନା ବିରୋଧରେ ସ୍ୱର ଉତ୍ତଳନ କରି ଏକ ମାନବିକତା ଓ ସୁରକ୍ଷିତ ରାଷ୍ଟ୍ର ଓ ରାଜ୍ୟ ଗଠନର ଆନ୍ଦୋଳନରେ ସାମିଲ ହେବାକୁ ସେ ବିଶ୍ୱବିଦ୍ୟାଳୟର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଶ୍ରୀ ସତ୍ୟାର୍ଥୀଙ୍କ ପତ୍ନୀ ସୁମେଧା କୈଳାସଙ୍କ ସହ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ଡିଭି ସ୍ୱାମୀ ଯୋଗଦେଇଥିଷଲ। ଶ୍ରୀ ସ୍ୱାମୀ କହିଥିଲେ, ଯୁଗ ପୁରୁଷଙ୍କ ଜୟନ୍ତୀ ପାଳନରେ କେବଳ ସୀମିତ ନରହି ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ କହିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ଶତପଥୀ ଅତିଥି ପରିଚୟ ଦେଇଥିଲେ। କୁଳସଚିବ ଡା.ସୂର୍ଯ୍ୟ ଥଙ୍କପାନ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶ୍ରୀ ସତ୍ୟାର୍ଥଙ୍କୁ ବିଶ୍ୱବିଦ୍ୟଳୟ ପକ୍ଷରୁ ମେମେଣ୍ଟୋ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ବଲପୁର ଓ ବୁର୍ଲାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଛାତ୍ରଛାତ୍ରୀ ଓ କୁନି କୁନି ସ୍କୁଲ ପିଲା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର