ଦଳ ଡିଆଁକୁ ନେଇ କାକଟପୁର ରାଜନୀତି ସରଗରମ : ବିଜେପିରେ ମିଶିଲେ ରବି ମଲ୍ଲିକ, ସୁରେନ୍ଦ୍ରଙ୍କୁ ୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଗଲା

ପୁରୀ : ଦଳ ଡିଆଁ ଯୋଗୁ କାକଟପୁର ରାଜନୀତି ସରଗରମ ହୋଇଛି। ବିଜେପି ନେତା ବିଜେଡିକୁ ଡେଇଁବା ପରେ ବିଜେଡି ନେତା ବିଜେପି ହାତ ଧରିଛନ୍ତି। ଏବେ ବିଜେଡି ବିଧାୟକ ପ୍ରାର୍ଥୀ ତାଙ୍କ ହାତ ଗଣତି ସମର୍ଥକଙ୍କ ସହ ବିଜେପି ମୁହାଁ ହେବାକୁ ଯୋଜନା କରିଥିବାବେଳେ କଂଗ୍ରେସର ଏକ ବଡ଼ ଗୋଷ୍ଠୀ ବିଜେଡି ସହ ମିଶିବାକୁ ଗୋଡ଼ ଟେକି ବସିଛନ୍ତି। ଫଳରେ ବିଜେଡି ଫାଇଦାରେ ରହିବ ବୋଲି କୁହାଯାଉଛି। ପୁରୀ ଜିଲ୍ଲାରେ ସବୁଠୁ ଚର୍ଚ୍ଚିତ ରହିଛି କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତା ସୁର ନାୟକ ଏବଂ ତାଙ୍କ ପୁଅ ସ୍ବାଧୀନ ନାୟକ(ବାବୁ)ଙ୍କ ବେଶ ପ୍ରଭାବ ରହିଛି।

ପୂର୍ବତନ ବିଜେଡି ବିଧାୟକ ରବି ମଲ୍ଲିକ ହୁଅନ୍ତୁ କି ଏବେକାର ବିଧାୟକ ସୁରେନ୍ଦ୍ର ସେଠୀ ହୁଅନ୍ତୁ, ସମସ୍ତଙ୍କ ବିରୋଧ ସତ୍ତ୍ବେ ବାବୁ କଂଗ୍ରେସ ସହାୟତାରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଦଖଲ କରି ରଖିଛନ୍ତି। ସୁରଙ୍କର ପ୍ରଭାବ କାକଟପୁର, ଗୋପ ବ୍ଲକ୍‌ ଏବଂ କୋଣାର୍କ ଏନ୍‌ଏସିରେ ବି ରହିଛି। ବିଜେଡିର ସଂଗଠନ ଏହି ସବୁ ସ୍ଥାନରେ ବେଶ ସୁଦୃଢ଼ ରହିଛି। ବିଜେଡିର ସ୍ଥିତି ଭଲଥିବାରୁ ସୁରେନ୍ଦ୍ର ଦଳୀୟ ଟିକେଟ୍‌ ପାଇବା ପରେ ଉତ୍ସାହୀ ଥିଲେ। ପୁଣି ଥରେ ବାଜି ମାରିନେବେ ବୋଲି ତାଙ୍କ ସମର୍ଥକମାନେ କହୁଥିଲେ। ମାତ୍ର ସୁରଙ୍କ ସମର୍ଥନ ବିନା ଦଳ ସେଠା‌ରେ ଜିତିବା କଷ୍ଟକର ଥିବା ଦଳୀୟ କର୍ମୀମାନେ କହିଥିଲେ। ସୁରଙ୍କ ସମର୍ଥକ ସୁରେନ୍ଦ୍ରଙ୍କୁ ଚାହୁଁ ନଥିଲେ। ଏପରିକି ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କୁ ବି ଚାହୁଁ ନଥିଲେ ସୁର। ଶେଷ ମୁହୂର୍ତ୍ତରେ ସୁର ଓ ବାବୁ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କୁ ବିଜେଡିକୁ ଆଣିବାରେ ସଫଳ ହୋଇଥିଲେ। ସେ ବିଜେପିରୁ ଡିଆଁ ମାରି ବିଜେଡିରେ ‌ସାମିଲ୍‌ ହେବା ପରେ କାକଟପୁର ବିଜେଡି ଟିକେଟ ତାଙ୍କୁ ମିଳିବ ବୋଲି କୁହାଗଲା। ଏପରିକି ଆଜି ସୁରେନ୍ଦ୍ର ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଆସିଥିଲା। ଫଳରେ ସେ ନାମାଙ୍କନପତ୍ର ଦାଖଲ କଲେ ନାହିଁ।

ଅନ୍ୟପକ୍ଷରେ ଦଳ ପୂର୍ବତନ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ଗୁରୁତ୍ବ ‌ନ ଦେବାରୁ ସେ ଆଜି ବିଜେଡି ଛାଡ଼ି ବିଜେପିକୁ ଡିଆଁ ମାରିଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ଦଳ ଛାଡ଼ିବା ପରେ ବିଜେପି ପାଖରେ ଯୋଗ୍ୟ ପ୍ରାର୍ଥୀ ନଥିଲେ। ରବି ଏହାକୁ ମଉକା ଭାବେ ଧରିନେଇ ବିଜେପିରେ ସାମିଲ ହୋଇ ଟିକେଟ ପାଇବାକୁ ଆଶା ରଖିଛନ୍ତି। ତେଣେ ପ୍ରାର୍ଥୀପତ୍ର ଦାଖଲ ନକରିବାକୁ ନିର୍ଦ୍ଦେଶ ପାଇବା ପରେ ସୁରେନ୍ଦ୍ରଙ୍କ ସମର୍ଥକ ନିରାଶ ‌ହୋଇଛନ୍ତି। ସେମାନେ ବୈଠକ କରି ବିଜେଡି ଠାରୁ ଦୂରେଇ ଯିବେ ବୋଲି ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଦଳର ମୁଖିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ତେଣେ ତୁଷାରକାନ୍ତିଙ୍କୁ ଜିତାଇବା ପାଇଁ ସୁର ଓ ବାବୁ ଯୋଜନା କରିଛନ୍ତି। ବିଜେଡି ସଂଗଠନକୁ ମଜବୁତ କରିବା ସହ କଂଗ୍ରେସକୁ ଫଟାଇବାକୁ ରୋଡ୍‌ମ୍ୟାପ୍‌ କରିଛନ୍ତି। କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର କାକଟପୁରରୁ ଯିବା ପରେ ତାଙ୍କ ସଂଗଠନ ବାବୁଙ୍କ ସହ ରହିଛି। ଏବେ ସେମାନେ ଖୋଲିଖୋଲି ବିଜେଡିରେ ସାମିଲ୍‌ ‌ହେଲେ ବିଜେଡି ନେତା ଦଳ ଛାଡ଼ିଲେ ବି ପ୍ରଭାବ ପକାଇବ ନାହିଁ ବରଂ ଦଳ ଫାଇଦାରେ ରହିବ ବୋଲି ବୁଦ୍ଧୀଜୀବୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର