କଳାଦିବସ ପାଳନ ପ୍ରସଙ୍ଗ ଟାଳିଦେଲେ ନବୀନ

ଭୁବନେଶ୍ୱର : ବିମୁଦ୍ରାକରଣ ବିରୋଧରେ ନଭେମ୍ବର ୮କୁ କଂଗ୍ରେସ ସମେତ ବିରୋଧୀ ଦଳମାନେ କଳାଦିବସ ପାଳନ କରିବା ପ୍ରସଙ୍ଗରେ ବିଜେଡି କି ଆଭିମୁଖ୍ୟ ଗ୍ରହଣ କରିବ ତାହା ସ୍ପଷ୍ଟ କରିନାହିଁ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁରତାର ସହିତ ଏହି ପ୍ରସଙ୍ଗକୁ ଟାଳି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ଏ ସଂପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି, ନଭେମ୍ବର ୮କୁ କଳାଦିବସ ପାଳନ କରିବା ନେଇ ଏଯାଏଁ କୌଣସି ଆଲୋଚନା ହୋଇନାହିଁ। ନବୀନଙ୍କ ଏହି ଧାଡ଼ିକିଆ ମନ୍ତବ୍ୟ ବିଜେଡି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି। ଦଳୀୟ କର୍ମୀ ଦ୍ୱନ୍ଦ୍ୱରେ ପଡିଛନ୍ତି। ଏବେ ବିଜେପି ସହିତ ମୁହାଁମୁହିଁ ଲଢ଼େଇ ଚାଲିଥିବା ବେଳେ ଏହି ପ୍ରସଙ୍ଗରେ ନବୀନଙ୍କ ନିଷ୍ପତ୍ତି ଅନେକ ଗୁରୁତ୍ୱ ରଖୁଛି ବୋଲି ବିଜେଡି ନେତାମାନେ କହୁଛନ୍ତି।

ବର୍ତମାନର ରାଜନୈତିକ ପୃଷ୍ଠଭୂମିରେ ବିଜେଡି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କି ପଦକ୍ଷେପ ନେବ, କେନ୍ଦ୍ର ବିରୋଧରେ ଖୋଲା ଯୁଦ୍ଧ ଡାକରା ଦେବ ନା ବିବାଦ ଠାରୁ ଦୂରରେ ରହିବ, ତାହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ଜୋର ଧରିଛି। ନିକଟରେ କଂଗ୍ରେସ ସହିତ ମେଣ୍ଟ ପ୍ରସଙ୍ଗ ଉଠିଥିଲା ଓ ଉଭୟ ବିଜେପି ଏବଂ କଂଗ୍ରେସ ଠାରୁ ବିଜେଡି ସମାନ ଦୂରତ୍ୱ ଅବଲମ୍ବନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ବିମୁଦ୍ରାକରଣ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମର୍ଥନ କରିଥିଲେ ହେଁ, ପରେ ଲୋକଙ୍କ ଯନ୍ତ୍ରଣା ଦେଖି ମତ ବଦଳାଇଥିଲେ। ଏଭଳି ସ୍ଥଳେ ଏହି ପ୍ରସଙ୍ଗର ଗୁରୁତ୍ୱ ବଢ଼ିଯାଇଛି ଓ ଆଗକୁ ଜାତୀୟ ରାଜନୀତି ଦୃଶ୍ୟପଟ୍ଟରେ ନବୀନ କାହା ପକ୍ଷ ନେବେ; ଏଇଠୁ ତାହାର ସଙ୍କେତ ମିଳିପାରେ ଏହି ମହଲ ଆଶା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ବିମୁଦ୍ରାକରଣ ବିରୋଧରେ ନଭେମ୍ବର ୮ତାରିଖକୁ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ କଳାଦିବସ ଭାବେ ପାଳନ କରିବେ ବୋଲି ଘୋଷଣା କରିଛନ୍ତି।

ଏନେଇ ସୋମବାର ଦିନ ଏକ ବୈଠକରେ ୬ଟି ବିରୋଧୀ ଦଳର ନେତା ଏକାଠି ହୋଇ ଆଲୋଚନା କରିବା ପରେ କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ୍‌ କଳାଦିବସ ପାଳନ ସଂପର୍କରେ ସୂଚାଇଥିଲେ। ଗତବର୍ଷ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ହଜାରେ ଟଙ୍କିଆ ନୋଟ୍‌ ଅଚଳ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର