୪୮ ଘଣ୍ଟା ଯାଏ କାଳବୈଶାଖୀ : ସତର୍କ କରାଇଲା ପାଣିପାଗ ବିଭାଗ, ୪୦ରୁ ୬୦ କିମି ବେଗରେ ପବନ ଆଶଙ୍କା

୨୨ ଜିଲ୍ଲା ଉପରେ ପ୍ରଭାବ, ଆଜି ବି ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର : ଉତ୍ତର ଭାରତରେ ତାଣ୍ଡବ ରଚିବା ପରେ କାଳବୈଶାଖୀ ଏବେ ଓଡ଼ିଶା ମୁହାଁ। ଆସନ୍ତା ଦୁଇ ଦିନ ‌ଧରି ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ। ଅର୍ଧା‌ଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। କେତେକ ସ୍ଥାନରେ ୪୦ରୁ ୬୦ କିମି ବେଗରେ ପବନ ହେବ। ବଜ୍ରପାତର ବି ସମ୍ଭାବନା ରହିଛି। ଏହାଦ୍ବାରା ଓଡ଼ିଶାର ୨୨ଟି ଜିଲ୍ଲାର ଲୋକେ ପ୍ରଭାବିତ ହେବାକୁ ଥିବାରୁ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏପ୍ରିଲ ୧୮ ଓ ୧୯ ତାରିଖରେ ଓଡ଼ିଶାର ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବ। ୧୮ ତାରିଖ ତଥା ଗୁରୁବାର ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ନୟାଗଡ଼, ଖୋର୍ଧା, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଘଡ଼ଘଡ଼ି ସହ ବଜ୍ରପାତର ବି ଆଶଙ୍କା ରହିଛି। ଏହାଦ୍ବାରା କ୍ଷୟକ୍ଷତି ହେବାର ବି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଥିସହ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ବି ଆଶଙ୍କା ରହିଛି। ୧୯ ତାରିଖରେ ଅନୁରୂପ ଭାବେ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହୋଇପାରେ। କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, କେରାପୁଟ ଜିଲ୍ଲାରେ ବି ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଗତକାଲି ଅପେକ୍ଷା ଆଜି ଭୁବନେଶ୍ବରର ତାପମାତ୍ରା ଦୁଇ ଡିଗ୍ରି ହ୍ରାସ ପାଇ ୪୧.୭ ଡିଗ୍ରିରେ ପହଞ୍ଚିଛି। ତେବେ ତାପମାତ୍ରା କମିଥିଲେ ମଧ୍ୟ ଆର୍ଦ୍ରତା ୪୦କୁ ଖସିଆସିଥିବାରୁ ପ୍ରବଳ ଗୁଳୁଗୁଳି ହୋଇଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ଅଧିକ ରହିଥିଲା। ଅନୁଗୁଳ ତାପମାତ୍ରା ଆଜି ୪୧.୧ ଡିଗ୍ରି ରହିଥିଲା। ‌ମୋଟ ୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା। ତେବେ ମୟୂରଭଞ୍ଜ, ‌ବାଲେଶ୍ବର, କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହୋଇଥିବାରୁ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ କହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଗୁରୁବାର ଭୁବନେଶ୍ବର ପାଗ ଶୁଖିଲା ରହିବ। ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବ। ତେବେ ୧୯ ତାରିଖରେ କାଳବୈଶାଖୀ ବର୍ଷା ସହ ତାପମାତ୍ରା ପ୍ରାୟ ତିନି ଡିଗ୍ରି କମିବ। ୨୦ ତାରିଖଠାରୁ ତାପମାତ୍ରା କ୍ରମଶଃ ବଢ଼ିବ। ଆସନ୍ତାକାଲି ଭୁବନେଶ୍ବର, ପୁରୀ, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ତାପମାତ୍ରା କମିବ। କିନ୍ତୁ ତାତି ରହିବ। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଅପେକ୍ଷାକୃତ କମ୍‌ ଗରମ ରହିବ। ବଙ୍ଗୋପସାଗରୀୟ ପବନ ଆନ୍ଧ୍ର ପ୍ରଦେଶ ଦେଇ ଓଡ଼ିଶାକୁ ଆସୁଛି। ୨୧ ତାରିଖଠାରୁ ପଶ୍ଚିମା ଗରମ ପବନ ସିଧାସଳଖ ରାଜ୍ୟକୁ ପ୍ରବାହିତ ହେବ। ତେଣୁ ଗରମ ବଢ଼ିବ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ। ୨୪ ତାରିଖ‌ରେ ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ୧୮ ଓ ୧୯ ତାରିଖ‌ରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ୧୯ ତାରିଖରେ ଖୋର୍ଧା, ପୁରୀ, କଟକ, ଜଗତ୍‌ସିଂହପୁରରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ୨୦ ତାରିଖରେ ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର