ମାର୍ଚ୍ଚ ୪ରୁ ଉପକୂଳରେ କାଳବୈଶାଖୀ!

ଭୁବନେଶ୍ୱର :ସାରା ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ପୁଣିଥରେ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରି ଉପରେ ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାରେ ତାତି ଟିକିଏ କମ୍‌ ରହିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାକୁ ଥିବା ବେଳେ ୪ ତାରିଖ ବେଳକୁ କାଳବୈଶାଖୀ ସମ୍ଭାବନା ରହିଛି। କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, ଗଞ୍ଜାମ, ଖୋର୍ଧା ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ। ବର୍ଷା ହେବା ସହ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବୋହିବ। ୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ କାଳବୈଶାଖୀର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ମାର୍ଚ୍ଚ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହୁଛି। ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ତାତି କମିବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଜାରି ରହିବ। ଗତକାଲି ପରି ଆଜି ମଧ୍ୟ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ର୍ରି ଉପରେ ରହିଥିଲା। ଅନୁଗୁଳ, ତାଳଚେର, ଟିଟିଲାଗଡ଼ ସହରର ତାପମାତ୍ରା ୩୭ ଡିଗ୍ରି ଉପରେ ରହିଥିବା ବେଳେ କଟକ ଓ ଭୁବନେଶ୍ୱର ତାପମାତ୍ରା ଏବେ ବି ୩୬ ଡିଗ୍ରି ଉପରେ ରହିଛି। ଅନୁଗୁଳରେ ୩୭.୭ ଡିଗ୍ର୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ ଓ ତାଳଚେରରେ ୩୭.୫, ସୋନପୁର ଓ ଭୁବନେଶ୍ୱରରେ ୩୬.୮, ହୀରାକୁଦରେ ୩୬.୭, ଝାରସୁଗୁଡ଼ାରେ ୩୬.୬, ବଲାଙ୍ଗିରରେ ୩୬.୫, ସମ୍ବଲପୁରରେ ୩୬.୨, ସୁନ୍ଦରଗଡ଼ ଓ କଟକରେ ୩୬ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର