କାଳବୈଶାଖୀ ତାଣ୍ଡବ : ଧୂଳିଝଡ଼ ସାଙ୍ଗକୁ ତୁହାକୁ ତୁହା ବର୍ଷା, ଆଉ ୨୪ ଘଣ୍ଟା ଲାଗି ରହିବ

ଭୁବନେଶ୍ବର : ଉପକୂଳରୁ ଉପାନ୍ତ। ଉତ୍ତରରୁ ଦକ୍ଷିଣ ଓଡ଼ିଶା, ସବୁଠି କାଳବୈଶାଖୀର ତାଣ୍ଡବ। ବର୍ଷା ସାଙ୍ଗକୁ ତୁହାକୁ ତୁହା ଧୂଳିଝଡ଼ ଜନଜୀବନକୁ ପ୍ରଭାବିତ କରିଛି। ବାଲେଶ୍ବର ଓ କୋରାପୁଟ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

‌କେନ୍ଦ୍ର ପକ୍ଷରୁ କୁହାଯାଇଛି, ସୋମବାର ସକାଳ ସୁଦ୍ଧା ରାୟଗଡ଼ା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ। ଧୂଳିଝଡ଼ ସାଙ୍ଗକୁ ଘଣ୍ଟା ପ୍ରତି ୫୦ରୁ ୬୦କିମି ବେଗରେ ପବନ ହେବ। କେତେକ ସ୍ଥାନରେ ବଜ୍ରପାତ ବି ଆଶଙ୍କା ରହିଛି। ଏହାବ୍ୟତୀତ ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ଅନ୍ୟ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ସହ ବଜ୍ରପାତ ହେବାର ଅନୁମାନ କରାଯାଇଛି।

ତେବେ ରବିବାର ସନ୍ଧ୍ୟାରେ କଟକ, ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଧୂଳିଝଡ଼ ହୋଇଛି। ପୂର୍ବାହ୍ନରେ ଉଭୟ କଟକ ଓ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଉପରେ ରହିଥିଲା। ତେବେ ସନ୍ଧ୍ୟା ସମୟରେ ଆକାଶ ମେଘାଚ୍ଛନ୍ନ ହେବା ସହ ତୁହାକୁ ତୁହା ପବନ ଜନଜୀବନକୁ ପ୍ରଭାବିତ କରିଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯେଉଁମାନେ ବାହାରେ ଥିଲେ, ସେମାନେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ। କେତେକ ସ୍ଥାନରେ ଛୋଟ ଛୋଟ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ୨୩ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତିରେ କୌଣସି ପରିବର୍ତନ ହେବନି। ‌ତେବେ ୨୩ ତାରିଖ ପୂର୍ବାହ୍ନ ପରେ ପାଗରେ କିଛିଟା ପରିବର୍ତନ ହେବ। ବର୍ଷା କମିବା ସହ ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବ। କିଛି ସହରର ତାପମାତ୍ରା ଧୀରେଧୀରେ ବୃଦ୍ଧି ପାଇ ଗୁରୁବାର ବେଳକୁ ୪୨ଡିଗ୍ରି ଟପିଯିବାର ଆଶଙ୍କା ରହିଛି।

ଗତ ୨୪ଘଣ୍ଟା ମଧ୍ୟରେ ବାଲେଶ୍ବରରେ ସର୍ବାଧିକ ୩୫ମିମି ବର୍ଷା ହୋଇଛି। ଏହାବ୍ୟତୀତ ଝାରସୁଗୁଡ଼ାରେ ୧୬, କେନ୍ଦୁଝରରେ ୫, ସୁନ୍ଦରଗଡ଼ରେ ୪, ଅନୁଗୁଳରେ ୩, ବାରିପଦାରେ ୨ ମିମି ବର୍ଷା ହୋଇଛି। ଆଜି ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି। ମାଳକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର