୧୫ରୁ ଉପକୂଳରେ କାଳବୈଶାଖୀ

ଭୁବନେଶ୍ୱର : ତାତୁଛି ପଶ୍ଚିମ ଓଡ଼ିଶା। ଏଠାରେ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ର୍ରି ଉପରେ ରହୁଥିବା ବେଳେ ଉପକୂଳ ଓଡ଼ିଶାବାସୀଙ୍କୁ ଆଜି ମିଳିଛି ଟିକିଏ ଆଶ୍ୱସ୍ତି। କେତେକ ସହର ତାପମାତ୍ରା ୨ ଡିଗ୍ରି ପର୍ଯନ୍ତ ହ୍ରାସ ପାଇଛି। ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତେବେ ୧୫ ଓ ୧୬ ତାରିଖରେ କାଳବୈଶାଖୀ ହୋଇପାରେ। ୧୫ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ୧୬ ତାରିଖ ଅପରାହ୍ନରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷାର ସମ୍ଭାବନା ରହୁଛି। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ପଶ୍ଚିମ ଓଡ଼ିଶାରେ ତାତି ରହିବ। ଦକ୍ଷିଣ ପଶ୍ଚିମ ଦିଗରୁ ପବନ ହେଉଥିବାରୁ ଉପକୂଳ ଓଡ଼ିଶାରେ ଟିକିଏ ଆଶ୍ୱସ୍ତି ମିଳିଛି। ଆଜି ଘଣ୍ଟା ପ୍ରତି ୪୫ କି.ମି. ବେଗରେ ପବନ ହୋଇଥିଲା। ଶ୍ରୀଲଙ୍କା ତଳକୁ ମାଳଦୀପ ଉପରେ େଓ୍ଵଲ୍‌ ମାର୍କ ଲୋ ପ୍ରେସର ରହୁଥିବାରୁ ଉପକୂଳରେ ତାପମାତ୍ରା ବିଶେଷ ବୃଦ୍ଧି ପାଉନି। ମାର୍ଚ୍ଚ ୧୫ ଓ ୧୬ରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହୁଛି। ତେଣୁ ସତର୍କ ସୂଚନା ଜାରି ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରି ରହିଥିବା ବେଳେ ସୋନପୁରରେ ୩୮.୬, ଟିଟିଲାଗଡ଼ରେ ୩୮.୫, ସୁନ୍ଦରଗଡ଼ରେ ୩୮, ମାଲକାନଗିରିରେ ୩୭.୮, ଝାରସୁଗୁଡ଼ା ଓ ବଲାଙ୍ଗିରରେ ୩୭.୫, ସମ୍ବଲପୁରରେ ୩୭.୨, ହୀରାକୁଦରେ ୩୭.୧, ଭୁବନେଶ୍ୱରରେ ୩୫.୬, କଟକରେ ୩୫.୨ ଡିଗ୍ରି ରହିଥିଲା। ୧୬ଟି ସହରର ତାପମାତ୍ରା ୩୫ ଡିଗ୍ର୍ରି ଉପରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର