ରୋଚକ ସ୍ଥିତିରେ କଳାହାଣ୍ଡି ରାଜନୀତି : ତିନି ବିଧାୟକଙ୍କ ପକ୍ଷଛେଦନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ରବିବାର ଶେଷ ମୁହୂର୍ତ୍ତରେ ବିଧାୟକ ବଳଭଦ୍ର ମାଝୀଙ୍କ ଟି‌କଟ କଟିବାରୁ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ପାଞ୍ଚଥର ବିଧାୟକ ହୋଇଥିବା ବଳଭଦ୍ରଙ୍କ ଟିକଟ ଝୁଲାଇ ରଖା ଯାଇଥିଲା। ଶେଷରେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ଦିଶାରୀଙ୍କୁ ଦଳ ପକ୍ଷରୁ ଟିକଟ ଦିଆଯାଇଛି। ଜିଲ୍ଲାର ତିନି ବିଧାୟକଙ୍କୁ ବିଜେଡିରେ ପକ୍ଷଛେଦନ କରାଯାଇଥିବା ବେଳେ ବଳଭଦ୍ର ଏବେ ବିଜେପିମୁହାଁ ହେବା ସଂପର୍କରେ ଦଳୀୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ ଲାଞ୍ଜିଗଡ ନିର୍ବାଚନମଣ୍ଡଳୀରେ ଆଉ ପ୍ରଚାର କରିବେ ନାହିଁ ବୋଲି ବଳଭଦ୍ର ରୋକଠୋକ ମନାକରିବା ସଂପର୍କରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି। କଳାହାଣ୍ଡି ଜିଲ୍ଲାର ୪ଟି ବିଧାନସଭା ଆସନ ନିମନ୍ତେ ବିଜେଡି ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଲାଞ୍ଜିଗଡ଼ ବିଧାନସଭା ଟିକଟକୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଗତ କିଛିଦିନ ଧରି ବିଜେଡି ଟିକଟ ବଣ୍ଟା ଏବଂ ବଳଭଦ୍ର ବିଜେପି ଯିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ସୋମବାର ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ ରବିବାର ବଳଭଦ୍ର ଅଡୁଆରେ ପଡିଛନ୍ତି।

ବିଜେପି ପକ୍ଷରୁ ଲାଞ୍ଜିଗଡ ଟିକଟ ଘୋଷଣା ହେବା ପରେ ବିଜେଡି ଟିକଟ ଘୋଷଣା‌ ହୋଇଛି। ବଳଭଦ୍ରଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ଏପ୍ରିଲ ୧ ତାରିଖ ଦିନ ଭବାନୀପାଟଣା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ସଭାରେ ବଳଭଦ୍ର ଯୋଗ ଦେଇପାରନ୍ତି ବୋଲି ତାଙ୍କ ସମର୍ଥକମାନେ ଚର୍ଚ୍ଚା କରୁଛନ୍ତି।

ଏ ସଂପର୍କରେ ବଳଭଦ୍ରଙ୍କୁ ପଚାରିବାରୁ ‘ମୁଁ ୫ ଥର ବିଧାୟକ ନିର୍ବାଚିତ ହୋଇଛି। ସର୍ଭେ ରିପୋର୍ଟକୁ ଦର୍ଶାଇ ଟିକଟରୁ ମୋତେ ବଞ୍ଚିତ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ମୁଁ ଲାଞ୍ଜିଗଡ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବି ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦେଇଛି। ଗତ ୧୫ଦିନ ତଳେ ବିଜେପି ପକ୍ଷରୁ ମୋ ସହିତ ଯୋଗାଯୋଗ କରାଯାଇଥିଲା। ବର୍ତ୍ତମାନ ବିଜେଡି ଛାଡୁ ନାହିଁ ମୋତେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି’ ବୋଲି ସେ କହିଥିଲେ। ପ୍ରଦୀପ ଗତ ପୂର୍ବରୁ ବିଧାୟକ ଅନାମ ନାଏକ, ଧନେଶ୍ବର ମାଝୀଙ୍କ ଟିକଟ କଟିଥିଲା। ଏବେ ବଳଭଦ୍ରଙ୍କ ଟିକଟ କଟିବାରୁ କର୍ମୀ ମହଲରେ ଚାପା ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର