କଟକ ଆସୁଛନ୍ତି କଳାହାଣ୍ଡିର କରୋନା ଆକ୍ରାନ୍ତ, ବିଳମ୍ବିତ ରାତିରେ ପହଞ୍ଚିବେ

ଭବାନୀପାଟଣା/ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଗତକାଲି ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି । ସଂକ୍ରମିତ ଯୁବକ ଜଣକ ଗୋଳାମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଥିଲା । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ସଂକ୍ରମିତ ଯୁବକଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଯାଇଛି । ଗତକାଲି ରାତିଠାରୁ ଧର୍ମଗଡ଼ ପୋଲିସ ଏସ୍ ଡ଼ି ପି ଓ ଓ ଉପ ଜିଲ୍ଲାପାଳ ପରିସ୍ଥିତିର ଅନୁଧ୍ୟାନ କରି ଆକ୍ରାନ୍ତଙ୍କ ପଞ୍ଚାୟତ ସିଲ କରି ଦିଆଯାଇଛି। ଫଳରେ ବାହାର ଲୋକେ ପଞ୍ଚାୟତ ଭିତରକୁ ଯାଇ ପାରିବେ ନାହିଁ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ବାପା, ମା, ଭଉଣୀ, ଜେଜେମା, ଦୁଇ କାକା ପୁଅ, ଭଉଣୀଙ୍କ ସମ୍ପର୍କୀୟ ଓ ୧୪ଜଣ କ୍ରିକେଟ ଖେଳାଳି, ବୋଲେରୋ ଡ୍ରାଇଭର ସମେତ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସିଥିବା ୩୧ ଜଣଙ୍କୁ ଭବାନୀପାଟଣା ଅଣାଯାଇ ରକ୍ତ ସ୍ୱାବ ସଂଗ୍ରହ କରାଯାଇଥିଲା । ପରେ ସେମାନଙ୍କ ରକ୍ତ ସ୍ୱାବକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି।
ସମସ୍ତ ୩୧ ଜଣଙ୍କୁ ବାନ୍ଦପଲା  ସ୍ଥିତ ଇଂଜିନିୟରିଂ କଲେଜ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଛି । ସ୍ୱାବ ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ଆରମ୍ଭ ହେବ ବୋଲି ଜଣା ପଡ଼ିଛି । କଳାହାଣ୍ଡି ଜିଲ୍ଲାପାଳ ହର୍ଷଦ ପରାଗଙ୍କ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି, ୩୧ ଜଣଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ହେଇଥିବା ବେଳେ ସେମାନଙ୍କ କ୍ୱାରେଣ୍ଟାଇନରେ ରଖାଯାଇଛି । ସଂପୃକ୍ତ ପଞ୍ଚାୟତରେ ଲୋକଙ୍କ ଚଳପ୍ରଚଳ ବନ୍ଦ କରି ସିଲ କରି ଦିଆଯାଇଛି ବୋଲି କହିଛନ୍ତି ।
ଏହି ଘଟଣା ପରେ ଉଭୟ ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକରେ ଲାକଡାଉନକୁ ଗାଁ ଲୋକମାନେ କଡାକଡ଼ି କରିଛନ୍ତି । ଏପରିକି ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଲୋକ ଛାଡୁନଥିବା ଦେଖିବାକୁ ମିଳିଥିଲା । ପୁଲିସର ହସ୍ତକ୍ଷେପ ପରେ ୧୦୮ ଚଳପ୍ରଚଳ କରିଥିଲା।  ଆକ୍ରାନ୍ତ ୨୯ ବର୍ଷୀୟ ଯୁବକ ଜଣକ ବାହାରିନ ଦେଶରୁ ଗତ ୨ବର୍ଷ ଧରି ପାୱାରମେକ୍ କମ୍ପାନିରେ ଫିଟର ଭାବରେ କାର୍ଯ୍ୟ କରୁଥିଲେ । ଗତ ମାର୍ଚ୍ଚ ୧୭ ତାରିଖ ଦିନ ବିମାନ ଯୋଗେ ନୂଆଦିଲ୍ଲୀ ଠାରେ ପହଞ୍ଚିଥିଲେ । ପୁଣି ସେଠାରୁ ବିମାନ ଯୋଗେ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଥିବା ତାଙ୍କ ସାଥିଙ୍କ ସହିତ ମଧ୍ୟ ଭେଟ ହେଇଥିଲେ । ହାଇଦ୍ରାବାଦରୁ ବିଶାଖାପାଟଣାକୁ ପୁଣି ବିମାନ ଯୋଗେ ଆସିଥିଲେ । ବିଶାଖାପାଟଣାରୁ ବସ୍ ଯୋଗେ ରାୟଗଡାକୁ ଆସିଥିଲେ ।  ରାୟଗଡ଼ା ଠାରୁ କେସିଙ୍ଗା ପର୍ଯ୍ୟନ୍ତ ଟ୍ରେନ ଯୋଗେ ଯାତ୍ରା କରିଥିଲେ ।
କେସିଙ୍ଗା ରେଳ ଷ୍ଟେସନ ଠାରେ ଏକ ବୋଲେରୋ ଗାଡି ଭଡା କରି ମାର୍ଚ୍ଚ ୧୯ ତାରିଖ ଦିନ ତାଙ୍କ ଗାଁ ରେ ପହଞ୍ଚିଥିଲେ।  ସେ ସୁସ୍ଥ ଥିବା ଯୋଗୁଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ସୁସ୍ଥ ଥିବା ଯୋଗୁଁ ସେ ଗାଁ ରେ ତାଙ୍କ ସାଙ୍ଗ ମାନଙ୍କ ସହିତ କ୍ରିକେଟ ମଧ୍ୟ ଖଳିଥିଲେ। ନିକଟରେ ଥିବା ତାଙ୍କ ଭଉଣୀ ଘରକୁ ମଧ୍ୟ ଯାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଶ ବାହାରୁ ଆସିଥିବା ଯୋଗୁଁ ଗତ ଏପ୍ରିଲ ୨ ତାରିଖ ଦିନ ତାଙ୍କୁ ଭବାନୀପାଟଣାକୁ ଅଣାଯାଇ ସ୍ୱାବ ନମୁନା ନିଆଯାଇଥିଲା । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ମାରାଥନ ବୈଠକ ଅନୁଷ୍ଠିତ ହେଇଥିଲା । କାଳି ସକାଳ ୧୧ ଟାରେ ଆକ୍ରାନ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାରେ ଏହା ପ୍ରଥମ ପଜିଟିଭ ହେଇଥିବା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହେଇଛି । କେଉଁ କେଉଁ ମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କସରତ ଆରମ୍ଭ ହୋଇଛି ।
ସମ୍ବନ୍ଧିତ ଖବର