ବାଃ ବାଃ ରେ ଥିରାନି, ଘର ଘରମେ ରାଜା ରାନୀ : ଲୋକସଭା ନିର୍ବାଚନରେ ରାଜ୍ୟ ବାହାରୁ ପ୍ରାର୍ଥୀ

ବିଫଳ ହେଲା ନେହରୁଙ୍କ ଉଦ୍ୟମ, ମହାରାଜା ପ୍ରତାପ କେଶରୀଙ୍କୁ ହରାଇ ପାରିଲେନି, ପ୍ରଥମ ଥର ପାଇଁ ନିର୍ବାଚନ ବେଳେ ସାଇକେଲ, କମ୍ବଳ ବଣ୍ଟନ

ଭବାନୀପାଟଣା : କଳାହାଣ୍ଡି ଲୋକସଭା ଆସନରେ ପ୍ରଥମଥର ପାଇଁ ୧୯୫୭ ମସିହା ସାଧାରଣ ନିର୍ବାଚନରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କୁ ପରାଜିତ କରିବା ପାଇଁ ରାଜ୍ୟ ବାହାରୁ ବିର୍ଲାଗ୍ରୁପ୍‌ର ଶିଳ୍ପପତି ଘନଶ୍ୟାମ ଦାସ ଥିରାନିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ପ୍ରାର୍ଥୀ କରିଥିଲେ । ସମସ୍ତ ଚକ୍ରବ୍ୟୂହ ସତ୍ତ୍ବେ ଥିରାନି ମହାରାଜା ପ୍ରତାପ କେଶରୀ ଦେଓଙ୍କୁ ହରାଇବାରେ ସକ୍ଷମ ହୋଇନଥିଲେ । ବର୍ତ୍ତମାନ ରାଜ୍ୟ ବାହାରୁ ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ଆଲୋଚନା, ସମାଲୋଚନା ଚାଲିଥିବାବେଳେ ଏହି ଘଟଣା ଲୋକମାନଙ୍କ ମନରେ ଉଜ୍ଜୀବିତ ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ୧୯୫୧ ମସିହାର ପ୍ରଥମ ଲୋକସଭା ନିର୍ବାଚନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନିର୍ଦ୍ଦେଶ କ୍ରମେ ଥିରାନି ବରଗଡ ଲୋକସଭା ଆସନରୁ କଂଗ୍ରେସ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେ ତାଙ୍କର ନିଟକତମ ପ୍ରତିଦ୍ବନ୍ଦ୍ବୀ ଗଣନାଥ ଗୌନ୍ତିଆଙ୍କୁ ପରାସ୍ତ କରି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳେ ବଲାଙ୍ଗୀର ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ ପାର୍ଟିରେ ସକ୍ରିୟ ଥିଲେ । ୧୯୫୭ ମସିହା‌ ଦ୍ବିତୀୟ ସାଧାରଣ ନିର୍ବାଚନରେ ବଲାଙ୍ଗୀର ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେ‌ହରୁଙ୍କୁ ଚ୍ୟାଲେଞ୍ଜ କରିଥି‌ଲେ ଯେ, ସେ ଆସିଲେ ମଧ୍ୟ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କୁ ହରାଇ ପାରିବେ ନାହିଁ । ଏହି ଚ୍ୟାଲେଞ୍ଜକୁ ଆଖି ଆଗରେ ରଖି ନେହେରୁ ଘନଶ୍ୟାମ ଦାସ ଥିରାନିଙ୍କୁ ତାଙ୍କ ପ୍ରତିନିଧି ଭାବରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ବିରୋଧରେ ଲୋକସଭା ଆସନରେ ନିର୍ବାଚନ ଲଢିଥିଲେ । ନେହେରୁ କଂଗ୍ରେସ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଗଣତନ୍ତ୍ର ପରିଷଦ ପ୍ରାର୍ଥୀଙ୍କୁ ହରାଇବା ପାଇଁ ବହୁ ଚକ୍ରବ୍ୟୂହ ରଚିଥିଲେ । ଥିରାନିଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ମହିଚଲା ଠାରେ ଦଳୀୟ ଅନୁଗତଙ୍କୁ ନେଇ କ୍ୟାମ୍ପ କରିଥିଲେ । ତାଙ୍କ ସମର୍ଥକଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ପ୍ରଥମଥର ପାଇଁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ସାଇକେଲ ଓ କମ୍ବଳ ବଣ୍ଟା ଯାଇଥିଲା । ଏହାକୁ ପ୍ରତିହତ କରିବା ପାଇଁ ମହାରାଜା ପ୍ରତାପ କେଶରୀଙ୍କ ସପକ୍ଷରେ ପ୍ରଚାର ପାଇଁ ତାଙ୍କ ପତ୍ନୀ ତଥା ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ବାହାରିଥିଲେ । ମହାରାଣୀ ପ୍ରଚାରରେ ବାହାରିବା ପରେ ସାଧାରଣ ଲୋକେ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ‌ଦେଇଥିଲେ । ମହାରାଜା ଓ ମହାରାଣୀଙ୍କୁ ବିପୁଳ ସମର୍ଥନ ଦେଇ ଥିରାନି ବିରୋଧରେ ଲଢିବା ପାଇଁ ଉତ୍ସାହିତ କରିଥିଲେ । ଜଣେ ଶିଳ୍ପପତିଙ୍କ ବିରୋଧରେ ଲଢିବା ପାଇଁ ସାଧାରଣ ଲୋକେ ମହାରାଜା ଓ ମହାରାଣୀଙ୍କୁ ଫୁଲମାଳ ବଦଳରେ ଟଙ୍କା ମାଳ ବେକରେ ଝୁଲାଇଥିଲେ। ସେହି ସମୟରେ ‘ବାଃ ବାଃରେ ଥିରାନି, ଘରଘର ମେ ରାଜା ରାନୀ’ ସ୍ଳୋଗାନ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାପରେ କଂଗ୍ରେସ ପକ୍ଷରୁ ବହୁ ରଣନୀତି ନେଇଥିଲେ ମଧ୍ୟ ମହାରାଜାଙ୍କୁ ପରାସ୍ତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଏହି ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ଦାସ ଥିରାନି ୭୦ ହଜାର ୩୩୩ ଭୋଟ ପାଇଥିବା ବେଳେ ଗଣତନ୍ତ୍ର ପରିଷଦ ପାର୍ଟିର ପ୍ରାର୍ଥୀ ମହାରାଜା ପ୍ରତାପ କେଶରୀ ଦେଓ ୧ଲକ୍ଷ ୭୪ ହଜାର ୯୨୦ ଖଣ୍ଡ ଭୋଟ ପାଇ ବିଜୟଲାଭ କରିଥିଲେ ।

ଏହି ନିର୍ବାଚନ ସମଗ୍ର ଦେଶରେ ପ୍ରଥମ ଥର ପାଇଁ ରାଜନୀତି ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୧୯୫୭ ମସିହାରେ ମଧ୍ୟ ଭୋଟର ମା‌ନେ ସାଇକେଲ ଓ କମ୍ବଳ ଦ୍ବାରା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇ ନ ଥିବାବେଳେ ସମଗ୍ର ଦେଶରେ ଏକ ସ୍ବାଭିମାନର ପରିଚୟ ସୃଷ୍ଟି କରିଥିଲେ । ଭୋଟରଙ୍କ ମତ ଆଗରେ ନେହେରୁଙ୍କ ରଣନୀତି ମଧ୍ୟ ମୁଣ୍ଡ ନୁଅଁ‌ାଇବାକୁ ବାଧ୍ୟ ହୋଇଥିଲା । କଳାହାଣ୍ଡି ଜିଲ୍ଲା ସବୁବେଳେ ରାଜନୀତି ମତଦାନରେ ଏକ ସ୍ବତନ୍ତ୍ର ମୋଡ଼ ବଦଳାଇବା ନେଇ ରାଜନୈତିକ ପଣ୍ଡିତ ମାନଙ୍କୁ ଚକିତ କରିଥାଏ ।

ସମ୍ବନ୍ଧିତ ଖବର