କଳାହାଣ୍ଡିରେ ପ୍ରଥମ: ଭିଜିଲାନ୍ସ ଜାଲରେ ରାଜନେତା; ରାଜନୀତି ପେଞ୍ଚରେ ନାମ ନେଲେ ଅନାମ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଭିଜିଲାନ୍ସ ଦ୍ବାରା ଶାସକ ଦଳର ଜଣେ ପୂର୍ବତନ ବିଧାୟକ ବନ୍ଧା ହୋଇ ଜେଲ୍ ଯାଇଛନ୍ତି। ପୂର୍ବରୁ ରାଜ୍ୟରେ କେତେକ ବିରୋଧୀ ଓ ବିଦ୍ରୋହୀ ରାଜନେତା ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ମାତ୍ର କଳାହାଣ୍ଡି ଜିଲ୍ଲାରେ ଏଭଳି କେବେ ଘଟି ନଥିଲା। ତେଣୁ ସ୍ବାଭାବିକ ଭାବେ ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ରାଜନୀତି ପେଞ୍ଚ ଓ ଷଡ୍ଯନ୍ତ୍ର ଯୋଗୁଁ ଅନାମ ନାଏକ ନାମ ନେଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଥି ସହ ପରବର୍ତ୍ତୀ ଟାର୍ଗେଟ୍ କିଏ? ସେ ନେଇ ମଧ୍ୟ ଆଲୋଚନା ଓ କଳ୍ପନାଜଳ୍ପନା ପ୍ରକାଶ ପାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ ବିଧାୟକ ଅନାମ ନାଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଗିରଫ ହୋଇ ଜେଲ୍ ଯାଇଛନ୍ତି। ଗତ ରାତିରେ ତାଙ୍କୁ ଭବାନୀପାଟଣା ଜେଲ୍ର ସେଲ୍ ନଂ ୧ରେ ରଖାଯାଇଥିଲା ଏବଂ ସେ ଜେଲ୍ ଖାଦ୍ୟ ଖାଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି। କୋରାପୁଟ ଭିଜିଲାନ୍ସ ପକ୍ଷରୁ ଗତ ଜାନୁଆରି ୧୭ ତାରିଖ ଦିନ ଅନାମଙ୍କ ନକଟିଗୁଡ଼ାସ୍ଥିତ ଘର, ପୁରୁଣାପଡ଼ାଠାରେ ନିର୍ମାଣାଧୀନ ଲଜ୍ ଓ ମଦନପୁର ରାମପୁରଠାରେ ଥିବା ହୋଟେଲ ଓ ବିଦେଶୀ ମଦ ବାର୍ ଉପରେ ଚଢ଼ଉ କରାଯାଇଥିଲା। ତାଙ୍କ ସମ୍ପତ୍ତିର ମୂଲ୍ୟ ସମୁଦାୟ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କା ଆକଳନ କରାଯାଇଥିଲା। ଏଥିମଧ୍ୟରୁ ୧ କୋଟି ୫୪ ଲକ୍ଷ ୧୨ ହଜାର ୨୬୦ ଟଙ୍କାର ହିସାବ ସେ ଦେଇ ପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। କୋରାପୁଟ ଭିଜିଲାନ୍ସ କେସ୍ ନଂ ୩/୨୦ ଦଫା ୧୩(୨)ଆର୍/ଡବ୍ଲୁ ୧୩(୧) (ବି) ଦୁର୍ନୀତି ନିବାରଣ ଆଇନ ୨୦୧୮ ଅନୁଯାୟୀ ଏକ ମକଦ୍ଦମା ଦାୟର ପରେ ଗୁରୁବାର ଅନାମ ନାଏକଙ୍କୁ ଗିରଫ କରି ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ପ୍ରସନ୍ନ କୁମାର କର୍ଣ୍ଣଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଭବାନୀପାଟଣା ଜେଲ୍କୁ ପଠାଯାଇଥିଲା।
ଅନାମ ଗିରଫ ହେବା ପରେ କଳାହାଣ୍ଡି ରାଜନୀତିରେ ନାନା ଆଲୋଚନା ହେଉଛି। ଅନାମ ୨୦୦୫ରେ ସରକାରୀ କିରାଣି ପଦରୁ ସ୍ୱେଚ୍ଛାକୃତ ଅବସର ନେଇ କଂଗ୍ରେସ ଟିକଟରେ ଭବାନୀପାଟଣା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ପରିମାଣ ମୋଟ ୩୫ ଲକ୍ଷ ଟଙ୍କା ଥିଲା ବୋଲି ଉଲ୍ଲେଖ କରିଥିଲେ। ୨୦୧୪ରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ସମୟରେ ଖଣି ଲିଜ୍ ପାଇଁ ଲାଞ୍ଚ କାରବାର ଅଭିଯୋଗର ଏକ ଷ୍ଟିଙ୍ଗ୍ ଅପରେସନରେ ସେ କ୍ୟାମେରାରେ ଧରାପଡ଼ିଥିଲେ। ଫଳରେ ୨୦୧୯ ନିର୍ବାଚନରେ ବିଜେଡି ଟିକଟରୁ ଅନାମ ବଞ୍ଚିତ ହୋଇଥିବା ଅନ୍ୟତମ କାରଣ କୁହାଯାଏ। ଗତ ସାଧାରଣ ନିର୍ବାଚନରେ ଅନାମ ନାଏକଙ୍କୁ ବିଜେଡି ଟିକଟ ଦିଆଯାଇ ନଥିବା ବେଳେ ତାଙ୍କ ସ୍ଥାନରେ କଂଗ୍ରେସରୁ ବିଜେଡିକୁ ଆସିଥିବା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କୁ ଦଳ ଟିକଟ ଦେଇଥିଲା। ନିର୍ବାଚନରେ ଅନାମ ନିଜେ ଦୁଷ୍ମନ୍ତଙ୍କ ବିରୋଧରେ ନିର୍ବାଚନୀ ଗୋଟି ଚାଳନା କରିଥିଲେ। ଫଳରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାଏକ ଜିତିବା ସହଜ ହୋଇଥିଲା। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼, ଲାଞ୍ଜିଗଡ଼, ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକମାନେ ବିଜୟୀ ହୋଇଥିବା ବେଳେ ଭବାନୀପାଟଣା ଆସନ ହରାଇବାକୁ ପଡ଼ିଥିଲା। ଏହି ପରାଜୟ ପଛରେ ଅନାମଙ୍କ ଫାଉଲ୍ ଗେମ୍ ଦାୟୀ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା।
ଅନାମଙ୍କ ପରି ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବି ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡି ଟିକଟରୁ ବଞ୍ଚିତ ହେବା ପରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ବିରୋଧରେ ଗୋଟି ଚଳାଇଥିଲେ ବୋଲି ଚର୍ଚ୍ଚା ଚାଲିଥିଲା। ନିର୍ବାଚନ ପରେ ଉଭୟ ଶାସକ ଦଳରେ ଥିଲେ ମଧ୍ୟ ସେମାନଙ୍କୁ କୌଣସି ପଦପଦବିରେ ଥଇଥାନ କରାଯାଇ ନ ଥିଲା। ଏଥିସହ ଆଗାମୀ ପୌର ନିର୍ବାଚନରେ ବି ସେମାନେ ଦଳ ପାଇଁ କଣ୍ଟା ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା। ଏମାନଙ୍କର କିଛି ସମର୍ଥକ ବି କୁଆଡ଼େ ପରୋକ୍ଷରେ ଏ ସୂଚନା ଦେଇଥିଲେ। ତେଣୁ ଶାସକ ଦଳ ଏହି ଦୁଇ ନେତାଙ୍କ ଉପରେ କଡ଼ା ନଜର ରଖିଥିଲା। ପ୍ରଥମେ ଅନାମଙ୍କ ଉପରେ ଭିଜିଲାନ୍ସ ପାହାର ଯୋଗୁ ଅନ୍ୟ ବିଦ୍ରୋହୀ ନେତାଙ୍କ ମଧ୍ୟରେ ବି ଛନକା ପଶିଛି। ତେବେ ଆଗକୁ କେଉଁ ରାଜନେତାଙ୍କ ପାଳି ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିବା ସହ ଉତ୍ସୁକତା ପ୍ରକାଶ ପାଇଛି।