କଳାହାଣ୍ଡି ନିଶନଗୁଡ଼ା ଗୁଳିକାଣ୍ଡ ଘଟଣା : ୩ ମୃତକଙ୍କ ପରିବାରକୁ ଆଉ ୬ ଲକ୍ଷ ଟଙ୍କା ପ୍ରଦାନ ନିର୍ଦେଶ

ଭୁବନେଶ୍ୱର : କଳାହାଣ୍ଡି ନିଶନଗୁଡ଼ା ଗାଁରେ ମାଓବାଦୀ ସନ୍ଦେହରେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ୩ ଜଣ ଯୁବକଙ୍କୁ ଆଉ ୬ ଲକ୍ଷ ଟଙ୍କା ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ମାନବାଧିକାର କମିସନ ନିର୍ଦେଶ ଦେଇଛନ୍ତି। ୨ ମାସ ମଧ୍ୟରେ ଏହି କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ଚିଠି କରାଯାଇଛି।

ପ୍ରକାଶଥାଉକି, ୨୦୧୫ ମସିହାରେ ନିଶନଗୁଡ଼ା ଗାଁର କେତେକ ଯୁବକ ଜଗୁସିପାଟଣା ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ମାଓବାଦୀ ସନ୍ଦେହରେ ପୁଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିରେ ଶୁକ୍ରୁ ମାଝି, ଜୟା ମାଝି, ହରିଶଙ୍କର ନାୟକ ପ୍ରମୁଖଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗୁଳିକାଣ୍ଡରେ ଦୁଇ ଜଣକ ନାବାଳକ ଅର୍ଜୁନ ମାଝି ଓ ଇଚ୍ଛୁ ମାଝି ଗୁରୁତର ଆହତ ହୋଇଥିଲେ। ଏ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଆହତଦ୍ୱୟଙ୍କ ଚିକିତ୍ସା ଲାଗି ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ମୃତକ ପରିବାର ଲୋକ ପ୍ରତ୍ୟେକଙ୍କୁ ଆଉ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଆହତଦ୍ୱୟଙ୍କ ଅଧିକ ଚିକିତ୍ସା ଲାଗି ୧ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରି ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। କମିସନ ଏହି ଅଭିଯୋଗର ଶୁଣାଣି କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର