କଂଗ୍ରେସ ପାଇଁ ବାଘେଲ, ବିଜେପିରୁ ଧର୍ମେନ୍ଦ୍ରଙ୍କ ପ୍ରଚାର

ଏପ୍ରିଲ ୮ ଓ ୯ରେ ମୁଖ୍ୟମନ୍ତ୍ରୀ ଆସିବେ

ଭବାନୀପାଟଣା/କେସିଙ୍ଗା‌/ ଧର୍ମଗଡ଼/ଗୋଲାମୁଣ୍ଡା/କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରାର୍ଥୀମାନଙ୍କ ହୃଦସ୍ପନ୍ଦନ ବଢ଼ିବ‌ାରେ ଲାଗିଛି। ପ୍ରାର୍ଥୀମାନେ ନିଜ ଦଳର ଷ୍ଟାର ପ୍ରଚାରକମାନଙ୍କୁ ମଇଦାନକୁ ଆଣି ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ କସରତ ଆରମ୍ଭ କରିଛନ୍ତି। ଗୋଟିଏ ପଟେ ଦଳ ବିରୋଧୀ ଷଡ଼୍‌ଯନ୍ତ୍ର ଚାଲିଥିବା ‌ବେଳେ ଅନ୍ୟପଟେ ଏସବୁକୁ ମାତ ଦେବା ପାଇଁ ତିନି ପ୍ରମୁଖ ଦଳର ଆଗଧାଡ଼ିର ନେତାମାନେ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ କରିବା‌ରେ ଲାଗିଛନ୍ତି। ଶୁକ୍ରବାର କଳାହାଣ୍ଡିରେ କଂଗ୍ରେସ ପକ୍ଷରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ବିଜେପିରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେଡି ପକ୍ଷରୁ ଆସନ୍ତା ୮ଓ ୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ପ୍ରଚାର ବସରେ ରୋଡ ସୋ ଓ ନିର୍ବାଚନୀ ସଭା କରିବେ ବୋଲି ଜଣାପଡ଼ିଛି।

ଶୁକ୍ରବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ କଂଗ୍ରେସ ପ୍ରଚାରରେ ଆସି ଧର୍ମଗଡ଼ ଠାରେ ନିର୍ବାଚନୀ ସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ। ସେହିପରି ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଲାମୁଣ୍ଡା ବ୍ଲକ ଯୋରାଡବରା, ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଓ ଧର୍ମଗଡ଼ର ବେହେରା ଠାରେ ନିର୍ବାଚନୀ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ବଦଳାଇବାକୁ ଆହ୍ବାନ ଦେଇଥିଲେ। ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ବିଫଳତା ବଖାଣି କଳାହାଣ୍ଡି ଜିଲ୍ଲାର ନର୍ଲା, ଜୁନାଗଡ, ଧର୍ମଗଡ ନିର୍ବାଚନମଣ୍ଡଳୀରେ ନିଜ ନିଜ ପ୍ରାର୍ଥୀ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କଳାହାଣ୍ଡିର ମୁଖ୍ୟ ପ୍ରସଂଗ ଦାଦନ, ବେରୋଜଗାର, ଧାନର ଅଭାବୀ ବିକ୍ରି, ଆୟୁଷ୍ମାନ ଯୋଜନାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ୱାନ ଦେଇଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ ଧର୍ମଗଡ଼ ନିର୍ବାଚନୀ ସଭାକୁ ଉଦବୋଧନ ଦେଇଥିଲେ। ଛତିଶଗଡ଼ ପରିବର୍ତ୍ତନକୁ ସ୍ବୀକାର କରିଥିବା ବେଳେ ବର୍ତ୍ତମାନ ଓଡ଼ିଶାର ସମୟ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବଦଳାଇବାକୁ ଆହ୍ବାନ ଦେଇଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବାରୁ କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୧୧ତାରିଖ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ପାଇଁ ଦଳମାନଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରିଥିବା ବେଳେ ଆସନ୍ତା ୯ ତାରିଖ ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବ।

ସମ୍ବନ୍ଧିତ ଖବର