୪ଟି ଜିଲ୍ଳାର କୃଷି କ୍ଷୟକ୍ଷତି ରିପୋର୍ଟ : କାଳବୈଶାଖୀରେ ୨୪ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ
ଏପ୍ରିଲ୍ରେ ୧୦୬.୩%, ମେ’ ଯାଏ ୬୨.୮% ଅଧିକ ବର୍ଷା
ଭୁବନେଶ୍ୱର : କାଳବୈଶାଖୀ ଏବଂ ବର୍ଷା ବିତ୍ପାତରେ ରାଜ୍ୟର ୪ଟି ଜିଲ୍ଲାରେ ୨୪ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖରାଦିନିଆ ଧାନ ଏବଂ ରବି ଅଣଧାନ ଚାଷ ପ୍ରଭାବିତ ହୋଇଛି। ଗତ ଏପ୍ରିଲ୍ ମାସରେ ସ୍ୱାଭାବିକ ପରିମାଣଠାରୁ ୧୦୬.୩ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ଚଳିତ ମେ’ ମାସ ଆଜି ପର୍ଯ୍ୟନ୍ତ ୬୨.୮ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଏପ୍ରିଲ ମାସରୁ ଅଦ୍ୟାବଧି ଘୂର୍ଣ୍ଣିଝଡ଼ ଓ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ନେଇ ବରଗଡ଼, କେନ୍ଦୁଝର, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନମାନଙ୍କରୁ ଆଖିଦେଖା ରିପୋର୍ଟ କୃଷି ବିଭାଗକୁ ଆସିଛି। ବରଗଡ଼ ଜିଲ୍ଲାର ୫୫ଟି ଗ୍ରାମପଞ୍ଚାୟତରେ ସର୍ବାଧିକ ୨୧୬୧୪ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାର ୫୫ଟି ଗ୍ରାମପଞ୍ଚାୟତର ୨୭୬ ହେକ୍ଟର, ବୌଦ୍ଧ ଜିଲ୍ଲାର ୭ଟି ଗ୍ରାମପଞ୍ଚାୟତର ୯୭ ହେକ୍ଟର, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଓ ଉଲୁଣ୍ଡା ବ୍ଲକର ୨୧୧୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ବରଗଡ଼, କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ତେବେ ଏହି ରିପୋର୍ଟରେ ପନିପରିବା, ଫଳ ଆଦି ଚାଷର କ୍ଷୟକ୍ଷତି ଉଲ୍ଲେଖ ହୋଇନାହିଁ।
ଇତି ମଧ୍ୟରେ ରବି ଚାଷ ଆପାତତଃ ସରିଛି। ବର୍ତମାନ ଖରିଫ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମେ ଜମିକୁ ହଳ କରି ପ୍ରସ୍ତୁତ କରାଯାଉଥିବାରୁ କାଳବୈଶାଖୀ ବର୍ଷା ଏ ଦିଗରେ ଅନୁକୂଳ ହୋଇଛି। ରବି ଋତୁର ଅଣଧାନ ଫସଲ ବିଶେଷ କରି ମୁଗ, ବିରି ଫସଲରୁ ଉତ୍ପାଦନ ହାର ବିଗତ ବର୍ଷମାନଙ୍କ ତୁଳନାରେ ଢ଼େର ଅଧିକ ହୋଇଛି। ବିଶେଷ କରି ଉପକୂଳ ଜିଲ୍ଲାମାନଙ୍କରେ ଭଲ(ବମ୍ପର) ଫସଲ ହୋଇଥିବା ଚାଷୀମାନଙ୍କଠାରୁ ଶୁଣିବାକୁ ମିଳିଛି। ଖୋର୍ଧା ଜିଲ୍ଲା ବାଲିପାଟଣାର ସୁମଣା ଗାଁ ଚାଷୀ ବିମ୍ବାଧର ବିଶ୍ୱାଳ ଏଥର ଏକର ଜମିରୁ ପାଖାପାଖି ୭ କ୍ୱିଣ୍ଟାଲ୍ ମୁଗ ପାଇଥିବା କହିଛନ୍ତି। ତେବେ ବର୍ଷା ମାଡ଼ରେ ମୁଗ, ବିରି କେତେକାଂଶରେ ବେରଙ୍ଗ ହୋଇଥିବା ଅଧିକାଂଶ ଚାଷୀ ଅଭିଯୋଗ କରିଛନ୍ତି।