ଉପକୂଳରେ କାଳବୈଶାଖୀ

ଭୁବନେଶ୍ବର : ଦିନରେ ପ୍ରବଳ ତାତି। ଘରୁ ବାହାରିବା ମୁସ୍କିଲ୍‌। ତାପମାତ୍ରା ଯେତିକି ବଢ଼ୁଥିଲା ଗୁଳୁଗୁଳି ବି ସେହି ଅନୁଯାୟୀ ହେଉଥିଲା। ଆଉ ସନ୍ଧ୍ୟାରେ କାଳ‌ବୈଶାଖୀ। ତୁହାକୁ ତୁହା ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଡର। ଆଜି ଉପକୂଳ ଓଡ଼ିଶା ସମେତ କଟକ, ଖୋର୍ଧା ଓ ପୁରୀ ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେପଟେ ପଶ୍ଚିମ ଓ ‌କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ବଢ଼ି ଚାଲିଛି। ଗତକାଲି ୮ଟି ସହରର ତାପମାତ୍ରା‌ ୪୦ ଉପରେ ଥିବାବେଳେ ଆଜି ୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଥିଲା। ତାଳଚେର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୧.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୧.୬, ବଲାଙ୍ଗୀରରେ ୪୧.୫, ମାଲକାନଗିରିରେ ୪୧, ଅନୁଗୁଳରେ ୪୦.୯, ଝାରସୁଗୁଡ଼ାରେ ୪୦.୬ ଡିଗ୍ରି ରହିଥିଲା। କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ହୀରାକୁଦରେ ବି ତାପମାତ୍ରା ବଢ଼ିଛି। ସବୁଠି ୩୮ ଡିଗ୍ରି ପାର୍‌ ହୋଇଥିଲା। କଟକର ତାପମାତ୍ରା ୩୯.୫ ଡିଗ୍ରିରେ ପହଞ୍ଚିଛି। ଭୁବନେଶ୍ବର ତାପମାତ୍ରା ବି ୩୮.୬ ଡିଗ୍ରି ରହିଥିଲା।

୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ଆଶଙ୍କା ରହିଛି। ବିଶେଷକରି ମାଳକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, ଢ଼େଙ୍କାନାଳ, ଝାରସୁଗୁଡ଼ା, ଖୋର୍ଧା ଓ କଟକର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ‌ହୋଇପାରେ। ଏଥିସହ ଯେଉଁ ସ୍ଥାନ ଓ ସମୟରେ କାଳବୈଶାଖୀ ହେବାର ଆଶଙ୍କା ରହିଛି ତାହାର କିଛି ସମୟ ପୂର୍ବରୁ ଲୋକଙ୍କୁ ସତର୍କ କରାଯାଉଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର