ଉପକୂଳ ଓଡ଼ିଶାରେ କାଳବୈଶାଖୀ : ଯାଜପୁର, କେନ୍ଦ୍ରାପଡ଼ାରେ କୁଆପଥର ମାଡ଼

ଭୁବନେଶ୍ବର : ଉପକୂଳ ଓଡ଼ିଶାରେ ଆଜି ଅପରାହ୍‌ଣରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା। ଯାଜପୁରରେ କୁଆପଥର ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଲୋକଙ୍କ ଛପର ଉଡ଼ିଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। କଟକ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଝଡ଼ବର୍ଷା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ବ୍ୟାପକ ‌କ୍ଷତି ହୋଇଛି। ଅପରାହ୍‌ଣ ପ୍ରାୟ ୩ଟା ବେଳେ ହଠାତ୍‌ ପ୍ରବଳ ବେଗରେ ପବନ ଆସିବା ସହ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିଥିଲା। ଏଥିରେ କଚ୍ଚା ଘରର ଛପର ଉଡ଼ିଯିବା ସହ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଛି। ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବି କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଅପରାହ୍‌ଣ ଗୋଟାଏରୁ ଦୁଇଟା ମଧ୍ୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ତୁହାକୁ ତୁହା କୁଆପଥର ବର୍ଷା ହୋଇଥିଲା। ଏହାଦ୍ବାରା ଟମାଟୋ, ବାଇଗଣ, କଲରା, କାକୁଡ଼ି ପ୍ରଭୃତି ଫସଲ କ୍ଷତିଗ୍ରସ୍ତ ହୋଇଥିବା‌ ଜଣାପଡ଼ିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଧା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି। ପରବର୍ତୀ ସମୟରେ ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଧା, ପୁରୀ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାପରେ କିନ୍ତୁ ପାଗ ବଦଳିବ। ୨୨ ତାରିଖଠାରୁ ପୁଣିଥରେ ଦିନର ତାପମାତ୍ରା ବଢ଼ିବ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଟପିଯିବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ଆଜି ଚାନ୍ଦବାଲି ସମେତ କଟକ, ପାରାଦୀପ, ଭୁବନେଶ୍ବର, ଗୋପାଳପୁର, ଭବାନୀପାଟଣାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇଛି। ମାଲକାନଗିରିରେ ପୁଣିଥରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ପାର୍‌ ହୋଇଥିବା ବେଳେ ଭୁବନେଶ୍ବରରେ ୩୬.୭ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର