ଆଜିଠୁ ବଢ଼ିବ କାଳବୈଶାଖୀ ତାଣ୍ଡବ

୧୦ ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ୱର : ଗୁରୁବାରଠାରୁ ପଶ୍ଚିମ ଓଡ଼ିଶାକୁ ଛାଡ଼ି ସାରା ଓଡ଼ିଶାରେ ବଢ଼ିବ କାଳବୈଶାଖୀର ତାଣ୍ଡବ। ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଜିଲ୍ଲାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଉପକୂଳ, ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଆଶଙ୍କା ରହିଛି। ଢେଙ୍କାନାଳ ସମେତ ଅନୁଗୁଳ, ଯାଜପୁର, ଗଞ୍ଜାମ, ଦେବଗଡ଼, ଗଜପତି, ମାଲକାନଗିରି, କୋରାପୁଟ, ଖୋର୍ଧା, ନୟାଗଡ଼, ପୁରୀ ଜିଲ୍ଲାବାସୀଙ୍କୁ ବି ସତର୍କର୍ କରାଯାଇଛି। ଅପରାହ୍ଣ ୩ଟା ପରେ କାଳବୈଶାଖୀ ଦେଖିବାକୁ ମିଳିବ। କେତେକ ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ସହ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଉପକୂଳ ଓଡ଼ିଶାରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ସନ୍ଧ୍ୟାରେ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ଝଡ଼ବର୍ଷା ହୋଇଛି। କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳି ନ ଥିବା ବେଳେ ରିପୋର୍ଟ ଲେଖା ହେଲା ବେଳକୁ ୩ ମି.ମି. ବର୍ଷା ହୋଇଥିବା ଜଣାପଡ଼ିଛି। ସହରର କେତେକ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ସେହିପରି କେନ୍ଦୁଝରରେ ବି ବର୍ଷା ହୋଇଛି। ଏଠାରେ ୩୩ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୨୭ ମି.ମି., ଅନୁଗୁଳରେ ୧୯ ମି.ମି., କୋରାପୁଟରେ ୯ ମି.ମି., ମାଲକାନଗିରିରେ ୮ ମି.ମି. ବର୍ଷା ହୋଇଛି। କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ କି.ମି. ବେଗରେ ପବନ ହୋଇଥିବା ନେଇ ସୂଚନା ମିଳିଛି।

ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଅପରାହ୍ଣ ସମୟରେ କାଳବୈଶାଖୀ ହୋଇପାରେ। କେତେକ ସ୍ଥାନରେ ପବନର ବେଗ ୬୦ କି.ମି. ଟପିବାର ବି ଆଶଙ୍କା ରହିଛି। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ପ୍ରଭାବ ପଡ଼ିବ। ଦିନରେ ତାପମାତ୍ରା ୩୦ରୁ ୩୫ ଡିଗ୍ରି ମଧ୍ୟରେ ରହିବ। ୬ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ପଡ଼ିବାକୁ ଥିବା ବେଳେ ୭ରେ ଉତ୍ତର ଓଡ଼ିଶା, ୮ରେ ଖୋର୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲା, ୯ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ୧୧ ତାରିଖ ଯାଏ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା କୁହାଯାଇଛି। ଏପ୍ରିଲ ୧୪ ଯାଏ ତାପମାତ୍ରା ବଢ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି। ଆଜି ପୁଣିଥରେ ଟିଟିଲାଗଡ଼ର ତାପମାତ୍ରା ୪୧ ଡିଗ୍ରି ଛୁଇଁଛି। ବଲାଙ୍ଗୀରରେ ମଧ୍ୟ ୪୦.୩, ସୋନପୁରରେ ୩୯.୪, ସମ୍ବଲପୁର, ଭବାନୀପାଟଣା ଓ ହୀରାକୁଦରେ ୩୮ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର