୨୮ ଯାଏ ଜାରି ରହିବ କାଳବୈଶାଖୀ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରର ତାପମାତ୍ରା ଆଜି ୪୦ ଡିଗ୍ର୍ରି ତଳକୁ ଖସିଛି। କିଛି ଦିନ ପୂର୍ବରୁ ତତଲାଗଡ଼ ପାଲଟିଥିବା ଟିଟିଲାଗଡ଼ରେ ତାପମାତ୍ରା ୩୮ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସମ୍ବଲପୁର, ଅନୁଗୁଳ, ତାଳଚେର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମାଲକାନଗିରି, ବଲାଙ୍ଗୀର, ସୋନପୁର ସହରର ତାପମାତ୍ରା ବି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। କେବଳ ମାଲକାନଗିରି ସହରର ତାପମାତ୍ରା ୩୯.୪ ଡିଗ୍ରି ରହିଥିଲା। ଅନ୍ୟ ସବୁଠି ତାପମାତ୍ରା ୩୯ ଡିଗ୍ରି ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ସେହିପରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ଜାରି ରହିବ। ବିଶେଷ କରି ମେ’ ୨୩ ଯାଏ ୨୩ ଜିଲ୍ଲାରେ ଏହାର ପ୍ରକୋପ ଅଧିକ ରହିବ ବୋଲି କୁହାଯାଇଛି। ଏହି ସମୟରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ୫୦ରୁ ୬୦ କି.ମି. ବେଗରେ ପବନ ବହିବ। ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି। ଅପରାହ୍‌ଣରୁ ପାଗ ବିଗିଡ଼ି ଯିବ। ରାତିରେ ବର୍ଷା ହେବ। ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଏଭଳି ତାଣ୍ଡବ ଜାରି ରହିବ। କିନ୍ତୁ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସେଭଳି ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରାଯାଇଛି।

ଗତକାଲି ୨୨ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩ରେ ପହଞ୍ଚିଛି। କେନ୍ଦୁଝର ସମେତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ବରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା, ନବରଙ୍ଗପୁର, ଖୋର୍ଧା, ବଲାଙ୍ଗୀର ଜିଲ୍ଲା ପାଇଁ ୨୬ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି ହୋଇଛି। ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର