ସମାଜସେବୀ କାଳୀପ୍ରସାଦ ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ୱର:ବିଜୁ ପଟ୍ଟନାୟକ କଂପ୍ୟୁଟର ଏକାଡ଼େମିର ପ୍ରତିଷ୍ଠାତା କାଳୀପ୍ରସାଦ ସାମନ୍ତରାୟଙ୍କର ଗତକାଲି ସଂନ୍ଧ୍ୟା ୬ଟା ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା।ଗତକାଲି ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍‌ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସେ କିଛି ବର୍ଷ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।

ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍‌ କାଳୀପ୍ରସାଦ ସାମନ୍ତରାୟ ୧୯୬୩ ମସିହା ଡ଼ିସେମ୍ବର ୧୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ଅମଣାକୁଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ସାମନ୍ତରାୟ ଓ ମାତାଙ୍କ ନାମ ହାରାମଣୀ ସାମନ୍ତରାୟ। ସେ ଭୁବନେଶ୍ୱରରେ ସାମ୍ବାଦିକତା ପାଠ୍ୟକ୍ରମ ମହାବିଦ୍ୟାଳୟ ଏବଂ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ।କାଳୀପ୍ରସାଦ ସାମନ୍ତରାୟ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଶ୍ରୀମା ବିଦ୍ୟାପୀଠର ପ୍ରତିଷ୍ଠାତା ମଧ୍ୟ । ସେ ନିଜର ପୈତୃକ ଗ୍ରାମରେ ଏକ ବନ ବିଦ୍ୟାଳୟର ମଧ୍ୟ ପ୍ରତିଷ୍ଠା କରିଥିଲେ।

 

ଝାଡଖଣ୍ଡରେ ଓଡିଆ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦେବାରେ ଶ୍ରୀ ସାମନ୍ତରାୟଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।ତାଙ୍କ ବିୟୋଗରେ ଭୁବନେଶ୍ୱରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର