କାଳିଆ ସହାୟତାରେ ବ୍ୟାଙ୍କ କଣ୍ଟା

ଅଭିଯୋଗ ମିଳିଲେ, କାର୍ଯ୍ୟାନୁଷ୍ଠାନ: କୃଷିମନ୍ତ୍ରୀ

ଭୁବନେଶ୍ବର : ସରକାର ‘କାଳିଆ’ ଯୋଜନାରେ ଚାଷୀଙ୍କୁ ଟଙ୍କା ଦେଉଛନ୍ତି। ଅର୍ଥ ବାଟମାରଣା ହେବନି ବୋଲି ସିଧାସଳଖ ବ୍ୟାଙ୍କ ମାଧ୍ୟମରେ ଆକାଉଣ୍ଟ୍‌କୁ ଟଙ୍କା ଯାଉଛି। କିନ୍ତୁ ସବୁ ଚାଷୀ ଏହି ଟଙ୍କା ଉଠାଇପାରୁ ନାହାନ୍ତି। ବ୍ୟାଙ୍କ ଏବେ ‘ମହାଜନ’ ସାଜି ବାଟ ଓଗାଳୁଛି। ପୂର୍ବରୁ ଚାଷୀ କରିଥିବା ଋଣ ଅର୍ଥ ବାବଦକୁ କାଳିଆ ସହାୟତା ଅର୍ଥକୁ କାଟି ଦେଉଛି। ଫଳରେ ଚାଷୀ ଅସହାୟ ହୋଇପଡ଼ିଛି। ସରକାର ବି କିଛି ଠୋସ୍ ପଦକ୍ଷେପ ନେଇପାରୁ ନାହାନ୍ତି। କେବଳ ବ୍ୟାଙ୍କକୁ ତାଗିଦ୍ କରିବା ବ୍ୟତୀତ ବିକଳ୍ପ ବାଟ ପାଉ ନାହାନ୍ତି।

ଏ ନେଇ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କାଳିଆ ଯୋଜନା ଆରମ୍ଭ ହେଲା ପରେ ଏମିତି ଅଭିଯୋଗ ଆସିଥିଲା। ରାଜ୍ୟ ସରକାର ଏ ନେଇ ବ୍ୟାଙ୍କଗୁଡ଼ିକ ସହ ଆଲୋଚନା କରିଥିଲେ।

କାଳିଆ ସହାୟତା ରାଶିରୁ ହିତାଧିକାରୀଙ୍କ ଋଣ ଟଙ୍କା ବାବଦରେ ଅର୍ଥ ନ କାଟିବାକୁ ରିଜର୍ଭ ବ୍ୟାଙ୍କ ମଧ୍ୟ କ୍ଲିୟରାନ୍ସ ଦେଇଛି। ଯଦି କୌଣସି ବ୍ୟାଙ୍କ ଏହାକୁ ମାନୁ ନାହାନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭବିଷ୍ୟତରେ ଯେପରି ଏମିତି ଅଭିଯୋଗ ନ ଆସେ, ସେଥି ପ୍ରତି ସରକାର ଉଦ୍ୟମ କରୁଛନ୍ତି।

ରାଜ୍ୟ ସରକାର ବ୍ୟାଙ୍କ ଯୋଗେ ସିଧାସଳଖ ଭାବେ(ଡିବିଟି) ନାମମାତ୍ର, ଭାଗଚାଷୀ ଓ କୃଷି ଶ୍ରମିକମାନଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟ ସହାୟତା ଦେଇ ସାରିଛନ୍ତି। ସେପଟେ ବ୍ୟାଙ୍କଗୁଡ଼ିକ ସେଥିରୁ ଚାଷୀମାନଙ୍କ ନାମରେ ଥିବା ଋଣ କାଟି ଚାଲିଛନ୍ତି। ଏପରି କି ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ବହୁସଂଖ୍ୟକ ଋଣୀ ଚାଷୀ କାଳିଆ ଟଙ୍କା ପାଇନଥିବା ଅଭିଯୋଗ ମୁଣ୍ଡ ଟେକିବା ମାତ୍ରେ ଉନ୍ନୟନ କମିସନର ଅସିତ୍‌ ତ୍ରିପାଠୀ ତୁରନ୍ତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଡକାଇଥିଲେ। ଏହି ବୈଠକ ସ୍ବତନ୍ତ୍ର ଭାବେ କାଳିଆ ଯୋଜନାର ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବ୍ୟାଙ୍କଗୁଡ଼ିକ ଋଣ ଆଳରେ କାଳିଆ ଟଙ୍କାରୁ ଋଣ ବାବଦ ରାଶି ନ କାଟିବାକୁ ବ୍ୟାଙ୍କ କର୍ତୃପକ୍ଷମାନଙ୍କୁ ତାଗିଦ୍‌ କରିଥିଲେ ରାଜ୍ୟ ସରକାର। ବ୍ୟାଙ୍କ କର୍ତୃପକ୍ଷମାନେ ସରକାରଙ୍କ ନିର୍ଦେଶକୁ ମାନିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ବୈଠକ ପରେ ରାଜ୍ୟ ସରକାରଙ୍କ ନିର୍ଦେଶକୁ ଫୁ କରି ବ୍ୟାଙ୍କ କର୍ତୃପକ୍ଷମାନେ ଉଡ଼ାଇ ଦେଲେ। ରାଜ୍ୟ ସରକାର ୨ୟ ଓ ୩ୟ ଥର କାଳିଆ ଯୋଜନାରେ ଟଙ୍କା ବ୍ୟାଙ୍କ ଜରିଆରେ ପଠାଇଲେ ବି ବ୍ୟାଙ୍କଗୁଡ଼ିକ ସେଥିରୁ ଋଣ ଅର୍ଥ କାଟିନେଲେ। ବ୍ୟାଙ୍କ କର୍ମକର୍ତାମାନଙ୍କ କହିବାନୁଯାୟୀ ସେମାନେ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଯେଉଁ ଅକାଉଣ୍ଟଧାରୀମାନଙ୍କର ଋଣ ଅଛି, ସେହି ଋଣ ରାଶି ଆଗେ କାଟିବାର ନିୟମ ରହିଛି।

ସମ୍ବନ୍ଧିତ ଖବର