କାଳିଆ ଯୋଜନା ବନ୍ଦ ପ୍ରସଙ୍ଗ : ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲା ବିଜେଡି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଚାଲୁଥିବା ବେଳେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀଙ୍କ ସହାୟତାକୁ ବନ୍ଦ କରିଦିଆଯିବା ପ୍ରସଙ୍ଗରେ ଆଜି ବିଜେଡି ଇସି (ନିର୍ବାଚନ କମିସନ୍)ଙ୍କ ଦ୍ବାରସ୍ଥ ହୋଇଛି। ବିଜେଡିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ଆଜି ଭାରତୀୟ ନିର୍ବାଚନ କମିସନ୍‌ଙ୍କୁ ସାକ୍ଷାତ କରି ଏବାବଦରେ ହସ୍ତକ୍ଷେପ ଲୋଡ଼ିଛନ୍ତି। କାଳିଆ ଯୋଜନାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପିର ଚାପରେ ବନ୍ଦ କରିଦେଇଛନ୍ତି ବୋଲି ଭାରତୀୟ ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି। ପ୍ରତିନିଧିମଣ୍ଡଳ ଦ୍ବାରା ନିର୍ବାଚନ କମିସନ୍‌ଙ୍କୁ କାଳିଆ ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ କରାଯିବା ସହ ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ୩୭ ଲକ୍ଷ ଚାଷୀ (ଭାଗ ଚାଷୀ/ଭୂମିହୀନ ଚାଷୀ) ଉପକୃତ ହୋଇସାରିଛନ୍ତି ଏବଂ ଏବାବଦରେ ୧୮୫୦ କୋଟି ଟଙ୍କା ଦିଆସାରିଛି ବୋଲି କୁହାଯାଇଥିଲା। ରାଜ୍ୟ ସରକାର ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ କାଳିଆ ଯୋଜନାକୁ ଆରମ୍ଭ କରିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ୨୫.୩୪ ଲକ୍ଷ ହିତାଧିକାରୀ ମାନଙ୍କ ତାଲିକା ପଞ୍ଚାୟତରେ ନୋଟିସ୍ ବୋର୍ଡରେ ପ୍ରସ୍ତୁତ କରାଯାଇସାରିଥିଲା। ଆବଶ୍ୟକୀୟ ଆର୍ଥିକ ଓ ପ୍ରଶାସନିକ ଅନୁମୋଦନ ମଧ୍ୟ ନିଆଯାଇସାରିଥିଲା। ହିତାଧିକାରୀମାନଙ୍କୁ ସହାୟତା ଅର୍ଥ ପ୍ରଦାନ ପାଇଁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ଲୋଡ଼ା ଯାଇଥିଲା। କିନ୍ତୁ ଏଥିପାଇଁ ଅନୁମତି ମିଳିନଥିଲା ବୋଲି ସଙ୍ଗିନ ଅଭିଯୋଗ ଆଣିଛି ବିଜେଡି। ଦୀର୍ଘ ୪୫ ମିନିଟ ଧରି ବିଜେଡି ପ୍ରତିନିଧିମଣ୍ଡଳ ଦ୍ବାରା କମିସନ୍‌ଙ୍କ ନିକଟରେ କାଳିଆ ଯୋଜନା ରୋକିବା ଦିଗରେ ଆଦୌ ନିୟମ ପାଳନ ହୋଇନି ବୋଲି କୁହାଯାଇଥିଲା। ଆଇନ ଅନୁସାରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ବେଳେ ଯଦି କିଛି ପ୍ରଚଳିତ ଯୋଜନା ରହିଛି, ସେହି ଯୋଜନା ବନ୍ଦ ହେବ ନାହିଁ କିନ୍ତୁ କିଛି ନୂଆ ଯୋଜନା ଆରମ୍ଭ ହେବ ନାହିଁ କିମ୍ବା ନୂଆ ହିତାଧିକାରୀ ମାନଙ୍କୁ ଯୋଡ଼ା ଯିବ ନାହିଁ ବ୍ୟବସ୍ଥା ରହିଛି ବୋଲି ପ୍ରତିନିଧି ମଣ୍ଡଳଙ୍କ ଦ୍ବାରା କୁହାଯାଇଥିଲା। ହେଲେ ରାଜ୍ୟ ସରକାର ନିର୍ବାଚନ ଆଚରଣ ବିଧି ପୂର୍ବରୁ କାଳିଆ ଯୋଜନା କରିଥିଲେ ମଧ୍ୟ ଏହାକୁ ବନ୍ଦ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖର କଥା ବୋଲି ପ୍ରତନିଧି ମଣ୍ଡଳ ଆୟୋଗଙ୍କ ପାଖରେ କ୍ଷୋଭ ପ୍ରକାଶ କରିଥିଲେ। ଏତଦ୍ ବ୍ୟତୀୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଏବେ ବି ନୂଆ ହିତାଧିକାରୀମାନଙ୍କ ନାମ ପ୍ରତ୍ୟେକ ଦିନ ଯୋଡ଼ି ଦିଆଯାଉଥିବା ବେଳେ ବହୁ ଦିନ ପୂର୍ବରୁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାରେ ନିୟମ ପାଳନ କରାଯାଉ ନାହିଁ ବୋଲି ପ୍ରତିନିଧି ମଣ୍ଡଳ କହିଛନ୍ତି। ଲକ୍ଷ ଲକ୍ଷ ଚାଷୀଙ୍କ ସ୍ବାର୍ଥକୁ ବଳି ଚଢ଼ାଇ ଦିଆଯାଉଛି। ଚାଷୀମାନେ ହତାଶ ଓ ନିରାଶ ଅଛନ୍ତି। କାଳିଆ ଯୋଜନାରେ ନୂଆ ହିତାଧିକାରୀ ମାନଙ୍କୁ ଯୋଡ଼ାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ କହୁଥିବା ବେଳେ ଉଜ୍ଜ୍ବଳା କିମ୍ବା ନୂଆ ପେଟ୍ରୋଲପମ୍ପ ଆବଣ୍ଟନ ପାଇଁ ବିଜ୍ଞାପନ ଆମନ୍ତ୍ରଣ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେଡି।

ଏହି ପ୍ରସଙ୍ଗରେ ଭାରତୀୟ ନିର୍ବାଚନ କମିସନ୍‌ ରାଜ୍ୟ ସରକାର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ସମ୍ପୂର୍ଣ୍ଣ ତଥ୍ୟ ଲୋଡ଼ିଛନ୍ତି ଏବଂ କମିସନ୍‌ ଖୁବ୍ ଶୀଘ୍ର ଏବାବଦ ନିଷ୍ପତ୍ତି ନେ‌େବ ବୋଲି ପ୍ରତିନିଧି ମଣ୍ଡଳକୁ ଆଶ୍ବାସନା ଦେଛେନ୍ତି ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର।

ଏତଦ୍ବ୍ୟତୀତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଯେଉଁ ସବୁ ପ୍ରସଙ୍ଗ ଗୁଡ଼ିକରେ ପୂର୍ବରୁ ଦୃଷ୍ଟି ଆକର୍ଷଣ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ସେନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କୌଣସି ପଦକ୍ଷେପ ନନେଇଥିବାର ମଧ୍ୟ ଆଜି ଅଭିଯୋଗ ହୋଇଥିଲା। ବିଜେଡି ପ୍ରତିନିଧିମଣ୍ଡଙ୍କ ଦ୍ବାରା ମାର୍ଚ୍ଚ ୧୮, ୨୦୧୯ରେ ବିଜେପି ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀରେ ନକଲି ଗୁଇନ୍ଦା ରିପୋର୍ଟକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଦର୍ଶିତ କରାଯିବା, େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପେଟ୍ରୋଲପମ୍ପ ଓ ଗ୍ୟାସ ଏଜେନ୍ସି ଗୁଡ଼ିକର ବ୍ୟବହାର କରାଯିବା, ନିର୍ବାଚନ ଉଦ୍ଦେଶ୍ୟରେ ବିଜେପି ଶାସନାଧୀନ କେନ୍ଦ୍ର ସରକାରଙ୍କ ହୋର୍ଡିଂ ଓ ବ୍ୟାନରକୁ ନହଟାଇବା, ଉଜ୍ଜ୍ବଳା ଯୋଜନାରେ ନୂଆ ହିତାଧିକାରୀ ମାନଙ୍କୁ ଯୋଡ଼ିବା ସହିତ ହିତାଧିକାରୀଙ୍କ କିଟ୍‌‌ରେ ବିଜେପି ନେତାଙ୍କ ଫଟୋ ଲଗାଇ ପ୍ରଚାର କରିବା, ବିଜେଡିର କାର୍ଯ୍ୟକ୍ରମକୁ ଦୂରଦର୍ଶନ ସମାଚାରରେ ଜାଣିଶୁଣି ପ୍ରସାରଣ ନକରିବା, ଭୋଟର ମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ପ୍ରତିଶ୍ରୁତି ଦେବା ଭଳି ଅଭିଯୋଗକୁ ନେଇ ବିଜେଡି ଦ୍ବାରା ଆଜି ଭାରତୀୟ ନିର୍ବାଚନ କମିସନ୍‌ଙ୍କୁ ଅବଗତ କରାଯାଇ ହସ୍ତକ୍ଷେପ ଲୋଡ଼ାଯାଇଥିଲା।

ବିଜେଡି ପ୍ରତିନିଧି ମଣ୍ଡଳରେ ବିଜେଡି ସାଂସଦ ପିନାକୀ ମିଶ୍ର, ବିଜେଡିର ଆଇଟି ଵିଙ୍ଗର ଅଧ୍ୟକ୍ଷ ତଥା ମୁଖପାତ୍ର ଡକ୍ଟର ଅମର ପଟ୍ଟନାୟକ, ବିଜୁ ମହିଳା ଦଳର କାର୍ଯ୍ୟକାରୀ ସଭାପତି ସୁ‌େଲାଚନା ଦାସ, ବିଜେଡିର ମୁଖପାତ୍ର ଡକ୍ଟର ସସ୍ମିତ୍ ପାତ୍ର, ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରି, ବିଜୁ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ପାତ୍ର ସମେତ ଅନେକ କୃଷକ ପ୍ରତିନିଧି ମଧ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର