୧୫ରେ ଭୂମିହୀନ କୃଷି ଶ୍ରମିକଙ୍କୁ ମିଳିବ ୫ ହଜାର

୨୨ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ୟ ପର୍ଯ୍ୟାୟ ସହାୟତା

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ଭୂମିହୀନ କୃଷି ଶ୍ରମିକମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ୨୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ। ହିତାଧିକାରୀମାନଙ୍କୁ ସେମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ(ଡିବିଟି) ଆର୍ଥିକ ରାଶି ପଠାଯିବ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ସ୍ତରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ‘କାଳିଆ’ ଯୋଜନାରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି।

ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଲେ ଯେ, ଭୂମିହୀନ କୃଷି ଶ୍ରମିକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହା ଦ୍ବାରା ରାଜ୍ୟର ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ। ପ୍ରତି ହିତାଧିକାରୀଙ୍କୁ ସମୁଦାୟ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପରବର୍ତୀ ୨ଟି ପର୍ଯ୍ୟାୟରେ ସେମାନଙ୍କୁ ଅବଶିଷ୍ଟ ସହାୟତା ରାଶି ଆବଣ୍ଟନ କରାଯିବ। ରାଜ୍ୟର ପ୍ରାୟ ୧୩ରୁ ୧୪ ଲକ୍ଷ ପର୍ଯ୍ୟନ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆସନ୍ତା ୨୨ ତାରିଖରୁ ୨ୟ ପର୍ଯ୍ୟାୟ କାଳିଆ ଅର୍ଥ ପ୍ରଦାନ କରାଯିବ। ପୂର୍ବରୁ ଗତ ଜାନୁଆରି ମାସ ୨୫ ତାରିଖରେ ପ୍ରାୟ ୧୨ ଲକ୍ଷ ୪୫ ହଜାର ୬୦୦ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିଥିଲା। କେବଳ ଆର୍ଥିକ ସହାୟତା ନୁହେଁ, ଭୂମିହୀନ କୃଷି ଶ୍ରମିକମା‌େନ ଯେପରି ନିଜ ନିଜ ଜୀବିକା ନିର୍ବାହ କରିପାରିବେ ସେଥିପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ‌େନଇ ଆସନ୍ତା ୧୪ ତାରିଖରେ ରାଜ୍ୟସ୍ତରୀୟ ସଚେତନତା ଶିବିର ଆୟୋଜନ କରାଯିବ ବୋଲି କୃଷି ନିର୍ଦେଶକ ଡ. ମୁଥୁକୁମାର ସୂଚନା ଦେଇଥିଲେ। ହିତାଧିକାରୀମାନଙ୍କୁ ପଞ୍ଚାୟତ ସ୍ତରରେ ତାଲିମ ଦିଆଯିବ। ଏଥିପାଇଁ ପ୍ରାୟ ୫ କୋଟିର ଖର୍ଚ ଅଟକଳ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟତଃ ପଶୁପାଳନ, ବତକ ଓ କୁକୁଡ଼ା ଫାର୍ମ, ଛତୁଚାଷ, ମହୁଚାଷ, କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟଚାଷ ଆଦି ସ୍ଥାନ ପାଇବ। ହିତାଧିକାରୀଙ୍କୁ ନିଜ ପସନ୍ଦ ଅନୁଯାୟୀ ତାଲିମ ଓ ବୈଷୟିକ ସହଯୋଗ ଯୋଗାଇ ଦିଆଯିବ।
ଦରଖାସ୍ତଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରି ନିର୍ଧାରିତ ସମୟସୀମା ମଧ୍ୟରେ ହିତାଧିକାରୀ ତାଲିକା ଚୂଡ଼ାନ୍ତ କରିବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କୃଷି ବିଭାଗ ଓ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ। ଏହା ସହିତ ହିତାଧିକାରୀମାନଙ୍କର ପ୍ରକୃତ ପରିଚୟ ଓ ବ୍ୟାଙ୍କ ଆକାଉଣ୍ଟ ଆଦି ସଠିକ୍‌ କରିବାକୁ ମଧ୍ୟ ସେ କହିଥିଲେ। ଏହି ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ କୃଷି, ମତ୍ସ୍ୟ ଓ ପଶୁପାଳନ, ଉଦ୍ୟାନ କୃଷି, ଜଳସଂପଦ ଓ ସମବାୟ ବିଭାଗଗୁଡ଼ିକ କ୍ଷେତ୍ରସ୍ତରରେ ସମନ୍ବିତ ଭା‌େବ କାର୍ଯ୍ୟ କରିବାକୁ ଉନ୍ନୟନ କମିସନର ଅସିତ୍‌ ତ୍ରିପାଠୀ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର