ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା

‘ବାଲିଯାତ୍ରା ଓଡ଼ିଆ ସଂସ୍କୃତିର ପରିଚୟ: ମୁଖ୍ୟମନ୍ତ୍ରୀ’

ପାରାଦୀପ : ପାରାଦୀପଠାରେ କଳିଙ୍ଗ ବାଲିଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି ଯେ, ବାଲିଯାତ୍ରା ହେଉଛି ଓଡ଼ିଆ ସଂସ୍କୃତିର ଏକ ପରିଚୟ। ଯାହାକି, ଓଡ଼ିଆମାନଙ୍କୁ ଏକତ୍ରିତ ହେବାକୁ ପ୍ରେରଣା ଯୋଗାଉଛି। ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ ଆଦୌ ସାଲିସ୍‌ କରାଯିବା ଉଚିତ୍‌ ନୁହେଁ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କୃଷିମନ୍ତ୍ରୀ ଦାମୋଦର ରାଉତ ସଭାପତିତ୍ୱ କରିଥିଲେ। ମନ୍ତ୍ରୀ ଶ୍ରୀ ରାଉତ ବାଲିଯାତ୍ରା ମହୋତ୍ସବର ସ୍ମୃତିଚାରଣ କରିଥିଲେ। ସେ କହିଥିଲେ ଯେ, ୧୯୯୨ ମସିହାରେ ବାଲିଦ୍ଵୀପକୁ ୭ ଜଣିଆ ନାବିକଙ୍କୁ ନେଇ ଏକ କ୍ଷୁଦ୍ର ପାଲଟଣା ନୌକାରେ ଯାତ୍ରା ଆରମ୍ଭ ହୋଇଥିଲା। ଯେଉଁଥିରେ ନିବେଦିତା ଆଚାର୍ଯ୍ୟ ନାମ୍ନୀ ଜଣେ ନବମ ଶ୍ରେଣୀର ଛାତ୍ରୀ ସାଧବାଣୀ ସାଜି ବୋଇତରେ ଯାଇଥିଲେ। ଏହି ପାଲଟଣା ବୋଇତ ୧୭ ସପ୍ତାହରେ ୫୮୧୦ ନଟିକାଲ ମାଇଲ ଯାତ୍ରା କରିଥିଲା। ପାରାଦୀପରୁ ୧୯୯୨ ନଭେମ୍ବର ୧୦ରୁ ଏହି ଯାତ୍ରା ଆରମ୍ଭ ହୋଇ ୧୯୯୩ ଜାନୁଆରୀ ୩୦ରେ ଇଣ୍ଡୋନେସିଆରେ ପହଞ୍ଚିଥିଲା। ଏହା ପରଠାରୁ ହିଁ ବାଲିଯାତ୍ରାକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ତେବେ, ବାଲିଯାତ୍ରାରେ କୌଣସି ରାଜନୀତି ନ ପୂରାଇ ସମସ୍ତେ ସହଯୋଗ କରିବା ପାଇଁ ମନ୍ତ୍ରୀ ଶ୍ରୀ ରାଉତ ଆହ୍ଵାନ ଦେଇଥିଲେ।

ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲିଯାତ୍ରା ଖୁବ୍‌ କମ୍‌ଦିନ ମଧ୍ୟରେ ସାରାରାଜ୍ୟରେ ପ୍ରସିଦ୍ଧି ହାସଲ କରିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ କୁଳମଣି ସାମଲ, ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି, ବିଧାୟିକା ରାଜଶ୍ରୀ ମଲ୍ଲିକ, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଆକାଶ ଦାଶ ନାୟକ, ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ, ପୌରପାଳିକା କାର୍ଯ୍ୟନିର୍ବାହୀ ଦିଲ୍ଲୀପ ମହାନ୍ତି, ଯୁବ ନେତା ସମ୍ବିତ ରାଉତରାୟ ଓ ନଗର ସଭାପତି ସୁମନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଶଙ୍ଖୁଆ, ପାଇକ ଓ ସମ୍ବଲପୁରୀ ନୃତ୍ୟ ଆଦିର ବ୍ୟବସ୍ଥା କରାଯାଇଥିଲା। ଏହାସହ ସାଧବ ପୁଅ ଓ ବୋହୂ ବେଶ ହୋଇ ଯୁବକ ଯୁବତୀମାନେ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ଉପରୁ ପାଛୋଟି ଆଣିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ପାରାଦୀପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ନିଜେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟ ନାରାୟଣ ପଙ୍କଜ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଶେଷରେ, ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର