ମହଙ୍ଗା ପଡ଼ିଲା ବିଧାୟକଙ୍କୁ ଦୁର୍ବ୍ୟବହାର : ଚିକିତ୍ସା ପାଣ୍ଠି ମାର୍ଗଦର୍ଶିକାକୁ ପାଳନ କରିବାକୁ ନିର୍ଦ୍ଦେଶ

ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍‌ ପଡ଼ିଲା କଳିଙ୍ଗ ହସ୍ପିଟାଲ୍‌

ଭୁବନେଶ୍ବର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ୍‌ରେ ଦୁର୍ବ୍ୟବହାର ପ୍ରଦର୍ଶନ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସ୍‌ଟିଏଫ୍‌) ତାଲିକାରୁ ହସ୍ପିଟାଲ୍‌କୁ ବାଦ୍ ଦିଆଯାଇଛି। ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେଇଛନ୍ତି।

କିଛି ଦିନ ତଳେ କେନ୍ଦୁଝରରେ ଜଣେ ବ୍ୟକ୍ତି କଳିଙ୍ଗ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲା ବେଳେ ମୃତ୍ୟୁବରଣ କରିଥିଲେ। ସେ ଓଏସ୍‌ଟିଏଫ୍ ଅର୍ଥରୁ ଚିକିତ୍ସିତ ହେଉଥିଲେ। ତାହା ସତ୍ତ୍ବେ ତାଙ୍କର ଚିକିତ୍ସା ଅର୍ଥ ବାକି ରହିଥିବା ଦର୍ଶାଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମୃତଦେହକୁ ଛାଡ଼ୁ ନାହାନ୍ତି ବୋଲି ପରିବାର ଲୋକ ବିଧାୟକ ଶ୍ରୀ ମାଝୀଙ୍କୁ ଜଣାଇଥିଲେ। ଶ୍ରୀ ମାଝୀ ହସ୍ପିଟାଲ୍‌ ଯାଇ ଏ ନେଇ ଆଲୋଚନା କରିଥିଲା ବେଳେ ହସ୍ପିଟାଲ୍‌ର ଅଧିକାରୀମାନେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ଶ୍ରୀ ମାଝୀ ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ।

ଆଜି ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜଣାଇଥିଲେ, ବାଚସ୍ପତିଙ୍କ ରୁଲିଂ ଅନୁଯାୟୀ ୪ ଜଣିଆ କମିଟି ଗଠନ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଆଧାରରେ କଳିଙ୍ଗ ହସ୍ପିଟାଲ୍‌ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲ୍‌କୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସ୍‌ଟିଏଫ୍‌) ତାଲିକାରୁ ବାଦ୍ ଦିଆଯାଇଛି। ସେହିପରି ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ୍‌ ଯେଉଁମାନେ କି ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରେ ତାଲିକାଭୁକ୍ତ ହୋଇଛନ୍ତି, ସେହିସବୁ ହସ୍ପିଟାଲ୍‌ଗୁଡ଼ିକ ଯେପରି ଓଏସ୍‌ଟିଏଫ୍‌ର ମାର୍ଗଦର୍ଶିକାକୁ ନିୟମନିଷ୍ଠ ଭାବେ ପାଳନ କରିବା ପାଇଁ ଏବଂ ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ଘଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ତଦାରଖ କରିବା ନିମନ୍ତେ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର