କଳିଙ୍ଗ ଶିକ୍ଷା ସାଥୀ ଯୋଜନା ବାଟବଣା : ୧% ସୁଧହାରରେ ମିଳୁନି ଋଣ!

ଦେଢ଼ ବର୍ଷରେ ମାତ୍ର ୨୭୦୦ ଛାତ୍ରଛାତ୍ରୀ ଉପକୃତ
ଉଚ୍ଚଶିକ୍ଷା ବିଭାଗ ପାଖରେ ୯ ମାସର ତଥ୍ୟ ନାହିଁ
ବାରମ୍ବାର ତାଗିଦ୍‌ ପରେ ବି ସହଯୋଗ କରୁନାହାନ୍ତି ବ୍ୟାଙ୍କ

ଭୁବନେଶ୍ୱର : ମାତ୍ର ୧% ସୁଧହାରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ। ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ଲାଗି କମ୍‌ ସୁଧହାରରେ ଋଣ ପ୍ରଦାନ ଉଦ୍ଦେଶ୍ୟରେ ୨୦୧୬ ଜୁନ୍‌ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଶିକ୍ଷା ସାଥୀ ଯୋଜନା(କେଏସ୍‌ଏସ୍‌ଓ୍ଵାଇ)ର ଶୁଭାରମ୍ଭ କରିଥିଲେ। ଇତି ମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଯୋଜନାର ସୁଫଳ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିନି। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଓ ବ୍ୟାଙ୍କଗୁଡ଼ିକର ଅସହଯୋଗ ଏହି ଯୋଜନାକୁ ବାଟବଣା କରିସାରିଲାଣି। ଫଳରେ ଅନେକ ମେଧାବୀ ଗରିବ ଛାତ୍ରଛାତ୍ରୀ ଋଣ ନେବାରୁ ବଞ୍ଚିତ ହେଉଛନ୍ତି।

ଦେଢ଼ ବର୍ଷ ମଧ୍ୟରେ ମାତ୍ର ୨୭୦୦ ଛାତ୍ରଛାତ୍ରୀ ଏହି ଯୋଜନାରେ ୧% ସୁଧହାରରେ ଋଣ ନେଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ୍‌ ସାଙ୍ଗକୁ ବ୍ୟାଙ୍କଗୁଡ଼ିକର ସମୀକ୍ଷା ବୈଠକ ପରେ ବି କୌଣସି ସୁଫଳ ମିଳିନି। ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଲାଣି। ଅଭିଭାବକମାନେ ସିଧାସଳଖ ବ୍ୟାଙ୍କଗୁଡ଼ିକୁ ଦାୟୀ କରୁଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ଋଣ ଆଣିବାକୁ ଯିବା ସମୟରେ ବ୍ୟାଙ୍କଗୁଡ଼ିକ ସହଯୋଗ କରୁନାହାନ୍ତି। ଏ ନେଇ ୩ ମାସ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କଗୁଡ଼ିକୁ ଘେରାଉ କରିବା ସହ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତଥାପି ଏହାର କୌଣସି ସୁଫଳ ମିଳିନାହିଁ।

ଶିକ୍ଷାବିତ୍‌ମାନେ କିନ୍ତୁ ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ଦାୟୀ କରିଛନ୍ତି। ସେମାନଙ୍କର କହିବା କଥା ହେଉଛି, ୧% ସୁଧହାରରେ ଋଣ ପ୍ରଦାନ ସମ୍ପର୍କରେ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ଅବଗତ ହୋଇପାରି ନାହାନ୍ତି। ଅନେକ ମେଧାବୀ ଛାତ୍ରଛାତ୍ରୀ ଏବେ ବି ଉଚ୍ଚତର ଶିକ୍ଷା ଲାଗି ଅଧିକ ସୁଧହାରରେ ବ୍ୟାଙ୍କରୁ ଋଣ ନେଉଛନ୍ତି। ବ୍ୟାଙ୍କ କର୍ତୃପକ୍ଷ ସେମାନଙ୍କୁ ଅବଗତ କରାଉ ନାହାନ୍ତି।

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, କେଏସ୍‌ଏସ୍‌ଓ୍ଵାଇରେ ୨୦୧୭ ଏପ୍ରିଲ ୧ରୁ ୨୦୧୮ ଜାନୁଆରି ମାସ ମଧ୍ୟରେ ରାଜ୍ୟର ପ୍ରାୟ ୨୭୦୦ ଛାତ୍ରଛାତ୍ରୀଙ୍କୁ ୧% ସୁଧହାରରେ ବ୍ୟାଙ୍କରୁ ଶହେ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି। ୨୦୧୭ ଡିସେମ୍ବର ସୁଦ୍ଧା ନିମ୍ନ ଆୟ ବର୍ଗ(ବାର୍ଷିକ ୪.୫୫ ଲକ୍ଷ ଟଙ୍କା)ରେ ୧,୮୫୩ ଛାତ୍ରଛାତ୍ରୀଙ୍କୁ ୬୮ କୋଟି ୯୮ ଲକ୍ଷ ଟଙ୍କାର ଋଣ ଓ ଉଚ୍ଚ ଆୟ ବର୍ଗ(ବାର୍ଷିକ ୪.୫ ଲକ୍ଷରୁ ୬ ଲକ୍ଷ ଟଙ୍କା)ରେ ମାତ୍ର ୮୪୨ ଜଣ ଛାତ୍ରଛାତ୍ରୀଙ୍କୁ ୩୧ କେଟି ୭୭ ଲକ୍ଷ ଟଙ୍କାର ଋଣ ଦିଆଯାଇଛି।ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୬ ଜୁନ୍‌ ମାସରେ ଏହି ଯୋଜନା ଆରମ୍ଭ ହୋଇଥିଲା। ସେବେଠାରୁ ୨୦୧୭ ମାର୍ଚ୍ଚ ମାସ ମଧ୍ୟରେ କେତେ ଛାତ୍ରଛାତ୍ରୀଙ୍କୁ ୧% ସୁଧହାରରେ ଶିକ୍ଷା ଋଣ ଦିଆଯାଇଛି ସେନେଇ ବ୍ୟାଙ୍କଗୁଡ଼ିକ ତଥ୍ୟ ଦେଇନାହାନ୍ତି। ବିଭାଗ ପକ୍ଷରୁ ଏନେଇ ବାରମ୍ବାର ବ୍ୟାଙ୍କଗୁଡ଼ିକୁ ଚିଠି ଲେଖାଯାଉଛି। ସରକାରୀସ୍ତରରେ ବି ସମୀକ୍ଷା ହୋଇଛି। କିନ୍ତୁ ବ୍ୟାଙ୍କଗୁଡ଼ିକ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଏବେ ପୁଣିଥରେ ଚିଠି ଲେଖାଯାଇ ଫେବ୍ରୁଆରି ୨୮ ସୁଦ୍ଧା ବ୍ୟାଙ୍କଗୁଡ଼ିକ ତଥ୍ୟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି।ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ଆଗକୁ ନାମଲେଖା ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଯୋଜନା ସମ୍ପର୍କରେ ଅଧିକ ସଚେତନତା କରିବାକୁ ନିଷ୍ପତ୍ତି ହୋଇଛି। ନାମଲେଖା ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ କାଉନସେଲିଂ କରିବେ। ଯୋଗ୍ୟ ଛାତ୍ରଛାତ୍ରୀ ଆବେଦନ କରିବା କ୍ଷଣି ଯେପରି ଋଣ ପାଇପାରିବେ ସେନେଇ ପ୍ରାଥମିକତା ଦିଆଯିବ।

ଯୋଜନା ମାଧ୍ୟମରେ ଜଣେ ଛାତ୍ର କିମ୍ବା ଛାତ୍ରୀ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ସର୍ବନିମ୍ନ ଋଣ ନେଇ ନିୟମରେ କିଛି ବି ଉଲ୍ଲେଖ କରାଯାଇ ନାହିଁ। ୭.୫ ଲକ୍ଷ ଟଙ୍କାର ଋଣ ନେଇଥିବା ଛାତ୍ରଛାତ୍ରୀ ପରିଶୋଧ ଲାଗି ୧୦ ବର୍ଷ ଓ ୧୦ ଲକ୍ଷ ଟଙ୍କାର ଋଣ ନେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ପରିଶୋଧ ସମୟ ସୀମାକୁ ୧୫ ବର୍ଷ ରଖାଯାଇଛି। ନିୟମ ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିବେ ସେମାନେ ଓଡ଼ିଶାର ନାଗରିକ ହୋଇଥିବା ଆବଶ୍ୟକ। ୬ ଲକ୍ଷ ଟଙ୍କା ଭିତରେ ବାର୍ଷିକ ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କର ନିୟମ ଅନୁଯାୟୀ ଋଣ ଦିଆଯିବ।

ସମ୍ବନ୍ଧିତ ଖବର