ଭୁବନେଶ୍ୱର : କେବଳ ମ୍ୟାନେଜମେଣ୍ଟ, ଇଣ୍ଟିଗ୍ରେଟେଡ୍ ଲ, ଇଞ୍ଜିନିୟରିଂ କିମ୍ବା ମେଡିସିନ୍ ନୁହେଁ, ଏଣିକି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦିଆଯାଉଥିବା ସମସ୍ତ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଉପଲବ୍ଧ ହେବ। ୧ ପ୍ରତିଶତ ସୁଧରେ ଛାତ୍ରଛାତ୍ରୀମାନଙ୍କୁ ଋଣ ଯୋଗାଇ ଦେବେ ବ୍ୟାଙ୍କ। ଆଜି ରାଜ୍ୟ କ୍ୟାବିନେଟ୍ କଳିଙ୍ଗ ଶିକ୍ଷା ସାଥୀ ସୁଧ ରିହାତି ପ୍ରସ୍ତାବରେ ପରିବର୍ତ୍ତନ ଆଣି ଏଭଳି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶା ଅବକାରୀ କର୍ମଚାରୀଙ୍କୁ ଖୁସି କରିବା ଲାଗି କ୍ୟାବିନେଟ୍ ଓଡ଼ିଶା ଅବକାରୀ ସେବା ନିୟମରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ରିହାତି ସୁଧରେ ଛାତ୍ରଛାତ୍ରଙ୍କୁ ଶିକ୍ଷାଋଣ ପ୍ରଦାନ କରୁଛନ୍ତି। ଏହି ଯୋଜନା ୪ଟି ବିଷୟ ପାଇଁ ପ୍ରଯୁଜ୍ୟ ଥିଲା। କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି, ଏହା ଯୋଜନା ଏବେ ସମସ୍ତ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବ। ଛାତ୍ରଛାତ୍ରୀମାନଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଛାତ୍ରଛାତ୍ରୀମାନେ ୧୦ ବର୍ଷ ପରିବର୍ତେ ଏଣିକି ଋଣ ପରିଶୋଧ ସ୍ଥଗନ ଅବଧି (ମୋରାଟୋରିୟମ୍ ପିରିୟଡ) ସହିତ ୧୫ ବର୍ଷରେ ଏହି ଅର୍ଥ ପରିଶୋଧ କରିବେ। ୨୦୧୬ ଏପ୍ରିଲ ପହିଲା ବା ତା’ ପରେ ଏହି ଯୋଜନାରେ ମଞ୍ଜୁରିପ୍ରାପ୍ତ ଶିକ୍ଷାଋଣ ପାଇଁ ମଧ୍ୟ ଏହା ଲାଗୁ ହେବ।
ଓଡ଼ିଶା ଅବକାରୀ ସେବା (ଅଫିସର ନିଯୁକ୍ତି ଚୟନ ଓ ସେବା ସର୍ତ୍ତାବଳି) ନିୟମ, ୨୦୦୨ର ପୁନଃ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ କହିଥିଲେ, ଓଡ଼ିଶାରେ ମୋଟ ୩୧ଟି ଅବକାରୀ ଅଧୀକ୍ଷକ ପଦବି ରହିଛି। ଏଥି ମଧ୍ୟରୁ ୫୦% ପଦବି ଅବକାରୀ ଉପ ଅଧୀକ୍ଷକଙ୍କୁ ପଦୋନ୍ନତି ଭିତ୍ତିରେ ପୂରଣ ହୋଇଥାଏ। ବାକି ୫୦% ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରୁ ଯାଇଥାନ୍ତି। କିନ୍ତୁ ଏବେ ଓଏଏସ୍ କ୍ୟା଼ଡର ପୁନଃ ନିର୍ଧାରଣ ବେଳେ ଅବକାରୀ ଅଧୀକ୍ଷକ ପଦବି ବ୍ୟବସ୍ଥା ନାହିଁ। ଏଣୁ ଏ କ୍ଷେତ୍ରରୁ ଅବକାରୀ ବିଭାଗକୁ ଅଧିକାରୀ ଯିବା ସମ୍ଭବ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ଆଜି କ୍ୟାବିନେଟ୍ ସ୍ଥିର କରିଛନ୍ତି ଯେ ସମସ୍ତ ପଦବି ଏଣିକି ଉପ ଅଧୀକ୍ଷକଙ୍କ ପଦୋନ୍ନତି ଭିତ୍ତିରେ ହିଁ ପୂରଣ କରାଯିବ। ୨୦୧୨ ମସିହାରେ ଜଷ୍ଟିସ ନାଇଡୁ କମିସନ ମଧ୍ୟ ଏଭଳି ମତ ରଖି ଗୁରୁତ୍ୱପୂର୍ଣ୍ଣ ଅବକାରୀ ଅଧୀକ୍ଷକ ପଦବିରେ ବିଭାଗର ଅଭିଜ୍ଞ ଅଧିକାରୀଙ୍କ ନିଯୁକ୍ତି ଉପରେ ଜୋର ଦେଇଥିଲେ।
ଆଜି କ୍ୟାବିନେଟ୍ ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟସଚିବ କହିଥିଲେ, ହିନ୍ଦୁ ଧର୍ମାନୁଷ୍ଠାନଗୁଡିକର ସ୍ୱାର୍ଥର ସୁରକ୍ଷା ତଥା ସେଗୁଡିକର ଉତ୍ତମ ପ୍ରଶାସନ ଓ ପରିଚାଳନା କରିବା ଲାଗି ଏଥିରେ ବ୍ୟବସ୍ଥା ଅଛି। କୌଣସି ହିନ୍ଦୁ ଧର୍ମାନୁଷ୍ଠାନ ପାଇଁ ଯେ କୌଣସି ପରିକଳ୍ପନା ପ୍ରସ୍ତୁତ କରିବା ବେଳେ ଏଣିକି ସରକାରଙ୍କର ନିୟନ୍ତ୍ରଣ ରହିବ। ପୂର୍ବରୁ ଏହା ଦେବୋତ୍ତର କମିସନଙ୍କ ସ୍ତରରେ ହିଁ ରହୁଥିଲା। ସରକାରୀ ଅଧିକାରୀଙ୍କୁ ମଧ୍ୟ ନ୍ୟାସୀ ଭାବେ ମନୋନୀତ କରାଯାଇପାରିବ। ଏହାଦ୍ୱାରା ଦେବାଦେବୀ, ଧାର୍ମିକ ଅନୁଷ୍ଠାନ ଲାଭବାନ ହେବେ।
ରାଜ୍ୟ ସରକାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ବିହାର ଓ ଓଡ଼ିଶା ତୀର୍ଥସ୍ଥାନ ଅଧିନିୟମ, ୧୯୨୦କୁ (୯୮ବର୍ଷର ଆଇନ) ଉଚ୍ଛେଦ କରିବା ଲାଗି ଯୋଜନା କରିଛନ୍ତି। ଆଜି କ୍ୟାବିନେଟ୍ ଏ ପ୍ରସ୍ତାବକୁ ମୋହର ଦେଇଥିଲେ। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ କହିଥିଲେ, ପୂର୍ବରୁ ତୀର୍ଥଯାତ୍ରୀ ରହୁଥିବା ସ୍ଥାନ (ବିଶେଷକରି ପୁରୀ)ର ଉତ୍ତମ ପରିମଳ ବ୍ୟବସ୍ଥା ଓ ସେମାନେ ରହୁଥିବା ଗୃହର ନିୟନ୍ତ୍ରଣ ପାଇଁ ଏହି ଆଇନ କରାଯାଇଥିଲା। ଏଥିରେ ଦଣ୍ଡ ବିଧାନର ବ୍ୟବସ୍ଥା ବି ଥିଲା।
ଏହି ଅଧିନିୟମରେ ଲଜିଂ ହାଉସ୍ ପାଣ୍ଠି ଗଠନ ପାଇଁ ବ୍ୟବସ୍ଥା ରହିଛି। ରେଳ, ମୋଟର ଯାନ ଆଦିରେ ଆସୁଥିବା ଯାତ୍ରୀଙ୍କ ସୀମାକର ଧାର୍ଯ୍ୟ ପାଇଁ ଧାରା ୧୩ କ୍ଷମତା ଅର୍ପଣ କରିଥିଲା। ଏହାବ୍ୟତୀତ ଲାଇସେନ୍ସ ଫି, ନିରୀକ୍ଷଣ ଫି, ଧର୍ମଶାଳା ଭଡାରୁ ଅର୍ଥ ଆଦାୟ କରିବା ଲାଗି ଆଇନରେ ବ୍ୟବସ୍ଥା ଥିଲା। ଏହି ଟିକସ ଅର୍ଥରେ ପରିମଳ ବ୍ୟବସ୍ଥା ଯୋଗାଇବା, ସଂକ୍ରାମକ ରୋଗର ନିବାରଣ ଓ ତୀର୍ଥଯାତ୍ରୀଙ୍କୁ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନେବାର ବ୍ୟବସ୍ଥା ଥିଲା।
କିନ୍ତୁ ଏବେ ଏହି ଆଇନ ଅପ୍ରାସଙ୍ଗିକ ହୋଇପଡିଲାଣି। କାରଣ ଏସବୁ କାର୍ଯ୍ୟ ପୁରୀ ପୌରପାଳିକା, ଜଳଯୋଗାଣ ଓ ଡ୍ରେନେଜ୍ ୟୁନିଟ୍, ପୁରୀ ଏବଂ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ତୁଲାଉଛନ୍ତି। ହୋଟେଲ ମଧ୍ୟ ତୀର୍ଥଯାତ୍ରାଙ୍କ ରହିବା ବ୍ୟବସ୍ଥାର ଦାୟିତ୍ୱ ନେଇଛନ୍ତି। ଏଣୁ ଏହି ଆଇନକୁ ଉଚ୍ଛେଦ କରିବା ଲାଗି ଆଜି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଆଇନ ପାରିତ ହେବା ପରେ ପୁରୀରେ ଲଜିଂ ହାଉସ୍ ଫଣ୍ଡ ଆଦାୟ କରାଯିବ ନାହିଁ ଓ ଏହି ସଂସ୍ଥାର ବିଲୋପ ଘଟିବ। ଏଥିରୁ ସରକାର ବର୍ଷକୁ ଏକକୋଟି ପାଉଥିଲେ।
ଏହାବ୍ୟତୀତ ଆଜି କ୍ୟାବିନେଟ୍ ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ଜିଏସ୍ଟିକୁ ଅନ୍ତର୍ଭୁକ୍ତ କରିବା ସହିତ ଆସନ୍ତା ୪ ତାରିଖରେ ସମନ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନକୁ ମଧ୍ୟ ଅନୁମୋଦନ ଦେଇଥିଲେ।