ଏଭେରେଷ୍ଟ୍‌ରେ ଚାଲିଗଲେ କଳ୍ପନା

ଢେଙ୍କାନାଳ/ଭୁବନେଶ୍ବର : ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟ୍ ଆରୋହୀ କଳ୍ପନା ଦାସ ନିଜର ଶେଷ ନିଶ୍ବାସକୁ ଏଭେରେଷ୍ଟ ଶିଖରରେ ହିଁ ତ୍ୟାଗ କରିଛନ୍ତି। ଦ୍ବିତୀୟ ଥର ପାଇଁ ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ୫୩ ବର୍ଷୀୟା କଳ୍ପନା। ଏହି ଖବରକୁ ସ୍ପଷ୍ଟ କରିଛନ୍ତି, ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ମୀରା ଆଚାର୍ଯ୍ୟ। ଦି ହିମାଲୟନ୍‌ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ମୀରା ଏହି ଖବର ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ କଳ୍ପନା ସହିତ ଥିବା ଜଣେ ସେର୍ପା ମଧ୍ୟ କଳ୍ପନାଙ୍କ ପରିବାରକୁ ହ୍ବାଟସଆପ୍‌ ମାଧ୍ୟମରେ ମୁତ୍ୟୁ ଘଟିଥିବା ଖବର ଜଣାଇଛନ୍ତି। ଏହି ଖବର ଓଡ଼ିଶା ଦୁଃସାହସିକ କ୍ରୀଡ଼ା ଦୁନିଆକୁ ଶୋକରେ ବୁଡ଼ାଇ ଦେଇଛି।

ନିଜର ତୃତୀୟ ପ୍ରୟାସରେ ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ୍ ଆରୋହଣ କରି ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ରଚିଥିଲେ। ୨୦୦୪ ଏବଂ ୨୦୦୬ରେ ଖରାପ ପାଣିପାଗ କାରଣରୁ ଅଧାରୁ ‌ଫେରିଥିବା ଏହି ଢେଙ୍କାନାଳ ଝିଅ କିନ୍ତୁ ନିଜ ଅଦମ୍ୟ ସାହାସ ଦେଖାଇ ୨୦୦୮ ମସିହାରେ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିଲେ। ଏଥର କିନ୍ତୁ ପ୍ରଥମ ଭାରତୀୟ ଭାବେ ଶାଢ଼ୀ ପରିଧାନ କରି ଏଭେରେଷ୍ଟ୍‌ ଶିଖର ପହଞ୍ଚି ନୂଆ କୀର୍ତିମାନ କରି ନେଇଥିଲେ। ଏହି ଖବର ପ୍ରସାରିତ ହେବା ପୂର୍ବରୁ କିନ୍ତୁ ଶିଖରରୁ ଫେରିବା ବାଟରେ ଅସୁସ୍ଥ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାଲାକୋନି ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନ ୧୨.୪୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ମରଶରୀର କ୍ୟାମ୍ପ୍‌-୪ରେ ରହିଥିବା ସୂଚନା ମିଳିଛି। ତାଙ୍କ ମରଶରୀରକୁ ଉଦ୍ଧାର କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଦେଶରେ ସାଧାରଣ ନିର୍ବାଚନ ଫଳାଫଳ ବାତାବରଣର ମାହୋଲ ଥିବାରୁ ଏହି ପ୍ରକ୍ରିୟାରେ ବିଳମ୍ବ ହେଉଛି। କଳ୍ପନାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁଭେଚ୍ଛା ଜଣାଇ ଦ୍ବିତୀୟ ଥର ଏଭେରେଷ୍ଟର ଆରୋହଣ ପାଇଁ ପଠାଇଥିଲେ। ଏହି ଅଭିଯାନ ସଫଳ ହୋଇଥିଲେ ମଧ୍ୟ ଦୁଃଖଦ ଖବର ନେଇ ଆସିଛି। ନେପାଳର ଡ୍ରିମର୍ସ ‌ଡେଷ୍ଟିନେସନ୍ ଟ୍ରେକ୍‌ସ ପକ୍ଷରୁ ଗଠିତ ୩ ଜଣିଆ ମହିଳା ଏଭେରେଷ୍ଟ୍‌ ଅଭିଯାନରେ କଳ୍ପନା ଏଥର ସାମିଲ‌ ହୋଇଥିଲେ। ଅନ୍ୟ ଦୁଇ ଜଣ ଥିଲେ ନେପାଳର ମାୟା ତମାଙ୍ଗ ଏବଂ ଚୀନର ଲିୟାମୁ ମା। ୧୮ ଥର ଏଭେରେଷ୍ଟ୍‌ ଆରୋହଣ କରିଥିବା ତଥା ୬ ଥର ଗିନିଜ୍‌ ‌କୀର୍ତିମାନଧାରୀ ସେର୍ପା ପେମ୍ବା ଦୋର୍ଜି ଏବଂ ବିଶ୍ବ କୀର୍ତିମାନଧାରୀ ମହିଳା ସେର୍ପା ପୂର୍ବା ଏହି ଅଭିଯାନର ନେତୃତ୍ବ ନେଇଥିଲେ। ଢେଙ୍କାନାଳ ଝିଅ କଳ୍ପନା ପୂର୍ବରୁ ଏଭେରେଷ୍ଟ୍‌ ବିଜୟ ସହିତ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆର କିଛି ପର୍ବତାରୋହଣ କରିବାର ଗୌରବ ଆଣିଥିଲେ। କଳ୍ପନା ବାଟ ଦେଖାଇବା ପରେ ଓଡ଼ିଶାରୁ ଗଣେଶ ଚନ୍ଦ୍ର ଜେନା, ଦେବୀଦତ୍ତ ପଣ୍ଡା, ଯୋଗାବ୍ୟାସ ଭୋଇ, ପ୍ରଦୀପ ସାହୁ, ଚେତନା ସାହୁ, ସ୍ବର୍ଣ୍ଣଲତା ଦଳାଇ ମଧ୍ୟ ଏଭ‌େରେଷ୍ଟ୍ ଆରୋହଣ କରିଥିଲେ। କିନ୍ତୁ କେହି ଦ୍ବିତୀୟ ପ୍ରୟାସ କରିନାହାନ୍ତି।

କେବଳ କଳ୍ପନା ନୁହଁନ୍ତି
କେବଳ କଳ୍ପନା ନୁହଁନ୍ତି ଚଳିତ ବର୍ଷ ମୋଟ ୧୪ ଜଣ ଏଭେରେଷ୍ଟ୍‌ ଆରୋହଣ ବେଳେ ପ୍ରାଣ ହରାଇଛନ୍ତି।‌ ସେମାନଙ୍କ ମଧ୍ୟରେ ରହିଛନ୍ତି ଅନ୍ୟ ଦୁଇ ଭାରତୀୟ ଦୀପଙ୍କର ଘୋଷ ଏବଂ ରବି ଠକ୍କର। ରବି ଏଭେରେଷ୍ଟ୍‌ ଆରୋହଣ ବେଳେ କ୍ୟାମ୍ପ୍‌-୪ରେ ହିଁ ପରଲୋକ ଗମନ କରିଥିଲେ। ଅଭିଜ୍ଞ ଦୀପଙ୍କର ମାଉଣ୍ଟ ମାକାଲୁରୁ ଫେରୁଥିବା ବେଳେ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଓଡ଼ିଶା ଜଣେ ଏଭେରେଷ୍ଟ୍ ଆରୋହୀଙ୍କ ହରାଇବା ମଧ୍ୟ ନୂଆ ନୁହେଁ। ୨୦୧୬ ମସିହାରେ ବାଙ୍କୀର ପ୍ରଦୀପ ସାହୁ ଏବଂ ଚେତନା ସାହୁ ପ୍ରଥମ ଦମ୍ପତି ଭାବେ ଏଭେରେଷ୍ଟ୍ ଆରୋହଣ କରିଥିଲେ। ପ୍ରଦୀପ କିନ୍ତୁ ସେହିବର୍ଷ ଜିମ୍ବାୱେ ଗସ୍ତ ବେଳେ ହରାରେଠାରେ ହୃଦଘାତରେ ପ୍ରାଣ ହରାଇଥିଲେ। ସେହିଭଳି ୨୦୧୮ ମସିହାରେ ମନାଲିରେ ଟ୍ରେକିଂ ପାଇଁ ଯାତ୍ରା କରିଥିବା ବେଳେ କଳାହାଣ୍ଡିର ଯୁବ ଦୁଃସାହସିକ ପ୍ରତିଭା ଲାଲୁ ପ୍ରସାଦ ଭୋଇ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର