୪ଘଣ୍ଟା ଏସି ଅଚଳ; ଯାତ୍ରୀଙ୍କ ହୋ‌’ହଲ୍ଲା : ବାଲେଶ୍ବର ଷ୍ଟେସନରେ ଅଟକିଲା କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସ

ବାଲେଶ୍ବର : ଆଜି କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସ(ନଂ ୧୨୫୫୨)ରେ ଦୀର୍ଘ ୪ ଘଣ୍ଟା ଧରି ଏସି ଅଚଳ ହୋଇଯିବାରୁ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଛନ୍ତି। ବାଲେଶ୍ବର ଷ୍ଟେସନରେ ଯାତ୍ରୀମାନେ ହୋ’ହଲ୍ଲା କରିବା ସହ ‌ଷ୍ଟେସନ ମ୍ୟାନେଜର ଓ ଆର୍‌ପିଏଫ୍‌କୁ ଘେରିଥିଲେ। ଏସି ସଜଡ଼ା ଯିବାପରେ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ଆସାମର କାମାକ୍ଷାରୁ ମୁମ୍ବଇର ଯଶୋବନ୍ତପୁର ଅଭିମୁଖେ ବାହାରିଥିବା ଏହି ଟ୍ରେନର ସମସ୍ତ ଶୀତତାପ ନିୟନ୍ତ୍ରିତ ବଗିରେ ଏସି ଖଡ଼ଗପୁର ଜଂକ୍ସନ୍ ନିକଟ ହିଜିଲିଠାରେ ବନ୍ଦ ହୋଇଯାଇଥିଲା। ଏ ନେଇ ଯାତ୍ରୀମାନେ ଟ୍ରେନ୍‌ରେ ଥିବା ଟିଟିଇ ଓ ଆର୍‌ପିଏଫ୍‌କୁ ଅବଗତ କରିଥିଲେ। ହେଲେ ଯାତ୍ରୀଙ୍କ କହିବା କଥା ବାଲେଶ୍ୱର ଷ୍ଟେସନରେ ଏସି ସଜଡ଼ାଯିବ ବୋଲି କର୍ତ୍ତୃପକ୍ଷ ସେମାନଙ୍କୁ କହିଥିଲେ। କିନ୍ତୁ ଏସି ଅଚଳ ହେବାକୁ ୪ ଘଣ୍ଟା ବିତିଯାଇଥିବାବେଳେ ବାଲେଶ୍ୱର ଷ୍ଟେସନରେ ମଧ୍ୟ ଦୀର୍ଘସମୟ ଧରି ପଡ଼ିରହିଥିଲା। ଯାତ୍ରୀମାନେ ଷ୍ଟେସନର ୨ ନମ୍ବର ପ୍ଲଟଫର୍ମରେ ଓହ୍ଲାଇ ହୋହଲ୍ଲା କରିବା ସହ ଆରପିଏଫ୍ ଅଧିକାରୀ ଓ ଷ୍ଟେସନ ମ୍ୟାନେଜରଙ୍କୁ ଘେରାଉ କରିଥିଲେ। ଏଭଳି ସ୍ଥିତିରେ ଟ୍ରେନ୍‌ରେ ଚିକିତ୍ସା ପାଇଁ ବାହାରକୁ ଯାଉଥିବା କିଛି ହୃଦ୍‌ରୋଗୀ ଓ ଅନ୍ୟରୋଗୀଙ୍କୁ ଟ୍ରେନ୍‌ରୁ ବାହାରକୁ ଅଣାଯାଇ ଷ୍ଟେସନର ଏସି ପ୍ରତୀକ୍ଷାଳୟରେ ରଖା ଯାଇଥିଲା।

ସମ୍ବନ୍ଧିତ ଖବର