କାମାକ୍ଷାନଗର: କାର୍‌ ଧକ୍କାରେ କୋଳଥ ଚାଷୀ ମୃତ; ପ୍ରତିବାଦରେ ରାସ୍ତା ଅବରୋଧ

କାମାକ୍ଷାନଗର: ଶୁକ୍ରବାର ମଧ୍ୟାହ୍ନରେ କାମାକ୍ଷାନଗର ମୁଖ୍ୟ ରାସ୍ତା ଅନ୍ତର୍ଗତ ମହୁଲପାଳ ଜଡ଼ାପାଳ ଛକ ପାଖରେ ଏକ କାର୍‌ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତି ହେଉଛନ୍ତି ମହୁପାଳ ଗ୍ରାମର ୪୦ ବର୍ଷିୟ ମାଣ୍ଟୁଆ ଦେହୁରୀ। ମାଣ୍ଟୁଆ ତାଙ୍କ ବିଲରେ କୋଳଥ ଉପାଡ଼ି ସାରି ମଧ୍ୟାହ୍ନ ଭୋଜନ ଖାଇବାକୁ ଚାଲି ଚାଲି ଘରକୁ ଯାଉଥିବା ସମୟରେ ଢେଙ୍କାନାଳ ଆଡୁ ଆସୁଥିବା OD02R3899 ନମ୍ବରଧାରୀ ଏକ ଧଳା କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଧକ୍କାର ପ୍ରଭାବରେ ଘଟନାସ୍ଥଳରେ ହିଁ ମାଣ୍ଟୁଆଙ୍କର ଦେହାନ୍ତ ହୋଇଯାଇଥିଲା।

ଘଟନା ଜାଣିବା ପରେ ମହୁଲପାଳ ଗ୍ରାମବାସୀ, ମଣ୍ଟୁଆଙ୍କ ପରିବାର ଓ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଏହି ବିୟୋଗାନ୍ତ ଘଟନାର ପ୍ରତିବାଦପୂର୍ବକ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି।

ଖବରପାଇ କାମାକ୍ଷାନଗର ପୁଲିସ ଘଟନାସ୍ଥଳରେ ପହଞ୍ଚି ପ୍ରତିବାଦକାରୀମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି।

ଘଟନାସ୍ଥଳ ଏବେ ମଧ୍ୟ ଉତ୍ତେଜନାପ୍ରବଣ ରହିଛି। ଦୁର୍ଘଟନା ଘଟାଇଥିବା କାର୍‌ଟି ରାସ୍ତାରେ ଅଛି ଏବଂ ତା’ର ଚାଳକ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର