ଠେଙ୍ଗା ମାନବୀ କମଳା ଖରା : ଦିନେ ମଦ ରାନ୍ଧୁଥିଲେ, ଆଜି ମଦ ବିରୋଧୀ ନେତ୍ରୀ

ଭୁବନେଶ୍ବର : ଦିନେ ସେ ମଦ ତିଆରି କରି ବିକୁଥିଲେ। ଆଜି କିନ୍ତୁ ମଦ ମୁକ୍ତି ଅଭିଯାନର ମୁଖ୍ୟ ନାୟିକା। ଦିନେ ପୁଲିସ୍‌କୁ ଦେଖିଲେ ସେ ବରଡ଼ା ପତ୍ର ଭଳି ଥରୁଥିଲେ। ଏବେ ପୁଲିସ୍‌ ତାଙ୍କୁ ଦେଖିଲେ ଡରେ। ଆଖପାଖରେ ଅପରାଧ ଘଟିଲେ, ତାଙ୍କ ଠେଙ୍ଗା କଥା କୁହେ। କେବେ ମଦୁଆକୁ ଗଛରେ ବାନ୍ଧି ସାବାଡ଼ କରିଛନ୍ତି. ଆଉ କେବେ ମହିଳାଙ୍କୁ ବଞ୍ଚିବାକୁ ରାହା ଦେଖାଇଛନ୍ତି। ନିଜ ପାଇଁ ନୁହେଁ, ବରଂ ଅନ୍ୟ ପାଇଁ ଜିଇଁ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଆଦିବାସୀ ମହିଳା କମଳା ଖରା। ଜିଲ୍ଲା ପୁଲିସ ମୁଖ୍ୟାଳୟ ହେଉ ଅବା ଥାନା। ସବୁଠି ଅବାଧରେ ପ୍ରବେଶ କରି ସ୍ବର ଉଠାଇ ଅଧିକାର ସାବ୍ୟସ୍ତ କରିବାର ଅନନ୍ୟ ଉଦାହରଣ ହେଉଛନ୍ତି କମଳା। କୋରାପୁଟ ଜିଲ୍ଲା ପଦ୍ମପୁର ଗ୍ରାମର କମଳାଙ୍କର ସାହସିକତା ଓ ସଶକ୍ତୀକରଣର ବାସ୍ନାରେ ଏବେ ଚଉଦିଗ ଚହଟୁଛି।

ନିରକ୍ଷର କମଳା ମଦ ରାନ୍ଧି ଗୁଜୁରାଣ ମେଣ୍ଟାଉଥିଲେ। ମାତ୍ର ମଦ ପିଇ ସ୍ବାମୀମାନେ ଘରେ ସ୍ତ୍ରୀମାନଙ୍କୁ ମାଡ଼ ମାରୁଥିବା ଦେଖି ବ୍ୟଥିତ ହୋଇପଡ଼ିଲେ। ସବୁକୁ ତୁଚ୍ଛ କରି ମଦ ଭାଟି ଛାଡ଼ି ମଦ ବିରୋଧରେ ଅଣ୍ଟା ଭିଡ଼ିଲେ। ଯେବେ ଜଣେ ମହିଳାଙ୍କୁ ତାଙ୍କ ଶିକ୍ଷକ ସ୍ବାମୀ ମଦ ପିଇ ମାଡ଼ ମାରିବା କମଳା ଶୁଣିବାକୁ ପାଇଲେ, ସେ ତୁରନ୍ତ ମଦୁଆ ଶିକ୍ଷକଙ୍କୁ ଧରି ଆଣି ଗଛରେ ବାନ୍ଧି ଦେଲେ। ଗୋଡ଼ରେ ତତଲା ବାଲି ପକାଇ ଏପରି ଦଣ୍ଡ ଦେଲେ ଯେ, ଶିକ୍ଷକ ଜଣକ ଆଉ ମଦ ପିଇବେ ନାହିଁ ବୋଲି ଶପଥ କଲେ। ଏଇ ଘଟଣା ପାଇଁ ସେଦିନ ତାଙ୍କୁ ଅନେକ ସାବାସୀ ମିଳିଥିଲା। ତା’ପରେ ଆରମ୍ଭ ହୋଇଥିଲା ତାଙ୍କର ମଦ ମୁକ୍ତି ଅଭିଯାନ। ପଦ୍ମପୁରଠୁ ନେଇ ନିଘା ମାନିଗୁଡ଼ା ପର୍ଯ୍ୟନ୍ତ ମଦ ବିରୋଧରେ ତାଙ୍କର ଠେଙ୍ଗା ଅଭିଯାନ ସେତେବେଳେ ଗ୍ରାମବାସୀଙ୍କୁ ଥରହର କରିଥିଲା। ସ୍ବୟଂ ସହାୟିକା ମହିଳା ସଂଘର ସଦସ୍ୟାମାନଙ୍କୁ ଏକାଠି କରି ମଦ ଭାଟି ଭାଙ୍ଗିଲେ। ଧୀରେଧୀରେ ଗାଁ’ରୁ ମଦ ଭାଟି ବି ବନ୍ଦ ହୋଇଗଲା। ଏତିକିରେ ତାଙ୍କ ସଂଗ୍ରାମ ସରିଲା ନାହିଁ। ମଦ ବିରୋଧରେ ସଂଗ୍ରାମ ପାଇଁ ସେ ଏକ ଉପାୟ ପାଞ୍ଚିଲେ। ଯିଏ ମଦ ପିଇ ମାତାଲ ହେଉଥିଲା, ତା’ର ଭିଡିଓ କରି ତାକୁ ସାବାଡ଼ କରିବା ସହ ତା ପରଦିନ ତାକୁ ଦେଖାଇ ଅପମାନ କରୁଥିଲେ। ଏହି ଘଟଣା ପରଠୁ ସମ୍ପୃକ୍ତ ଗ୍ରାମର ଅନେକ ଲୋକ ମଦ ପିଇବା ଛାଡ଼ିଦେଲେ। ଯେବେ କୌଣସି ଘରେ ସ୍ବାମୀ ସ୍ତ୍ରୀଙ୍କ ଭି‌ତରେ ପାଟି ତୁଣ୍ଡ ହୁଏ, ସେତେବେଳେ ବି ଖୋଜା ପଡ଼ନ୍ତି କମଳା।

ରାଜ୍ୟର ପ୍ରଥମ ମହିଳା କମ୍ୟୁନିଟି ପୁଲିସ୍‌ ହେବାର ଗୌରବ ହାସଲ କରି ସେ ଉଦାହରଣ ରଚିଛନ୍ତି। ଅନ୍ୟାୟ ଓ ଅପରାଧ ବିରୋଧରେ ଠେଙ୍ଗା ଅଭିଯାନ ତାଙ୍କୁ ଏହି ପରିଚୟ ଦେଇପାରିଥିଲା। ତାଙ୍କର କାର୍ଯ୍ୟଧାରା ଓ ସାହସିକତା ତତ୍କାଳୀନ ଜିଲ୍ଲାପାଳ ଅପରାଜିତା ଷଡ଼ଙ୍ଗୀଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେ ତାଙ୍କୁ ଏଭଳି ଏକ ମର୍ଯ୍ୟାଦାର ଅଧିକାରୀ କରାଇ ବ୍ୟାଣ୍ଡ୍‌ ପ୍ରଦାନ କରିଥିଲେ।

କେବଳ ସଂଗ୍ରାମ ନୁହେଁ, ମହିଳାଙ୍କୁ ସଶକ୍ତ ହେବାର ବାଟ ମଧ୍ୟ ସେ ପ୍ରଶସ୍ତ କଲେ। ଏମିତି କୌଣସି ତାଲିମ୍‌ ନାହିଁ, ଯାହା ସେ ଗ୍ରହଣ କରିନାହାନ୍ତି। ନିରକ୍ଷର ହୋଇଥିଲେ ହେଁ ୪ଥର ଦିଲ୍ଲୀ ଯାଇ ସେଠାରେ ତାଲିମ୍‌ ନେଇଛନ୍ତି। ଇଟାଭାଟିରେ ଇଟା ଗଢ଼ିବାଠୁ ନେଇ ସାନିଟାରି ନାପ୍‌କିନ୍‌ ପ୍ରସ୍ତୁତ କରିବାର କୌଶଳ ଶିଖିଛନ୍ତି। ମହିଳାମାନଙ୍କୁ ଏକାଠି କରି ସ୍ବୟଂ ସହାୟିକା ଗୋଷ୍ଠୀ ଗଢ଼ି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଛନ୍ତି। ଇଟାଭାଟିକୁ ଲିଜ୍‌ ନେଇ ସେଠାରେ ମହିଳାଙ୍କୁ ନିୟୋଜିତ କରି ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରାଇଛନ୍ତି। ଯେବେ ଗାଁ’ରେ କୌଣସି ସମସ୍ୟା ‌କଥା ଉଠେ, ସେ ସଙ୍ଗେସଙ୍ଗେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କକ୍ଷ ଭିତରକୁ ପଶିଯାଆନ୍ତି। ଶୀଘ୍ର ସମାଧାନ କରିବାକୁ ଦାବି କରନ୍ତି। ଯେବେ ତାଙ୍କ ପାଦ ଜିଲ୍ଲାପାଳଙ୍କ କକ୍ଷ ଆଡ଼କୁ ବଢ଼େ, ସେ କାମଟି ଯେ ସମାଧାନ ହୋଇଯିବ ସେଥିରେ ଗ୍ରାମବାସୀଙ୍କର ଦ୍ବିମତ ନଥାଏ। ଗାଁ’ର ପାଇଖାନା ସମସ୍ୟା ହେଉ ଅବା ବିଦ୍ୟୁତ ଜନିତ ସମସ୍ୟା। ‌ଯଦି କୌଣସି ଯୋଜନାରେ ଗୃହ ନିର୍ମାଣ କାମରେ ଅନିୟମିତତା ନେଇ ଅଭିଯୋଗ ହୁଏ ସେଠି ବି ପ୍ରଥମେ ଲୋଡ଼ା ପଡ଼ନ୍ତି କମଳା।

ସ୍ବାମୀଙ୍କ ମୃତ୍ୟ ପରେ ନିଜ ଉଦ୍ୟମରେ କମଳା ଦୁଇ ଝିଅକୁ ବାହା କରିଛନ୍ତି। ୨ ପୁଅକୁ ମଧ୍ୟ ବାହା କରିଛନ୍ତି। ମାତ୍ର ଏବେ ବି ନିଜ ପୁଅ ଝିଅଙ୍କ ହାତ ଟେକାକୁ ଚାହିଁ ନାହାନ୍ତି। ବରଂ ସ୍ବାଭିମାନୀ କମଳା ଖରା ଧାନ, ମାଣ୍ଡିଆ, ଆଳୁ ଓ ଅଦା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ସେ କୁହନ୍ତି, ନିଜ ପାଇଁ ତ ସମସ୍ତେ ବଞ୍ଚନ୍ତି, ଅନ୍ୟମାନଙ୍କ ପାଇଁ ବଞ୍ଚିବା କିନ୍ତୁ ସାର୍ଥକ ଜୀବନ।

ସମ୍ବନ୍ଧିତ ଖବର