କନ୍ଧମାଳକୁ ୭ ପ୍ରବେଶ ପଥ ସିଲ୍‌ : ତଥାପି ମାନୁନାହାନ୍ତି ଅମାନିଆ, ଗିରଫ ହେଲେଣି ୫୭, ୨୩ ଜଣଙ୍କ ନାଁରେ ମାମଲା

ଫୁଲବାଣୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଏଣୁ ସମଗ୍ର କନ୍ଧମାଳ ଗାଁରୁ ସହର ସବୁଠି ଶୂନ୍‌ଶାନ୍‌। କରୋନା କଟକଣାକୁ କଡ଼ାକଡ଼ି କରିବା ନିମନ୍ତେ ଜିଲ୍ଲାର ୭ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଛି। ଅମାନିଆଙ୍କୁ ସାବାଡ୍‌ କରିବା ନିମନ୍ତେ ଏସ୍‌.ପି ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁଠି ପୁଲିସ ଅମାନିଆଙ୍କୁ ସତର୍କ କରିବା ସହ କାନଧରି ଉଠବସ୍‌ କଲାଣି। ଏତେ ସବୁ ସତ୍ତ୍ବେ କିଛି ଅମାନିଆ ସୁଧୁରୁ ନାହାନ୍ତି। ଆଜି ସକାଳେ ଏକ ଅଟୋରେ ଖୁନ୍ଦାଖୁନ୍ଦି ହୋଇ ଲୋକ ଯାଉଥିବା ବେଳେ ପୁଲିସ ଅଟକାଇଥିଲା। ଅଟୋ ଜବତ କରି ଚାଳକକୁ ପୁଲିସ ଅଟକ ରଖିଛି। ୩ ଦିନ ହେଲା ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ପକ୍ଷରୁ କରୋନା କଟକଣା ଅମାନ୍ୟ କରିଥିବା ୫୭ ଜଣଙ୍କୁ ଗିରଫ କରିଛି। ୧୧ଟି ଗାଡ଼ି ଜବତ କରାଯାଇଥିବା ବେଳେ ୨୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। କରୋଟା କଟକଣାକୁ ଯେ କେହି ଅବମାନନା କରିବ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଏସ୍‌.ପି ପ୍ରତୀକ ଗୀତା ସିଂ କହିଛନ୍ତି।

ଲୋକଙ୍କୁ ଘରେ ରହିବାକୁ କୁହାଯିବା ସହ ସମାଜିକ ଦୂରତା ବଜାୟ ରଖିବା ଲାଗି ସକାଳ ଓ ସଧ୍ୟାରେ ୨ ଘଣ୍ଟା ଲେଖାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲୁଛି। ଗୋଲ୍‌ ଚିହ୍ନିତ ସ୍ଥାନରେ ଠିଆ ହୋଇ ଲୋକେ କିଣାକିଣି କରୁଛନ୍ତି। ଏହାକୁ ଅବମାନନା କଲେ ଦୋକାନୀ ଓ ଖାଉଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ‌ବୋଲି ପୁଲିସ ସତର୍କ କରାଇଦେଇଛି। ପୁଲିସ ନିର୍ଦ୍ଦେଶ ଅନୁଯାୟୀ ସବୁ କିଛି ଠିକ୍‌ଠାକ୍ ଚାଲିଥିବା ଦେଖିବାକୁ ମିଳୁଛି। କରୋନାକୁ ପ୍ରତିହତ କରିବା ନିମନ୍ତେ ଲକ୍‌ଡାଉନ୍‌କୁ ମାନିବାକୁ ପ୍ରଶାସନ ଓ ପୁଲିସ ଜିଲ୍ଲାବାସୀଙ୍କୁ ଅନୁରୋଧ କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର