କନ୍ଧମାଳ: ବାଲିଗୁଡ଼ା ଥାନା ନିକଟରେ ମାଓ ପୋଷ୍ଟର୍‌

କନ୍ଧମାଳ: ରବିବାର ସକାଳେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ା ଥାନା ନିକଟରେ ମାଓ ପୋଷ୍ଟର୍‌ ପକାଯାଇଛି। କେକେବିଏନ୍‌ ମାଓ ଡିଭିଜନ୍‌ ତରଫରୁ ଏହି ପୋଷ୍ଟର୍‌ଗୁଡ଼ିକ ଫିଙ୍ଗା ଯାଇଥିବା ଜଣାପଡ଼ିଛି।

ଡିସେମ୍ବର ୨ ରୁ ୮ ତାରିଖ ଯାଏଁ ପିଏଲ୍‌ଜିଏର ୧୯ତମ ପ୍ରତିଷ୍ଠା ସପ୍ତାହକୁ ଆଡ଼ମ୍ବରରେ ପାଳନ କରିବା ନିମନ୍ତେ ଏଥିରେ ଡାକରା ଦିଆଯାଇଥିବା ବେଳେ ଡିସେମ୍ବର ୧୧ ତାରିଖକୁ ହିନ୍ଦୁ ଫାଶିବାଦୀ ବିରୋଧରେ କେକେବିଏନ୍‌ ଡିଭିଜନ ବନ୍ଦକୁ ସଫଳ କରିବାକୁ ଆହ୍ଵାନ ଦିଆଯାଇଛି।

ପି ବି କମ୍ରେଡ୍‌ ଅରବିନ୍ଦ, କସନର, ପୂଜାରୀ ପାଲ୍ଲୀ, ସୁଦୃକୁମ୍ପା, ଡୁଡୁକାମାଲର ସେବକ, ପ୍ରଦୀପ, ରମଶିଲା ଆଦି ବୀର ସହିଦମାନଙ୍କୁ ଲାଲ୍‌ ସଲାମ ବୋଲି ପୋଷ୍ଟର୍‌ଗୁଡ଼ିକରେ ଉଲ୍ଲେଖ କରାଯାଇଛି। ସହିଦମାନଙ୍କର ଅପୂର୍ଣ୍ଣ ସ୍ୱପ୍ନ ପୂରଣ ଲାଗି ପିଏଲ୍‌ଜିଏରେ ଯୋଗ ଦେବାକୁ ମଧ୍ୟ ଆହ୍ଵାନ ଦିଆଯାଇଛି। ଅପରେସନ୍‌ ଗ୍ରିନ୍‌ ହଣ୍ଟ୍‌ ସହ ଜଳ, ଜମି, ଜଙ୍ଗଲ, ଇଜ୍ଜତ୍‌ ଅଧିକାର ପାଇଁ ଲଢ଼େଇ କରିବା ସହ ପିଏଲ୍‌ଜିଏରେ ଯୋଗ ଦେବା ଗାଁ ଗାଁରେ ମିଲିସିଆ ଗଢ଼ିବାକୁ ଯୁବକ ଯୁବତୀମାନଙ୍କୁ କୁହାଯାଇଛି।

ଏହି ପୋଷ୍ଟର୍‌ଗୁଡ଼ିକୁ କେଉଁଠି ନ ଲଗା ଯାଇ ତଳେ ଫିଙ୍ଗା ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

ସମ୍ବନ୍ଧିତ ଖବର