କନ୍ଧମାଳରେ ପ୍ରସ୍ତାବିତ ରେଳପଥକୁ ୩୯ ବର୍ଷ ପୂରିଲା : ସର୍ଭେରେ ଅଟକିଛି ପ୍ରକଳ୍ପ କାମ, ଦୋଷ ଝାଡ଼ୁଛନ୍ତି କେନ୍ଦ୍ର, ରାଜ୍ୟ ସରକାର

ଫୁଲବାଣୀ, (ବଟକୃଷ୍ଣ ବିହାରୀ): ରାଜ୍ୟର ଆଦିବାସୀ ଓ ପଛୁଆ ଜିଲ୍ଲା ହେଉଛି କନ୍ଧମାଳ। ଏଠାରୁ କଟକ, ବ୍ରହ୍ମପୁର ଭୁ‌ବନେଶ୍ବର ସମେତ ଯେ କୌଣସି ଜିଲ୍ଲାକୁ ଯିବାକୁ ହେଲେ ବସ ସେବା ହିଁ ଏକ ମାତ୍ର ଗମନାଗମନର ମାଧ୍ୟମ। ହେଲେ ଦେଶ ସ୍ବାଧୀନତା ପାଇବାର ୭୨ ବର୍ଷ ପରେ କନ୍ଧମାଳବାସୀ ରେଳସେବା ନ ପାଇ ପାରିବା ଏକ ବିଡମ୍ବନାର ବିଷୟ। କେନ୍ଦ୍ର ସରକାର ହୁଅନ୍ତୁ କି, ରାଜ୍ୟ ସରକାର। କନ୍ଧମାଳକୁ ରେଳସେବା ନେଇ ନିର୍ବାଚନ ସମୟରେ ପ୍ରତିଶ୍ରୁତିରେ ପୋତି ଦିଆଯାଉଛି। କିନ୍ତୁ ନିର୍ବାଚନ ପରେ କ୍ଷମତା ହାସଲ ପରେ ଆଉ କାହାର ଧରାଛୁଆଁ ନାହିଁ। କେତେବେଳେ କେନ୍ଦ୍ର ସରକାର କହୁଛନ୍ତି ସର୍ଭେ ସରିଛି। ରାଜ୍ୟ ସରକାର ଜମି ଯୋଗା‌ଇନାହାନ୍ତି। ଏପଟେ ରାଜ୍ୟ ସରକାର କହୁଛନ୍ତି, କେନ୍ଦ୍ର ସହଯୋଗ କରୁନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୋଷ ଝଡାଝଡିରେ ବ୍ୟସ୍ତ ରହି କନ୍ଧମାଳବାସୀଙ୍କ ବହୁ ଦିନର ଦାବିକୁ ଯେମିତି ଚାପି ଦେଇଛନ୍ତି।

୧୯୮୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗଂଜାମ ଗସ୍ତରେ ଆସିଥିବା ବେଳେ ଗଂଜାମ-କନ୍ଧମାଳକୁ ୧୮୦ କିଲୋମିଟର ପ୍ରସ୍ତାବିତ ରେଳ ସଂଯୋଗ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ। ସର୍ଭେ ପରେ ରେଳପଥ କାମ ତୁରନ୍ତ ଆରମ୍ଭ କରାଯିବ ବୋଲି ସେ କହିଥିଲେ। ବହୁ ଦିନର ଦାବି ଓ ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ଏହାକୁ ନେଇ କନ୍ଧମାଳବାସୀ ବେଶ ଖୁସି ହୋଇଥିଲେ। ହେଲେ ପ୍ରସ୍ତାବିତ ଏହି ରେଳପଥକୁ ୩୯ ବର୍ଷ ପୂରି ଥିଲେ ବି, ନା‘ ସର୍ଭେ ହୋଇଛି, ନା’ କାମ ଆରମ୍ଭ ହୋଇ ପାରିଛି। ଏନେଇ କନ୍ଧମାଳର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ଆସୁଛି। ହେଲେ ରେଳପଥ କାମ ଆରମ୍ଭ ହେବାର ସେମିତି କିଛି ସବୁଜ ସଙ୍କେତ ମିଳି ପାରୁନାହିଁ। ଏହାକୁ ନେଇ କନ୍ଧମାଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇବା ସହ ଭାଗ୍ୟକୁ ଆଦରି ନିରବ ରହିବା ବ୍ୟତୀତ ଆଉ କିଛି ଉପାୟ ନାହିଁ। ଦାବି ଓ ପ୍ରତିବାଦର ସ୍ବର କଠୋର ହେଲେ ମିଳୁଛି ପ୍ରତିଶ୍ରୁତି। କନ୍ଧମାଳବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ୫-୬ ବର୍ଷ ପୂର୍ବେ ରେଳପଥ ନିର୍ମାଣ ନିମନ୍ତେ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା। ଏଥିରେ ୧୭ଟି ସୁଡଙ୍ଗ ଓ ୨୦ଟି ଛୋଟ ବଡ ପୋଲ ନିର୍ମାଣର ଆବଶ୍ୟକତା ରହିଛି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଥିଲା। ବାସ କାମ ଏତିକିରେ ରହିଗଲା। ରେଳପଥ ଆସି ପାରିଲା ନାହିଁ। ଲଲିପପ ଦେବା ନ୍ୟାୟ‌ରେ ଜିଲ୍ଲା ସଦର ମହକୁମାରେ ଏକ ‌ରେଳ ଟିକେଟ କାଉଣ୍ଟର ଖୋଲାଯାଇଛି। ତାହା ପୁଣି କେବେ ବେଳେ ଖୋଲୁଛି ତ, ଆଉ ତେବେ ବେଳେ ବନ୍ଦ। ଯାହା ଫଳରେ ରେଳରେ ଯାତ୍ରା କରିବାକୁ ଇଚ୍ଛୁକ ଯାତ୍ରୀ ବାହାର ସାଇବର୍ କେଫରେ ଇ-ଟିକେଟ୍ କରି ଅଧିକ ଖର୍ଚ୍ଚାନ୍ତ ହେଉଛି। କନ୍ଧମାଳବାସୀଙ୍କୁ ରେଳସେବା କେବେ ମିଳିବ, ତାହା ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

କନ୍ଧମାଳବାସୀଙ୍କ ରେଳପଥ ସଂଯୋଗ ନ ହେବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି କହିଛନ୍ତି ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ସର୍ବେଶ୍ବର ମିଶ୍ର, ଶ୍ରମିକ ନେତା ଘନ କୁମାର ଶବର ଓ ଆଇନଜୀବୀ ସତ୍ୟନାରାୟଣ ବେହେରା।

ସମ୍ବନ୍ଧିତ ଖବର