କନ୍ଧମାଳରେ ମାଓ-ପୁଲିସ ଗୁଳି ବିନିମୟ

କୁକୁଲାଝର ଜଙ୍ଗଲରେ କ୍ୟାମ୍ପ ଧ୍ୱଂସ, କ୍ୟାଡର୍‌ ବାଦଲ ସହ ମାଓବାଦୀଙ୍କ ଛତ୍ରଭଙ୍ଗ

ଫୁଲବାଣୀ: କନ୍ଧମାଳରେ ମାଓବାଦୀ-ପୁଲିସ ବାହିନୀ ପୁଣି ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାରେ ଦୁର୍ବଳ ହୋଇ ପଡ଼ିଥିବା ସଂଗଠନ ଅଣ୍ଟା ସଳଖିବା ପରେ ଗତ କିଛି ମାସ ଭିତରେ ନିଜର ଉପସ୍ଥିତି ଜାହିର କରିଥିବା କେକେବିଏନ୍‌ ମାଓ ସଂଗଠନର ଏକ ପଲଟଣ ସହ ଏସ୍‌ଓଜି ବାହିନୀର ଗୁଳି ବିନିମୟ ହୋଇଛି। ଆଜି ପ୍ରତ୍ୟୁଷରେ ଖଜୁରୀପଡ଼ା ବ୍ଳକ ଲାମ୍ବାଗୁଡ୍ରା ପଞ୍ଚାୟତ କୁକୁଲାଝର ଜଙ୍ଗଲରେ ଏକ ମାଓ କ୍ୟାମ୍ପ୍‌ ଚାଲିଥିବା ନେଇ ପୁଲିସକୁ ପକ୍କା ଖବର ମିଳିଥିଲା। ଏହା ଆଧାରରେ ଏସ୍‌ଓଜି ବାହିନୀ କ୍ୟାମ୍ପ୍‌ ଦିଗରେ ଅଗ୍ରସର ହେବା ସମୟରେ ମାଓବାଦୀ ଅତର୍କିତ ଗୁଳିଚାଳନା କରିଥିଲେ। ଜବାବରେ ଏସ୍‌ଓଜି ବାହିନୀ ପକ୍ଷରୁ ପାଲଟା ଗୁଳିଚାଳନା ହୋଇଥିଲା। ଉଭୟ ପକ୍ଷରୁ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ପୁଲିସ ପକ୍ଷରୁ ପାଖାପାଖି ୫୦ ରାଉଣ୍ଡ୍‌ ଗୁଳି ଚାଲିଥିବା ସୂଚନା ମିଳିଛି। ଶେଷରେ ପୁଲିସ ବାହିନୀ ମାଓ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲେ। ମାଓବାଦୀ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଏସଓଜି ଯବାନ ମାଓବାଦୀଙ୍କ ବ୍ୟବହୃତ ପୋଷାକ, ଗୋଟିଏ ସିଲେଇ ମେସିନ, ୨ଟି ଚେୟାର, ୨ଟି ରେଡ଼ିଓ, ପାଣି ବୋତଲ, ଔଷଧ, ୩ ହଳ ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ଏହାପରେ କମ୍ବି ଅପରେସନକୁ ଜୋରଦାର କରାଯାଇଛି। କେକେବିଏନ ମାଓ ସଂଗଠନର କ୍ୟାଡର୍‌ ବାଦଲ ଏହି କ୍ୟାମ୍ପର ନେତୃତ୍ୱ ନେଉଥିଲା ବୋଲି ସୂଚମା ମିଳିଥିବା କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର