ଦଳିତ ବସ୍ତିରେ କଂଗାରୁ କୋର୍ଟ : ରାତିସାରା ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା

ଚିକିଟି : ସ୍ୱାମୀଙ୍କ ଅନୁପସ୍ଥିତରେ ରାତିରେ ଦୁଇଜଣ ବ୍ୟକ୍ତି ଘରକୁ ଆସିଥିଲେ। ବସ୍ତିର ମହିଳାମାନେ ଏହା ଦେଖି ବିରୋଧ କଲେ। ଘରେ ଥିବା ମହିଳା ଜଣକ ସେମାନେ ତାଙ୍କର ସମ୍ପର୍କୀୟ ବୋଲି ଯେତେ ବୁଝାଇଲେ ମଧ୍ୟ ବସ୍ତିର ମହିଳା ବୁଝିଲେ ନାହିଁ। ଶେଷରେ ବସ୍ତିରେ ବୈଠକ ବସିଲା, ମହିଳା ଜଣଙ୍କୁ ରାତି ସାରା ଏକ ଖୁଣ୍ଟରେ ବାନ୍ଧି ରଖିଲେ। ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀନାରାୟଣପୁର ଗ୍ରାମର ଦଳିତ ବସ୍ତିରେ ଘଟିଛି। ସୂଚନା ପାଇ ପୁଲିସ୍‌ ଆଜି ଭୋରରୁ ପହଞ୍ଚି ମହିଳାଙ୍କ ସମେତ ଦୁଇ ଯୁବକଙ୍କୁ ଉଦ୍ଧାର କରି ଆଣିଛି।

ବସ୍ତିର ରାଧା ନାଇକ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରନ୍ତି। ତାଙ୍କ ଘରେ ତାଙ୍କ ପତ୍ନୀ ଓ ଝିଅ ରହନ୍ତି। ଗତକାଲି ରାତି ପ୍ରାୟ ୧୧ଟାରେ ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ତୁରୁବୁଡ଼ି ଅଂଚଳର ଜାମ ସାହିର ଦୁଇ ଜଣ ଯୁବକ ରାଧା ନାଇକଙ୍କ ଘରକୁ ମୋଟର ସାଇକଲ୍‌ରେ ଆସିଥିଲେ। ବସ୍ତିର ମହିଳାମାନେ ସେମାନଙ୍କୁ ଅଟକାଇ ମୋଟର ସାଇକଲର ଚାବି ନେଇ ଯାଇଥିଲେ। ଏହି ସମୟରେ ରାଧା ନାଇକଙ୍କ ପତ୍ନୀ ପ୍ରତିମା ନାଇକ ସେମାନେ ଆମର ବନ୍ଧୁଲୋକ, ଆମକୁ ଭେଟିବାକୁ ଆସିଛନ୍ତି ବୋଲି କହିଥିଲେ। କିନ୍ତୁ ବସ୍ତି ବାସିନ୍ଦା ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ପ୍ରତିମା ଓ ବସ୍ତିର ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ବସ୍ତିରେ ବୈଠକ ବସି ପ୍ରତିମାଙ୍କୁ ଗାଁ ମଝିରେ ଥିବା ଖୁଣ୍ଟରେ ରାତି ତମାମ ବାନ୍ଧି ରଖି ଜଗି ବସିଥିଲେ।

ଗାଁର ହୋମଗାର୍ଡ଼ ଏବଂ କୁଳ ସଭାପତି ଏହି ସୂଚନା ପାଇ ଘଟଣାସ୍ଥଳରେ ଭୋରରେ ପହଞ୍ଚି ବସ୍ତି ଲୋକଙ୍କୁ ବୁଝାଶୁଝା କରି ପ୍ରତିମାଙ୍କୁ ଉଦ୍ଧାର କରିଥିଲେ। ପରେ କେ.ନୁଆଗାଁ ପୁଲସ୍‌ ପହଞ୍ଚି ଉକ୍ତ ମହିଳାଙ୍କ ସମେତ ତାଙ୍କ ଝିଅ ଏବଂ ଅଟକ ଥିବା ଦୁଇ ଯୁବକଙ୍କୁ ଥାନାକୁ ଆଣିଥିଲେ । ଏ ସଂପର୍କରେ ଥାନାରେ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ହୋଇଥିବା ସୂଚନା ମିଳିଛି। ତେବେ ଏନେଇ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରେ ସେ କୌଣସି ସୂଚନା ଦେଇ ନଥିଲେ। ଘଟଣା ସମ୍ପର୍କରେ ମାମଲା ରୁଜୁ ହୋଇଛି କି ନାହିଁ ପୁଲିସ ରାତି ସୁଦ୍ଧା ସ୍ପଷ୍ଟ କରିନାହିଁ।

ସମ୍ବନ୍ଧିତ ଖବର