ଘରୁ ଘୋଷାରି ଆଣି ଦମ୍ପତିଙ୍କୁ ଗଛରେ ବାନ୍ଧି ପିଟିଲେ

ଜଗତ୍‌ସିଂହପୁରରେ କଙ୍ଗାରୁ କୋର୍ଟ

ଗାଁରେ ପଶିପାରୁନାହାନ୍ତି ପରିବାର, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ଜଗତସିଂହପୁର ଟାଉନ୍‍ : କୋରାପୁଟ ବା କଳାହାଣ୍ଡି ଭଳି ଅନୁନ୍ନତ କି ଦୁର୍ଗମ ଜିଲ୍ଲା ନୁହେଁ ଖୋଦ୍‌ ଉପକୂଳ ଜିଲ୍ଲା ଜଗତ୍‌ସିଂହପୁରରେ ବସିଛି କଙ୍ଗାରୁ କୋର୍ଟ। ଚୋରି ଅଭିଯୋଗରେ ଗ୍ରାମବାସୀ ଏକ ଦମ୍ପତିଙ୍କୁ ଘରୁ ଘୋଷାରି ଆଣି ଗଛରେ ବାନ୍ଧି ନିର୍ଧୁମ ମାଡ଼ ମାରିଛନ୍ତି। ଏଭଳି ସାଂଘାତିକ ଘଟଣା ଘଟିଛି ବାଲିକୁଦା ବ୍ଳକ୍‍ ବରମୁଣ୍ଡଳୀ ଗାଁରେ। ବାଲିକୁଦା ଥାନାରେ ଏ ନେଇ ଏତଲା ଦିଆଯାଇଥିଲେ ବି ପୁଲିସ ତାହାକୁ ନ ରଖି ଓଲଟା ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରି ଫେରାଇ ଦେଇଛି। ସେପଟେ ଗ୍ରାମବାସୀ ଉକ୍ତ ଦମ୍ପତିଙ୍କୁ ଗାଁରେ ପୂରାଇ ଦେଉ ନଥିବାରୁ ସେମାନେ ଦୁଇ ପିଲାଙ୍କୁ ଧରି ଫୁଟ୍‌ପାଥ୍‌ରେ ରାତି କାଟିଛନ୍ତି। ପରେ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ବାଲିକୁଦା ବ୍ଳକ୍‍ ବରମୁଣ୍ଡଳୀ ଗାଁର କୈଳାସ ବାହାଲିଆଙ୍କ ଘରୁ କିଛିଦିନ ତଳେ ଚୋରି ହୋଇଥିଲା। ଗାଁର କିଛିଲୋକ ବସି ଗୁଣିଆ ଦ୍ଵାରା ଚୋର ଧରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗୁଣିଆ ଚୋର ଚିହ୍ନଟ କରିବା ପରେ ଗାଁରେ ଘଟିଥିଲା ତୁମୁଳ କାଣ୍ଡ। ୭ତାରିଖ ରାତିରେ ଗାଁର ଗୋଲେଖ ବାହାଲିଆଙ୍କ ଘର ଉପରେ ଚଢ଼ଉ କରାଯାଇଥିଲା। ଗୋଲେଖ, ତାଙ୍କ ପତ୍ନୀ ସାବିତ୍ରୀ, ଦୁଇ ପିଲା ଏବଂ ବୁଢ଼ୀ ମା’ ଘରେ ଥିବା ବେଳେ ହଠାତ୍‍ ଗାଁର କୈଳାସ ବାହାଲିଆ, କୈଳାସଙ୍କ ଝିଅ ଝୁମଲତା, ନମିତା, ପତିଆ ବାହାଲିଆ, ନିଲୁ ବାହାଲିଆ, ମିଲୁ ବାହାଲିଆ, ରଥିଆ ବାହାଲିଆ, ନଳୀ ବାହାଲିଆ, କାଳିଆ ବାହାଲିଆ ପ୍ରମୁଖ ତାଙ୍କ ଘରେ ପଶି ଗୋଲେଖ ଓ ତାଙ୍କ ପତ୍ନୀଙ୍କୁ ଘରୁ ଘୋଷାରି ଆଣିଥିଲେ। ଗାଁ ମୁଣ୍ଡ ଠାକୁର ମଣ୍ଡପ ନିକଟରେ ଗଛରେ ହାତଗୋଡ଼ ବାନ୍ଧି ବାହାର ଗାଁର କିଛି ଲୋକଙ୍କ ସହଯୋଗରେ ପ୍ରାୟ ତିନି ଘଣ୍ଟା ଗଛରେ ବାନ୍ଧି ଅକଥନୀୟ ଅତ୍ୟାଚାର ଦେଇଥିଲେ। ପରେ ଉକ୍ତ ଦମ୍ପତିଙ୍କୁ ଏକ ଘରେ ବନ୍ଦ କରି ରଖିଥିଲେ।

ଗୋଲେଖଙ୍କ ବୁଢ଼ୀ ମା’ ଅନନ୍ତପୁର ଫାଣ୍ଡିରେ ଜଣାଇବା ପରେ ଦୁଇଜଣ କନେଷ୍ଟବଳ ଆସି ହାତଗୋଡ଼ ବନ୍ଧା ଅବସ୍ଥାରେ ଏହି ଦମ୍ପତିକୁ ଉଦ୍ଧାର କରିଥିଲେ। ପୁଲିସ ସାବିତ୍ରୀଙ୍କୁ ଘରେ ଛାଡ଼ିଦେଇ ଗୋଲେଖଙ୍କୁ ଫାଣ୍ଡିକୁ ନେଇ ଯାଇଥିଲେ। ମାତ୍ର କୈଳାସ ବାହାଲିଆ ଏବଂ ଅନ୍ୟମାନେ ସେଠାରେ ପହଞ୍ଚି ହଟ୍ଟଗୋଳ କରିବା ସହ ଫାଣ୍ଡି କବାଟ ବାଡ଼େଇ ଗୋଲେଖଙ୍କୁ ଫେରାଇ ଦେବାକୁ କହିଥିଲେ। ରାତି ୩ଟା ବେଳେ ବାଲିକୁଦା ଥାନାରୁ ଏକ ଭ୍ୟାନ୍‍ ଯାଇ ଗୋଲେଖଙ୍କୁ ବାଲିକୁଦାକୁ ନେଇ ଆସିଥିଲା। ୮ତାରିଖ ସାବିତ୍ରୀ ବାହାଲିଆ ଏହା ବିରୋଧରେ ବାଲିକୁଦା ଥାନାକୁ ଯାଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ରଖିବା ବଦଳରେ ପୁଲିସ ଅଧିକାରୀ ତାଙ୍କୁ ଚୋରଣୀ କହିବା ସହ କଟୁ କଥା କହି ଭର୍ତ୍ସନା କରିଥିଲେ। ଗାଁକୁ ଗଲେ ଜୀବନରୁ ମାରିଦେବାକୁ ଧମକ ମିଳୁଥିବାରୁ ୮ ତାରିଖଠାରୁ ଏହି ପରିବାର ଗାଁରୁ ବାହାରେ ରହୁଛନ୍ତି।

ବାଲିକୁଦା ଥାନରୁ ନ୍ୟାୟ ନ ମିଳିବାରୁ ଏହି ଦମ୍ପତି ଆଜି ଏସ୍‍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଅଭିଯୁକ୍ତଙ୍କୁ ଗିରଫ ଏବଂ ପରିବାରର ସୁରକ୍ଷା ଦାବି କରିଥିଲେ। ଏସ୍‍ପି ଜୟନାରାୟଣ ପଙ୍କଜ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଗୁରୁତ୍ୱପୂର୍ଣ୍ଣ ହେଲା, ପୀଡ଼ିତା ସାବିତ୍ରୀ ବାହାଲିଆଙ୍କ ପରିବାର ଗାଁରେ ପଶି ପାରୁନାହାନ୍ତି। ସେମାନଙ୍କୁ ହଇରାଣ କରାଯାଉଛି। ଗାଁରେ ପଶିବାକୁ ଦିଆଯାଉନାହିଁ। ମଇଁଷି ପୋଷି ପରିବାର ଚଳାଉଥିବା ଏହି ପରିବାର ଚାରିଦିନ ହେଲା ଗାଁ ଛାଡ଼ି ବାହାରେ ରହୁଛନ୍ତି। ମଇଁଷିମାନେ କେଉଁଆଡେ ଚାଲି ଯାଇଛନ୍ତି। ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଏବଂ ପରିବାରକୁ ସୁରକ୍ଷା ନମିଳିଲେ ପରିବାରର ସମସ୍ତ ସଦସ୍ୟ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ବାଲିକୁଦା ଥାନା ଅଧିକାରୀ ଆର୍‍କେ ପୃଷ୍ଟି କହିଛନ୍ତି ଯେ, ଗ୍ରାମବାସୀଙ୍କ ନିଷ୍ପତ୍ତିରେ ଚୋର ଧରିବା ପାଇଁ ଗୁଣିଆ ଆସିଥିଲା। ଗୁଣିଆ ଏହି ପରିବାରର ସଦସ୍ୟଙ୍କ ନାମ କହିବାରୁ ଉତ୍ତେଜନା ଦେଖା ଦେଇଥିଲା। ସେ ଦୁହିଁଙ୍କୁ ମରଣ ମୁହଁରୁ ଉଦ୍ଧାର କରାଯାଇଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର