ନୟାଗଡ଼ ଜିଲ୍ଲାରେ କଙ୍ଗାରୁକୋର୍ଟ : ନୟାଗଡ଼ ସଦରଥାନା ଦୁରୁଦୁରା ପଞ୍ଚାୟତ ଉଦୟପୁର ଗ୍ରାମରେ ଗୋଟିଏ ପରିବାରକୁ ନିଆଁ ପାଣି ବନ୍ଦ, ପିଲାକୁ ସ୍କୁଲ୍‌ ନ ଛାଡ଼ିବାକୁ ତାଗିଦ୍‌, ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି ପିଡୀତା

ନୂଆଗାଁ : ନୟାଗଡ଼ ଜିଲ୍ଲାରେ କଙ୍ଗାରୁକୋର୍ଟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗାଁ ଗାଁରେ କଙ୍ଗାରୁକୋର୍ଟ କରି ପରିବାରକୁ ନିଆଁ, ପାଣି ବନ୍ଦ କରିବା ସହିତ ମାସ ମାସ ଧରି ବାସନ୍ଦ ରଖୁଛନ୍ତି। ଏଥିରେ ଅମାନ୍ୟ ହେଲେ ଲକ୍ଷାଧିକ ଟଙ୍କା ଜରିମାନା ଦେବାକୁ ପଡ଼ୁଛି। ନୟାଗଡ଼ ସଦରଥାନା ଦୁରୁଦୁରା ପଞ୍ଚାୟତ ଉଦୟପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ, ଉଦୟପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କ ଘର ଉପର ଦେଇ ବିଦ୍ୟୁତ୍ ତାର ଯିବାକୁ ନେଇ ବିବାଦ ଦେଖାଦେଇଥିଲା। ପରମାନନ୍ଦ ସାହୁଙ୍କ ଘରକୁ ରବୀନ୍ଦ୍ରଙ୍କ ଘର ଉପର ଦେଇ ବିଦ୍ୟୁତ୍ ତାର ଯାଇଥିଲା। ରବୀନ୍ଦ୍ର ଘର ଉପର ଦେଇ ତାର ନେବାକୁ ବାରଣ କରିଥିଲେ ମଧ୍ୟ ପରମାନନ୍ଦ ଶୁଣିନଥିଲେ। କିଛିଦିନ ପରେ ରବୀନ୍ଦ୍ର ବିଦ୍ୟୁତ୍ ତାର ବାହାର କରିଦେବା ପରେ ବିବାଦ ଦେଖାଦେଇଥିଲା। ପରମାନନ୍ଦ ରବୀନ୍ଦ୍ରଙ୍କ ଉପରେ ରାଗ ସୁଝାଇବାକୁ ସୁଯୋଗ ଖୋଜୁଥିଲା। ଗତ ମାର୍ଚ୍ଚ ମାସରେ ସାମାନ୍ୟ କଥାକୁ ନେଇ ପରମାନନ୍ଦ ରବୀନ୍ଦ୍ର ସାହୁଙ୍କ ବଡ଼ପୁଅ ଟୁନାକୁ ନିଧୂର୍ମ ମାଡ଼ ମାରିଥିଲା। ଏହା ପରେ କଥା ଯାଇ ଗାଁରେ ପହଞ୍ଚିଲା। ଗାଁ ସଭାପତି ହାଉଳିଆ ସାହୁ ନ୍ୟାୟ କରି ରବୀନ୍ଦ୍ର ସାହୁଙ୍କୁ ୧୦ ହଜାର ଟଙ୍କା ଜରିମାନା ପକାଇଲା। ରବୀନ୍ଦ୍ର ଏତେ ଟଙ୍କା ନ ଦେବାରୁ ତାଙ୍କୁ ଗାଁରୁ ବାସନ୍ଦ କରାଗଲା।

ଏମିତି ୯ ମାସ ବାସନ୍ଦ ରହିବା ଭିତରେ ବାରମ୍ବାର ନ୍ୟାୟ କରିବାକୁ ଗାଁରେ ଘଣ୍ଟ ବାଡ଼େଇ ରବୀନ୍ଦ୍ରଙ୍କୁ ଘରୁ ଡାକି ଆଣି ଗାଁ ମଝିରେ ମାଡ଼ ମାରିଥିବା ରବୀନ୍ଦ୍ରଙ୍କ ସ୍ତ୍ରୀ କୁମାରୀ ସାହୁ ନୟାଗଡ଼ ସଦରଥାନାରେ ଅଭିଯୋଗ କରିଛନ୍ତି। ଗାଁ ସଭାପତିଙ୍କ ସମେତ ହାଉଳିଆ ସାମଲ, ଜଡ଼ା ସାମଲ, ମୁନା ସାମଲ, ଉଲା ସାହୁ, ମକରା ସାହୁ, ମଙ୍ଗୁଳି ସାମଲ, ପ୍ରସନ୍ନ ଜେନା, ପ୍ରକାଶ ଜେନା ସ୍ବାମୀଙ୍କୁ ଗାଁ ଦାଣ୍ତରେ ମାଡ଼ ମାରିଥିବା ବେଳେ କୁମାରୀ ସାହୁଙ୍କୁ ହାଉଳିଆ ସାମଲ, ପ୍ରସନ୍ନ ଜେନା ଏବଂ ତାଙ୍କ ସ୍ତ୍ରୀ କୁନି ଜେନା ଆଦି ମିଶି ମାଡ଼ ମାରିଛନ୍ତି। ଏଥିରେ ରବୀନ୍ଦ୍ର ସାହୁ ଏବଂ ସ୍ତ୍ରୀ କୁମାରୀ ସାହୁ ଗୁରୁତର ଆହତ ହୋଇ ୧୦୮ ଆମ୍ବୁଲାନ୍ସରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ବୁହା ହୋଇଥିଲେ। ତଥାପି ଗାଁ ଲୋକଙ୍କ ରାଗ ଶୁଝିନଥିଲା। ଗତ ୪ ଦିନ ତଳେ ବଡ଼ପୁଅ ଟୁନା ସାହୁକୁ ସମସ୍ତେ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଦେଇଥିବା କୁମାରୀ ଅଭିଯୋଗ କରିଛନ୍ତି। ଏବେ ତାଙ୍କ ଘରୁ ଦୁଇଟି ଗ୍ୟାସ୍‌ ଟାଙ୍କି ବୋହି ନେଇ ଯାଇଥିବା ବେଳେ ୨ଟି ମୋବାଇଲ୍ ଫୋନ୍, ୨ ହଜାର ଟଙ୍କା ଏବଂ ଥାନାରେ ଅଭିଯୋଗ କରିଥିବା ସମସ୍ତ ଜେରକ୍ସ କପିକୁ ଛଡ଼ାଇ ନେଇଥିଲେ। ଏହା ପରେ ଗାଁ ବସି ରବୀନ୍ଦ୍ରଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଜରିମାନା ପକାଇଥିବା ସେ ଅଭିଯୋଗ କରିଛନ୍ତି।

ଏତିକିରେ ଗ୍ରାମବାସୀଙ୍କ ରାଗ ଶାନ୍ତ ହୋଇନଥିଲା ରବିନ୍ଦ୍ରଙ୍କ ନାତି ସ୍ବାଧୀନ ସାହୁଙ୍କୁ ସ୍କୁଲ ନ ଛାଡ଼ିବାକୁ ଧମକ ଦେଇଥିବା ବେଳେ ଗାଁରୁ ନିଆଁପାଣି ବନ୍ଦ କରିଛନ୍ତି। ରବୀନ୍ଦ୍ରଙ୍କ ବଡ଼ପୁଅ ଟୁନା ଘର ଛାଡ଼ି ବାହାରେ ରହୁଥିବା ବେଳେ ପରିବାରରେ ଚୁଲି ଜଳୁନି। ଗତକାଲି ରବୀନ୍ଦ୍ର ସାହୁଙ୍କ ସ୍ତ୍ରୀ କୁମାରୀ ନୂଆଗାଁ ବିଡିଓଙ୍କୁ ଆସି ଦେଖା କରି ଆପତ୍ତି କରିଥିଲେ ମଧ୍ୟ ସେ ତହସିଲଦାରଙ୍କୁ ଦେଖା କରିବାକୁ କହିଥିଲେ। ତେବେ ସେ ନ୍ୟାୟ ପାଇବା ପାଇଁ ବାରଦୁଆର ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ନୟାଗଡ଼ ସଦରଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି। ସେ କହିଛନ୍ତି ରବୀନ୍ଦ୍ରଙ୍କ ପରିବାର ଲୋକେ ଗାଁକୁ ନ ମାନିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର