କାଙ୍ଗୁଲା ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ, ହାଇକୋର୍ଟ ଗଲା ‘ଅନାମ’

ଅନୁଗୁଳ : କାଙ୍ଗୁଲାରେ ସଂଘଟିତ ନାବାଳିକାକୁ ଦୁଷ୍କର୍ମ ଓ ଲୋମଟାଙ୍କୁରା ଘଟଣାର ଅଭିଯୁକ୍ତ ଅନାମ ଓରଫ୍‌ ଶ୍ରୀନିବାସ ଦେହୁରୀ(୨୨) ଫାଶୀ ଦଣ୍ଡାଦେଶରୁ ମୁକ୍ତି ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ଅନୁଗୁଳ ଏଡିଜେ ତଥା ପୋକ୍‌ସୋ ସ୍ବତନ୍ତ୍ର କୋର୍ଟରେ ଜୁଲାଇ ୨୬ତାରିଖ ଦିନ ସର୍ବୋଚ୍ଚ ଦଣ୍ଡାଦେଶ ଫାଶୀ ପାଇବାର ଠିକ୍‌ ପରଦିନ ଜେଲ୍‌ରୁ ଥାଇ ହାଇକୋର୍ଟରେ ଦଣ୍ଡାଦେଶ ବିରୋଧରେ ଅପିଲ୍‌ କରିଛି। ଅନାମର ଏହି ପିଟିସନ୍‌ ଅନୁଗୁଳ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣଙ୍କ ନିକଟରେ ଆଜି ପହଞ୍ଚିଛି। ପ୍ରାଧିକରଣଙ୍କ ମାଧ୍ୟମରେ ପିଟିସନ୍‌କୁ ହାଇକୋର୍ଟ ଆଇନ ସେବା ପ୍ରାଧିକରଣକୁ ପ୍ରେରଣ କରାଯିବ। ସେଠାରୁ ଅନାମକୁ ମାଗଣା ଆଇନ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ନିଜ ଜୀବନ ପାଇଁ କେବଳ ଜେଲ୍‌ରୁ ଅନାମ ନୁହେଁ, ତା’ର ଜଣେ ସମ୍ପର୍କୀୟ ମଧ୍ୟ ହାଇକୋର୍ଟରେ ଅନ୍ୟ ଏକ ଅପିଲ୍‌ ପିଟିସନ ଦାୟର କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଡବଲ ପିଟିସନ୍‌ ଦାଖଲ ପରେ ଅନାମର ଫାଶୀ ଦଣ୍ଡାଦେଶ ଉପରେ ମାନ୍ୟବର ହାଇକୋର୍ଟ କି’ ପ୍ରକାର ବିଚାର କରିବେ ତା’ ଉପରେ ସଭିଁଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୦ ତାରିଖରେ ଅନାମ ଏହି ଜଘନ୍ୟ ଏବଂ ବର୍ବରୋଚିତ ହତ୍ୟାକାଣ୍ଡ ରଚିଥିଲା। ସମୁଦାୟ ୩୬ଜଣଙ୍କ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତି କରି ପୋକ୍‌ସୋ ସ୍ବତନ୍ତ୍ର କୋର୍ଟ ଗତ ୨୬ ତାରିଖ ଦିନ ଅନାମକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଭଳି ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର