କଣ୍ଟିଲୋରେ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା : ଉଭୟ ଛାତ୍ରଛାତ୍ରୀ କଲେଜରୁ ବହିଷ୍କୃତ

ଛାତ୍ରୀଙ୍କ ଡାକ୍ତରୀ ମାଇନା, ଛାତ୍ର ଫେରାର
ତଦନ୍ତ ପାଇଁ ପୁଲିସର ସ୍ୱତନ୍ତ୍ର ଟିମ୍‌ ଗଠନ
କୋର୍ଟରେ ୧୬୪ରେ ବୟାନ ରେକର୍ଡ
ତୃତୀୟ ବ୍ୟକ୍ତିଙ୍କ ସଂପୃକ୍ତି ସନ୍ଦେହ

ନୟାଗଡ଼/କଣ୍ଟିଲୋ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କଣ୍ଟିଲୋରେ ଜନୈକ ନାବାଳିକା ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଆଜି ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ସେପଟେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂପୃକ୍ତା ଛାତ୍ରୀଙ୍କ ଡାକ୍ତରୀମାଇନା କରାଯିବା ସହ କୋର୍ଟରେ ୧୬୪ରେ ବୟାନ ରେକର୍ଡ କରାଯାଇଛି। ଛାତ୍ରଛାତ୍ରୀଙ୍କ ଏପରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ ଘଟଣା ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଛାତ୍ର ଓ ତାର ପରିବାର ଲୋକେ ଘରେ ତାଲା ମାରି କେଉଁଆଡ଼େ ଫେରାର ହୋଇଯାଇଥିବା ପୁଲିସ୍‌ କହିଛି। ସେପଟେ ଏହି ଘଟଣାରେ ତୃତୀୟ ବ୍ୟକ୍ତି କେହି ସଂପୃକ୍ତ ରହିଥିବା ସନ୍ଦେହ କରାଯାଉଛି।

ଏକ ଜଙ୍ଗଲିଆ ସ୍ଥାନରେ ସ୍ଥାନୀୟ ଅଞ୍ଚଳର ଏକ ମହାବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କ ସହ ଜନୈକ ଛାତ୍ରର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ୪/୫ ଦିନ ହେବ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଗତକାଲି ସଂପୃକ୍ତା ଛାତ୍ରୀଙ୍କ ପରିବାର ଲୋକେ ଏ ନେଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ଏ ନେଇ ଛାତ୍ରୀ ଓ ତାର ପରିବାରକୁ ଥାନାକୁ ଡାକି ପଚରାଉଚରା କରିଛି। ଖଣ୍ଡପଡା ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ସୂଚନା ମୁତାବକ, ଛାତ୍ରୀ ଜଣକ ପୁଲିସ ଆଗରେ କହିଛନ୍ତି କି ଗତ ଫେବ୍ରୁଆରି ୧୭ ତାରିଖରେ ସେ ନିଜ ଘରୁ କଲେଜ ଆସିଥିଲେ। ସେଠାରୁ ନିକଟସ୍ଥ ପର୍ଯ୍ୟଟନସ୍ଥଳୀ ଗୋକୁଳାନନ୍ଦ ପୀଠକୁ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିଲେ। ସେଠାରେ ତାଙ୍କୁ ଛୁରୀ ଦେଖାଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା। ସଂପୃକ୍ତ ଛାତ୍ର ଓ ପରିବାର ଲୋକେ ଫେରାର ଥିବା ଶ୍ରୀ ମଲ୍ଲିକ କହିଛନ୍ତି। ସେପଟେ ଭିଡିଓରେ ରହିଥିବା ଛାତ୍ରଛାତ୍ରୀ ଯେଉଁ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି, ସେଠାରୁ ତାଙ୍କୁ ବହିଷ୍କାର କରାଯାଇଥିବା ସଂପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି। ମହାବିଦ୍ୟାଳୟ ଶୃଙ୍ଖଳା କମିଟିର ନିଷ୍ପତ୍ତିକ୍ରମେ ଦୁଇଜଣଙ୍କୁ ମହାବିଦ୍ୟାଳୟରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି। ସେପଟେ ଭିଡିଓ ଭାଇରାଲ୍‌ ଘଟଣା ପରେ ମହାବିଦ୍ୟାଳୟ କ୍ଲାସ୍‌ରୁମ୍‌କୁ ମୋବାଇଲ୍‌ ନେବା ଉପରେ କଟକଣା ଜାରି କରାଯାଇଥିବା ସେ କହିଛନ୍ତି।

ଅନ୍ୟପଟେ ଭିଡିଓକୁ ଦେଖିଲେ କେହି ତୃତୀୟ ବ୍ୟକ୍ତି ଏଥିରେ ରହିଥିବା ସନ୍ଦେହ କରାଯାଉଛି। ପ୍ରଥମରୁ ଛାତ୍ରଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ମୋବାଇଲ୍‌ରେ କେହି ରେକର୍ଡିଂ କରୁଥିବା ଅନୁମାନ କରାଯାଉଛି। କାରଣ ଛାତ୍ର ଜଣକ ଯେଉଁ ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତରେ ରହିଛନ୍ତି, ସେହି ସମୟରେ ଛାତ୍ରୀଙ୍କ ପିଠି ଉପରେ ଛାତ୍ରଙ୍କ ଦୁଇ ହାତ ରହିଥିବା ଦେଖିବାକୁ ମିଳିଛି। ଏଣୁ ପ୍ରଥମେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ କେହି ସୁଟିଂ କରିବା ପରେ ସଂପୃକ୍ତ ଛାତ୍ର ଜଣକ ସେଲ୍‌ଫି ଜରିଆରେ ଏହାକୁ ରେକର୍ଡିଂ କରିଥିବା ଅନୁମାନ କରାଯାଉଛି। ଭାଇରାଲ୍‌ ହୋଇଥିବା ଭିଡିଓ କ୍ଲିପିଂ ମଝିରେ ମଝିରେ କଟାଯାଇଥିବାରୁ ଏଥିରେ ଆହୁରି କିଛି ଭିଡିଓ ତୃତୀୟ ବ୍ୟକ୍ତିଙ୍କ ପାଖରେ ରହିଥିବା ଅନୁମାନ କରାଯାଉଛି। ସବିଶେଷ ତଦନ୍ତ ପରେ କ’ଣ ସତ, କ’ଣ ମିଛି ତାହା ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର