ଡବଲ ଭୂମିକାରେ ସିବଲ, ବାହାରେ ଅନିଲ ଅମ୍ବାନିଙ୍କୁ ବିରୋଧ, କୋର୍ଟ ଭିତରେ ସମର୍ଥନ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ସିବଲଙ୍କ ଦୁଇ ପ୍ରକାର ଭୂମିକା ଆଜି ପଦାକୁ ଆସିଛି। ଗୋଟିଏ ପଟେ କଂଗ୍ରେସର ନେତାଭାବେ ସେ ଆଜି ରାଫେଲ ମାମଲାରେ ଶିଳ୍ପପତି ଅନିଲ ଅମ୍ବାନିଙ୍କୁ ଆକ୍ରମଣ କରିଥିବା ବେଳେ ଅନ୍ୟପଟେ ସୁପ୍ରି‌ମକୋର୍ଟରେ ଅନିଲଙ୍କ ସପକ୍ଷରେ ମାମଲା ପରିଚାଳନା କରିଛନ୍ତି। ରିଲାଏନ୍ସ କମ୍ୟୁନିକେସନ୍ସ ଅଧ୍ୟକ୍ଷଙ୍କ ବିରୋଧରେ ଏରିକସନ ଇଣ୍ଡିଆ ପକ୍ଷରୁ ଏକ ଅଦାଲତ ଅବମାନନା ମାମଲା ହୋଇଛି। ରିଲାଏନ୍ସ ପକ୍ଷରୁ ଏରିକ୍ସନ ଇଣ୍ଡିଆକୁ ୫୫୦ କୋଟି ଟଙ୍କା ଦିଆଯାଇ ନଥିବାରୁ ଏହା ସୁପ୍ରିମକୋର୍ଟଙ୍କ ରାୟର ଅବମାନନା କରୁଛି ବୋଲି ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ‌ବେଳେ କପିଲ ସିବଲ ଓ ଅନ୍ୟ ଜଣେ ଆଇନଜୀବୀ ମୁକୁଲ ରୋହତୋଗି  ଯୁକ୍ତି ଦର୍ଶାଇଥିଲେ ଅନିଲ ଅମ୍ବାନି କୌଣସି ପ୍ରକାର ଅଦାଲତ ଅବମାନନା କରିନାହାନ୍ତି। ଅଦାଲତ ଅନିଲ ଅମ୍ବାନିଙ୍କୁ ବୁଧବାର ଅଦାଲତରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସିବଲ ସାମ୍ବାଦିକମାନଙ୍କୁ କହିଛନ୍ତି, ରିଲାଏନ୍ସ କମ୍ୟୁନିକେସନ୍ସ ପାଇଁ ଏରିକସନ ବିରୋଧରେ ମୁଁ ମାମଲା ପରିଚାଳନା କରୁଛି। ରାଫେଲ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହା ଏକ କର୍ପୋରେଟ ଲଢ଼େଇ ଏବଂ ଅନିଲ ଅମ୍ବାନି ହେଉଛନ୍ତି ଏମଡି। ମୁଁ ସେମାନଙ୍କ ପାଇଁ ୨୦ ବର୍ଷ ହେଲା ମାମଲା ପରିଚାଳନା କରୁଛି।

ସମ୍ବନ୍ଧିତ ଖବର