ଚିନ୍ତା ବଢ଼ାଇଲେ କର କ୍ଲିନିକ୍ ଫେରନ୍ତା ‌ରୋଗୀ

ଗ୍ରାମବାସୀ ଛାଡ଼ିଲେନି,  ସଙ୍ଗରୋଧରେ ରହିଲେ,  ତଥ୍ୟ ସଂଗ୍ରହ କଲା ପ୍ରଶାସନ

ବେଗୁନିଆପଡ଼ା : ‌କ‌ରୋନାରେ ସଂକ୍ରମିତ ଓଡ଼ିଶାର ତୃତୀୟ ବ୍ୟକ୍ତି ଭୁବନେଶ୍ବର କର କ୍ଲିନିକ୍‌ରେ ଚିକିତ୍ସିତ ହୋଇଥିଲେ। ଏଥିପାଇଁ ଉକ୍ତ କ୍ଲିନିକ୍‌କୁ ଯିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିବା ସହ ଡାକ୍ତର ଓ ନର୍ସମାନଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ ଏହି କ୍ଲିନିକ୍‌ରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଧୀନ କୁମାରୀପାରି ଗ୍ରାମର ଜଣେ ବ୍ୟକ୍ତି ଚିକିତ୍ସିତ ହୋଇ ଗତକାଲି ଫେରିବା ପରେ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଉକ୍ତ ବ୍ୟକ୍ତିଙ୍କୁ ଗ୍ରାମବାସୀ ଗାଁ ଭିତରକୁ ଛାଡ଼ି ନ ଥିଲେ। ଆଉ ବିଦ୍ୟାଳୟ ପରିସରରେ ହୋଇଥିବା ସଙ୍ଗରୋଧ କକ୍ଷରେ ରହିବାକୁ କହିଥିଲେ। ଉକ୍ତ ବ୍ୟକ୍ତିଙ୍କ ସହ ତାଙ୍କ ବାପା ମା’ ବି ରହିଛନ୍ତି।

ମିଳିଥିବା ସୂଚନାନୁସାରେ, ଉକ୍ତ ବ୍ୟକ୍ତିଜଣକ ଦୁର୍ଘଟଣାରେ ଗୁରୁତର ହୋଇ ଗତ ୧୦ ତାରିଖରେ କର କ୍ଲିନିକ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କର ବାମ ଗୋଡ଼ ଓ ହାତ ଭାଙ୍ଗି ଯାଇଥିଲା। ୧୬ ଦିନ ଧରି ସେ ସେଠା‌ରେ ଚିକିତ୍ସିତ ହେବା ପରେ ଗତକାଲି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଡିସ୍‌ଚାର୍ଜ କରିଥିଲେ। କିନ୍ତୁ ଏହା ମଧ୍ୟରେ କରୋନା‌ରେ ଆକ୍ରାନ୍ତ ଓଡ଼ିଶାର ତୃତୀୟ ବ୍ୟକ୍ତି ମଧ୍ୟ ସେଠାରେ ଚିକିତ୍ସିତ ହେଉଥିଲେ। ଫଳରେ ଡିସ୍‌ଚାର୍ଜ ହୋଇ ଆସିଥିବା ଉକ୍ତ ବ୍ୟକ୍ତିଙ୍କୁ କୁମାରପାରି ଗ୍ରାମବାସୀ ଛାଡ଼ି ନଥିଲେ। ଗ୍ରାମରେ ଥିବା ସଙ୍ଗରୋଧ କକ୍ଷକୁ ତୁରନ୍ତ ପଳାଇବାକୁ କହିଥିଲେ।

ଆଜି ବେଗୁନିଆପଡ଼ା ବିଡିଓ ବେଦବର ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଡାକ୍ତର ଓ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ତାରେଣୀ ପ୍ରମୁଖ ଗ୍ରାମରେ ପହଞ୍ଚିଥିଲେ। ଉକ୍ତ ବ୍ୟକ୍ତିଙ୍କ ସହ ଆଲୋଚନା କରି ସେ ଏହା ମଧ୍ୟରେ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ଏନେଇ ତଥ୍ୟ ସଂଗ୍ରହ କରିଥିଲେ।

ସୁମଣ୍ଡଳ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ରାଜେନ୍ଦ୍ର ପ୍ରଧାନ କହିଛନ୍ତି, ଉକ୍ତ ବ୍ୟକ୍ତିଙ୍କ ପାଖରେ କରୋନାର ଲକ୍ଷଣ ନାହିଁ। ରାହାଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଦେଇଥିବା ରିପୋର୍ଟରୁ ତାହା ସ୍ପଷ୍ଟ ହୋଇଛି। ତଥାପି ତାଙ୍କୁ ସଙ୍ଗରୋଧ କକ୍ଷରେ ରଖାଯାଇଛି। ଆବଶ୍ୟକସ୍ଥଳେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ। ତାଙ୍କ ବାପାମାଙ୍କୁ ଏଠାରେ ରଖାଯାଇଛି। ଖାଲି ଏତିକି ନୁହେଁ, ସେ କର କ୍ଲିନିକ୍‌ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସଂପର୍କୀୟମାନେ ସେଠାକୁ ଯାଉଥିବା ଜଣାପଡ଼ିଛି। ଫଳରେ ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି। ୧୪ ଦିନ ସେମାନଙ୍କ ଉପରେ ନଜର ରଖାଯିବ।

ସମ୍ବନ୍ଧିତ ଖବର