ଚୂଡ଼ାନ୍ତ ହେଲା କାର୍ତିକ ନୀତି

ମାନସିକଧାରୀଙ୍କ ତାଡ଼ ଜଳା ଉପରେ କଟକଣା, ମାସସାରା ପ୍ରବେଶ ପାଇଁ ଖୋଲା ରହିବ ଶ୍ରୀମନ୍ଦିର ଚାରିଦ୍ବାର, ସେବାୟତ ପରିବାରର ୨୬୮ ହବିଷ୍ୟାଳିଙ୍କୁ ସହାୟତା ରାଶି

ପୁରୀ : କାର୍ତିକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହବିଷ୍ୟାଳିଙ୍କ ଉପଲକ୍ଷେ ଶ୍ରୀମନ୍ଦିର ନୀତି ସବ୍‌କମିଟିର ବୈଠକ ଆଜି ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ବୈଠକରେ କାର୍ତିକ ମାସ ବାଳଧୂପ ନୀତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ନଭେମ୍ବର ୧୨ ସୋମବାରରେ ଅବକାଶ ପରେ ହରିହର ବେଶ, ନଭେମ୍ବର ୧୯ରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ, ନଭେମ୍ବର ୨୦ରେ ବାଙ୍କଚୂଢ଼ ବା ବାମନ ବେଶ, ନଭେମ୍ବର ୨୧ରେ ଆଡ଼ିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୨୨ରେ ଡାଳିକିଆ ବା ଲକ୍ଷ୍ମୀ ନୃସିଂହ ବେଶ ଏବଂ ନଭେମ୍ବର ୨୩ରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଏହି ନୀତି ସବୁ ସୁରୁଖୁରରେ ସଂପାଦନ ପାଇଁ ବୈଠକରେ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। କାର୍ତିକ ବ୍ରତ ସମୟରେ ଦ୍ବାରଫିଟା ନୀତି ପ୍ରାତଃ ୪ଟାରେ କରାଯିବାକୁ ଥିବାବେଳେ ରାତି ୧୨ଟାରେ ରାତ୍ର ପହୁଡ଼ ପାଇଁ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ସହ ରହିବା, ଖାଇବା, ପୂଜାକାର୍ଯ୍ୟ ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି। ମାନସିକଧାରୀଙ୍କ ତାଡ଼ ଜଳା ଉପରେ କିଛିଟା କଟକଣା ଲଗାଯାଇଛି। ଏହି ମାସରେ ମାନସିକଧାରୀମାନେ ତାଡ଼ରେ ଲକ୍ଷେ ବଳିତା ଜାଳିଥାନ୍ତି। ତାଡ଼ ଜାଳିବା ପାଇଁ ସମୟ ନିର୍ଘଣ୍ଟ ହୋଇଛି। ପ୍ରତ୍ୟହ ପଛ ଭଅଣ୍ଡ ପରେ ଅର୍ଥାତ୍ ପ୍ରାୟ ଗୋଟାଏରୁ ଆଗାମୀ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମାନସିକଧାରୀମାନେ ଗରୁଡ଼ ସ୍ତମ୍ଭ ଚାରିପାଖରେ ତାଡ଼ ଧରି ବୁଲି ପାରିବେ। କିନ୍ତୁ ଶ୍ରୀମନ୍ଦିର ଭିତରେ ତାଡ଼ ଜାଳି ବସି ପାରିବେନି। ମା’ ଲକ୍ଷ୍ମୀଙ୍କ ମନ୍ଦିର ନିକଟ ବେଶସଭା ମଣ୍ଡପ ନିକଟରେ ମାନସିକଧାରୀମାନେ ତାଡ଼ ଜାଳି ବସିପାରିବେ ବୋଲି ନୀତିଗତ ନିଷ୍ପତ୍ତି ହୋଇଛି। ଶନିବାର, ରବିବାର ସମେତ ପର୍ବପର୍ବାଣିରେ ଭକ୍ତଙ୍କ ପ୍ରବଳ ଭିଡ଼ ରହୁଥିବାରୁ ଏସବୁ ଦିନରେ ଦିବା ପହୁଡ଼ ନକରିବାକୁ ନିଷ୍ପତ୍ତି ହୋଇଛି।

କାର୍ତିକ ମାସରେ ହବିଷ୍ୟାଳିଙ୍କ ସମେତ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ ଚାରିଦ୍ବାରରେ ପ୍ରବେଶ ବ୍ୟବସ୍ଥା କରାଯାଇଛି। କାର୍ତିକ ମାସ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ନଭେମ୍ବର ୨୩ ପର୍ଯ୍ୟନ୍ତ ହବିଷ୍ୟାଳି ଓ ଭକ୍ତମାନେ ଚାରିଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ।

ଗତ ଅଗଷ୍ଟ ୧୮ ପରିଚାଳନା କମିଟି ବୈଠକରେ ଭତ୍ତା ପାଉଥିବା ସେବାୟତ ପରିବାରର ୨୬୮ଜଣ ହବିଷ୍ୟାଳିଙ୍କୁ ଚିହ୍ନଟ କରାଯାଇଥିଲା। ହବିଷ ପାଳିବା ପାଇଁ ଏମାନଙ୍କୁ ହଜାରେ ଲେଖା ଟଙ୍କା ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ହୋଇଥିଲା। ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ସେବାୟତ ପରିବାରର ଭତ୍ତା ପାଉଥିବା ୭ଜଣ ବୃଦ୍ଧା ଏହି ସହାୟତା ରାଶି ପାଇଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଏହି ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଆରକ୍ଷୀ ଅଧୀକ୍ଷକ ଡ. ସାର୍ଥକ ଷଡ଼ଙ୍ଗୀ, ନୀତି ପ୍ରଶାସକ ପ୍ରଦୀପ ଦାଶ, ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର