କାଟ୍‌ଜୁ ପରୋକ୍ଷରେ ଦେଲେ ଚାଲେଞ୍ଜ : ସାହସ ଅଛି ତ ଗିରଫ କର

ଭୁବନେଶ୍ବର : ଓଡ଼ିଆ, ଓଡ଼ିଶାବାସୀଙ୍କ କଳା, ସଂସ୍କୃତି ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ୍ ମିତ୍ର ଆୟାର ପ୍ରାୟ ୪୩ଦିନ ଜେଲ୍‌ରେ ରହି ମୁକୁଳିଲେ। କିନ୍ତୁ ଏଥିରୁ କିଛି ଶିଖିପାରିଲେନି ଅବସରପ୍ରାପ୍ତ ବିଚାରପତି ମା‌ର୍କଣ୍ଡେୟ କାଟ୍‌ଜୁ। ପ୍ରାୟ ଦୁଇ ବର୍ଷ ତଳେ ଓଡ଼ିଆଙ୍କ ଭାବାବେଗକୁ ସେ କିପରି ଆଘାତ ଦେଇଥିଲେ, ଓଡ଼ିଆଙ୍କ ଜାତିକୁ ନେଇ ଯେଉଁ ଉପହାସ କରିଥିଲେ ସେଥିପାଇଁ ତାଙ୍କୁ କେବେ ଜେଲ୍‌ ହେବ ବୋଲି ପଚାରିଛନ୍ତି।

ଜଷ୍ଟିସ୍‌ କାଟ୍‌ଜୁ ଆଜି ଟୁଇଟ୍ କରିଛନ୍ତି ଯେ, ‘ମୁଁ ମଧ୍ୟ ତୁମକୁ ପୂର୍ବରୁ ଉପହାସ କରିଥିଲି (ମୋ ପୂର୍ବ ଫେସ୍‌ବୁକ୍ ପୋଷ୍ଟ୍‌ରେ ଉଲ୍ଲେଖ ଅଛି), ତେବେ କେବେ ମେ‌ାତେ ଜେଲ୍‌ ହାଜତରେ ଭର୍ତ୍ତି କରିବ। ମୁଁ ନିଶ୍ଚିତ କ୍ଷମା ମାଗିବି, ଯେମତି ଅଭିଜିତ୍ ଆୟାର ମିତ୍ର ମାଗିଲେ। କିନ୍ତୁ ମେ‌ାତେ କ୍ଷମା ଦେବା ପୂର୍ବରୁ ନିଶ୍ଚିତ ୪୩ଦିନ ଜେଲ୍‌ରେ ରଖିବାକୁ ପଡ଼ିବ।’

ଜଷ୍ଟିସ୍‌ କାଟ୍‌ଜୁ ଏହି ଟୁଇଟ୍ କରି ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଚାଲେଞ୍ଜ ଦେଇଛନ୍ତି ‌ଯେ, ସାହାସ ଅଛି ତ ମୋତେ ଗିରଫ କର। ଆଉ ୪୩ ଦିନ ଜେଲ୍‌ରେ ରଖିକି ଦେଖାଅ।
କାଟ୍‌ଜୁଙ୍କ ଏହି ମନ୍ତବ୍ୟକୁ ବହୁ ଓଡ଼ିଆ ନାପସନ୍ଦ କରିବା ସହ ସମାଲୋଚନା ବି କରିଛନ୍ତି। କାଟ୍‌ଜୁ ଓଡ଼ିଆଙ୍କୁ ଓ ରାଜ୍ୟ ସରକାରଙ୍କୁ ଖୋଲା ଚାଲେଞ୍ଜ୍‌ ଦେଇଥିବାରୁ ତାଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ଟୁଇଟର୍‌ରେ କାଟ୍‌ଜୁଙ୍କ ମନ୍ତବ୍ୟକୁ ନେଇ ଚାରିଆଡ଼େ ନିନ୍ଦା କରାଯାଉଥିବାବେଳେ ଆଶ୍ଚର୍ଯ୍ୟର ବିଷୟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏହାକୁ ଲାଇକ୍ କରିଛନ୍ତି।

ସମ୍ବନ୍ଧିତ ଖବର