ଭୁବନେଶ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିଵାଲ୍ : କେନ୍ଦ୍ର, ରାଜ୍ୟ ଉପରେ ବର୍ଷିଲେ

ଓଡ଼ିଶାରେ ୟୁନିଟ୍‌ ପିଛ‌ା ୫ ଟଙ୍କା କାହିଁକି?

ଭୁବନେଶ୍ବର : ୭୦ବର୍ଷ ତଳେ ଦେଶକୁ ସ୍ବାଧୀନତା ମିଳିଛି ସତ, କିନ୍ତୁ ଭାରତଠୁ ପଛରେ ସ୍ବାଧୀନତା ପାଇଥିବା ରାଷ୍ଟ୍ରମାନେ ଆଜି ସବୁ ଦିଗରେ ବିକଶିତ ହୋଇପାରିଛନ୍ତି। ବିକାଶ ନାଁରେ ଦୀର୍ଘ ବର୍ଷ ଧରି ଏ ଦେଶକୁ ଶାସନ କରୁଥିବା କଂଗ୍ରେସ,ବିଜେପି କେବଳ ଲୋକଙ୍କ ସହ ପ୍ରତାରଣା କରିଆସିଛନ୍ତି । ଆଉ ଓଡ଼ିଶାରେ ଶାସନ ଖଣି ମାଫିଆଙ୍କ କବ୍‌ଜାରେ ଅଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ।

ଆଜି ଭୁବନେଶ୍ବର ଲୋୟର ପିଏମଜିରେ ସାମାଜିକ ନ୍ୟାୟ ଅଭିଯାନ ଓଡ଼ିଶା ପକ୍ଷରୁ ଆୟୋଜିତ ସଭାରେ ଶ୍ରୀ କେଜ୍ରିୱାଲ ଯୋଗ ଦେଇଥିଲେ। ‌ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ , ଓଡ଼ିଶାରେ ମିଳିତ ମେଣ୍ଟ ସରକାର ଚାଲିଛି। ବିଜେପି ପକେଟରେ ବିଜେଡି, ଆଉ ବିଜେଡି ପକେଟରେ କଂଗ୍ରେସ ଅଛି । ସେଥିପାଇଁ ଓଡ଼ିଶାରେ କୌଣସି ବିରୋଧୀ ଦଳ ନାହିଁ, ମିଳିମିଶି ଓଡ଼ିଶାକୁ ଲୁଟ୍ କରୁଛନ୍ତି। ୫ବର୍ଷରେ ଥରେ ଲୋକ ଦେଖାଣିଆ ନିର୍ବାଚନ ଲଢ଼ି କିଏ କେତେ ସିଟ୍ ନେବ ନିଜ ନିଜ ଭିତରେ ଭାଗ ବାଣ୍ଟି ନେଉଛନ୍ତି । କିନ୍ତୁ ଏବେ ପରିବର୍ତ୍ତନର ସମୟ ଆସିଛି । ଆଉ ଏ ପରିବର୍ତ୍ତନ ଓଡ଼ିଶାବାସୀଙ୍କ ହାତରେ ରହିଛି । ଦିଲ୍ଲୀରେ ଯେଭଳି ପରିବର୍ତ୍ତନ ହୋଇଛି ତାହା ଓଡ଼ିଶାରେ ସମ୍ଭବପର ହେବ । କିନ୍ତୁ ଆମ ଆଦ୍‌ମୀ ପାର୍ଟି ଏଠି ନିର୍ବାଚନ ଲଢ଼ିବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟବାସୀ ନେବେ ।

ତାଙ୍କ ସରକାରଙ୍କ ସଫଳତା ବଖାଣିବାକୁ ଯାଇ କେଜ୍ରିଵାଲ କହିଛନ୍ତି, ଓଡ଼ିଶାରେ ଦୀର୍ଘ ୨୦ ବର୍ଷ ଧରି ବିଜେଡି ଶାସନ କରୁଥିଲେ ବି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିପାରିନି । ସିଧାସିଧା କହିଛନ୍ତି, ଦିଲ୍ଲୀରେ ତାଙ୍କ ସରକାର ଆସିବା ପୂର୍ବରୁ ସରକାରୀ ସ୍କୁଲ ଗୁଡ଼ିକରେ କେହି ବି ଅଭିଭାବକ ସେମାନଙ୍କ ପିଲାଙ୍କୁ ପାଠ ପଢ଼ଉନଥିଲେ । ଘରୋଇ ସ୍କୁଲ ଗୁଡ଼ିକ ପ୍ରତିବର୍ଷ ଫି ବୃଦ୍ଧି କରି ପିଲାଙ୍କ ବାପାମାଙ୍କୁ ଶୋଷଣ କରୁଥିଲେ । କିନ୍ତୁ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ ସେ ଅବସ୍ଥା ଆଉ ନାହିଁ । ଏବେ ଅଭିଭାବକମାନେ ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ସେମାନଙ୍କ ପିଲାଙ୍କ ନାମ ଲେଖାଉଛନ୍ତି । ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲର ଫଳାଫଳ ମଧ୍ୟ ୧୦ ପ୍ରତିଶତ ଅଧିକ ହେଉଛି । ଗତ ୪ବର୍ଷ ମଧ୍ୟରେ ଘରୋଇ ସ୍କୁଲର ଫି’ ବୃଦ୍ଧି ହୋଇନି ଆଉ ଶୀଲା ଦୀକ୍ଷିତ ସରକାର ସମୟରେ ଯେଉଁ ଘରୋଇ ସ୍କୁଲ ଗୁଡ଼ିକ ଫି ବୃଦ୍ଧି କରିଥିଲେ ତାକୁ ମଧ୍ୟ ଫେରସ୍ତ ଦେବା କାର୍ଯ୍ୟ ଦିଲ୍ଲୀ ସରକାର କରିଛି ।

ସେହିପରି, ତାଙ୍କ ସରକାର କ୍ଷମତାକୁ ଆସିବା ପରେ ଦିଲ୍ଲୀରେ ବିଦ୍ୟୁତ ୟୁନିଟ୍ ପିଛା ୧ଟଙ୍କାରେ ଉପଲବ୍ଧ କରାଉଛି । ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ ନକରି ମାତ୍ର ୧ଟଙ୍କାରେ ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଉଥିବାବେଳେ ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହୋଇ ବି ଓଡ଼ିଶାର ଗ୍ରାହକଙ୍କୁ କାହିଁକି ୟୁନିଟ୍ ପିଛା ୫ ଟଙ୍କା ୭୦ ପଇସା ଦେବାକୁ ପଡ଼ୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ସମାବେଶରେ କଂଗ୍ରେସରୁ ବିତାଡ଼ିତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଯୋଗଦେଇ ମୋଦୀ ଓ ନବୀନ ସରକାରଙ୍କୁ ସମାଲୋଚନା କରିଥିଲେ। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ଏହି ସମାବେଶରେ ହଜାରେରୁ ଉର୍ଦ୍ଧ୍ବ ଆମ ଆଦମୀ ପାର୍ଟି କର୍ମୀ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର