କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ କବି ଜୟନ୍ତ ମହାପାତ୍ରଙ୍କୁ ଫେଲୋସିପ୍

କଟକ : କବି ଜୟନ୍ତ ମହାପାତ୍ର ଉତ୍ତରପିଢ଼ି ପାଇଁ‌ ପ୍ରେରଣାର ଉତ୍ସବ। ତାଙ୍କ କବିତାରେ ଜୀବନର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଥାଏ ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ସଭାପତି ପଦ୍ମଶ୍ରୀ ଚନ୍ଦ୍ରଶେଖର କମ୍ବର କହିଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଶତାବ୍ଦୀ ଭବନରେ ଆୟୋଜିତ ‘ସାହିତ୍ୟ ଅକାଡେମି ସର୍ବୋଚ୍ଚ ସମ୍ମାନ ଫେଲୋସିପ’ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ କମ୍ବର ଜୟନ୍ତ ମହାପାତ୍ରଙ୍କୁ ଜୀବନ୍ତ କିମ୍ବଦନ୍ତୀ ବୋଲି ବର୍ଣ୍ଣନା କରିଥିଲେ। କବିତା ମାଧ୍ୟମରେ କବି ଶ୍ରୀ ମହାପାତ୍ର ସାଧାରଣ ଲୋକଙ୍କ ସୁଖଦୁଃଖଠୁ ଆରମ୍ଭ କରି ପ୍ରାକୃତିକ ସୌନ୍ଦର୍ଯ୍ୟ, ଜନ୍ମଭୂମି କଟକକୁ ଅତି ନିଖୁଣ ଭାବେ ବର୍ଣ୍ଣନା ନିଜ କବି ପ୍ରତିଭାର ପରିଚୟ ଦେଇଛନ୍ତି ବୋଲି ପଦ୍ମଶ୍ରୀ କମ୍ବର ମତବ୍ୟକ୍ତ କରିଥିଲେ।

କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଶତାବ୍ଦୀ ଭବନରେ ଆୟୋଜିତ ଫେଲୋସିପ୍ ପ୍ରଦାନ ଉତ୍ସବରେ ଅକାଦେମି ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ଆନ୍ତର୍ଜାତିକ ଖାତିସଂପନ୍ନ କବି ଜୟନ୍ତ ମହାପାତ୍ରଙ୍କୁ କେନ୍ଦ୍ର ସାହିତ୍ୟ ଅକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଫେଲୋସିପ୍’ ପ୍ରଦାନ କରାଯାଇଥିଲା। ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ କହିଲେ ଭ‌‌ାରତ କବିତାର ଭୂମି ହୋଇଥିବା ବେଳେ ଏଥିରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର। ଓଡ଼ିଶା ଏକମାତ୍ର ଭୂମି; ଯେଉଁଠି ବିଖ୍ୟାତ କବି ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ମନୋଜ ଦାସ ଓ ଜୟନ୍ତ ମହାପାତ୍ରଙ୍କ ଭଳି ୪ଜଣ ଜୀବନ୍ତ ଫେଲୋ ସାରସ୍ବତ ସାଧନାରେ ସକ୍ରିୟ ଅଛନ୍ତି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି ସଚିବ ଶ୍ରୀ ରାଓ ମତବ୍ୟକ୍ତ କରିଥିଲେ। ଜୟନ୍ତ ମହାପାତ୍ରଙ୍କ କବିତାରେ ତାଙ୍କ ଗଭୀର ଅନୁଶୀଳନ ଓ ଜୀବନର ଅନୁଭୂତି ସୁନ୍ଦର ଓ ନିଖୁଣ ଭାବ‌େ ବର୍ଣ୍ଣିତ ହୋଇଥିବାରୁ ତାହା ସମୟ ଓ ଇତିହାସର ଉର୍ଦ୍ଧ୍ବରେ ‌ବୋଲି ଶ୍ରୀନିବାସ ରାଓ ମତପୋଷଣ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଉତ୍କଳ ସାହିତ୍ୟ ସମାଜ ସଭାପତି ତଥା କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଜୟନ୍ତ ମହାପାତ୍ରଙ୍କ କବିତା ଓ ବକ୍ତିତ୍ବ ବିଷୟରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ସାହିତ୍ୟ ଅକାଦେମୀ ପକ୍ଷରୁ ପ୍ରକାଶିତ ‘ଜୟନ୍ତ ମହାପାତ୍ର: ଏ ରିଡର୍‌’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଅକାଦେମିର ପ୍ରାକ୍ତନ ସଭାପତି ରମାକାନ୍ତ ରଥ ଏହି ପୁସ୍ତକକୁ କବି ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।

କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ଅଧିବେଶନରେ କବି ଜୟନ୍ତ ମହାପାତ୍ରଙ୍କ ଅଧାରିତ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଲେଖିକା ସୁକୃତ ପଲକୁମାର, ଶିକ୍ଷାବିତ ପ୍ରଫେସର ଅରୁଣ କମଲ ଓ ବିଶିଷ୍ଟ ଗବେଷକ ପ୍ରଫେସର ଡକ୍ଟର ଯତୀନ୍ଦ୍ର କୁମାର ନାୟକ କବି ଜୟନ୍ତ ମହାପାତ୍ରଙ୍କ ବିଷୟରେ ଆଲୋଚନା କରିଥିଲେ। ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ତରୁଣ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ସମାରୋହରେ ବହୁ ବିଶିଷ୍ଟ କବି ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର