କେନ୍ଦ୍ରାପଡ଼ା: ହାଇଓ୍ଵା-ମଟରସାଇକେଲ୍‌ ଦୁର୍ଘଟନା ଘଟି ଜଣେ ମୃତ; ଦୁଇ ଜଣ ଆହତ

କେନ୍ଦ୍ରାପଡ଼ା: ବୁଧବାର ବିଳମ୍ବିତ ସନ୍ଧ୍ୟା ବେଳେ ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ସଂସାରଫଳ ବଙ୍ଗଳାଛକ ନିକଟରେ ଗୋଟାଏ ହାଇଓ୍ଵା ଏବଂ ମଟରସାଇକେଲ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ୨୮ ବର୍ଷିୟ ସମୀର ମଳିକ। ଆହତମାନେ ହେଲେ ମଟରସାଇକେଲ୍‌ ଚଳାଉଥିବା ୨୭ ବର୍ଷିୟ ମୋହନ ମଳିକ ଏବଂ ପଛରେ ବସିଥିବା ୨୬ ବର୍ଷିୟ ରମେଶ ମଳିକ। ଦୁଇ ଆହତଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ସେଠାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ମୃତ ଓ ଆହତମାନଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଚନ୍ଦନନଗର ପଞ୍ଚାୟତ ଅଞ୍ଚଳର ଦଳବାଡ଼ ଗ୍ରାମରେ। ତିନିହେଁ ଗୋଟାଏ ଆପାଚି ମଟରସାଇକେଲ୍‌ରେ ଗୋପାଳପୁରରୁ ଫେରୁଥିବା ବେଳେ ମଦନପୁର-ସଂସାରଫଳ ରାସ୍ତାର ବଙ୍ଗଳାଛକ ନିକଟରେ ପଟ୍ଟାମୁଣ୍ଡାଇ ପଟୁ ଯାଉଥିବା ଗୋଟାଏ ହାଇଓ୍ଵା ଟ୍ରକ୍‌ ସାଇଡ୍‌ ମାରିଥିଲା। ଫଳରେ ବାଇକ୍‌ ଓ ଟ୍ରକ୍‌ ସାମ୍ନାସାମ୍ନି ଧକ୍କା ହୋଇଥିଲା।

ଦୁର୍ଘଟଣା ଘଟାଇଥିବା ହାଇଓ୍ଵାଟି ଘଟଣାସ୍ଥଳରୁ ଖସି ପଳାଇଛି।

ମୃତ ସମୀର ଗତବର୍ଷ ବାହା ହୋଇଥିଲେ ଏବଂ ତାଙ୍କ ବିଧବା ପତ୍ନୀ ଏବେ ଗର୍ଭବତୀ ଥିବା କଥା ପରିବାର ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର