କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ : କିଏ ହେବେ ବିଜେଡିର ସାଂସଦ ପ୍ରାର୍ଥୀ?

କେନ୍ଦ୍ରାପଡ଼ା, (ଭୈରବ ବ୍ରହ୍ମା): କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଏଥର ବିଜେଡିରୁ ପ୍ରାର୍ଥୀ କିଏ ହେବେ, ସେ ନେଇ ରାଜନୈତିକ ଆଲୋଚନା ସରଗରମ ହୋଇଛି। ଏଠାରୁ ୨ ଥର ବିଜେଡ଼ି ଟିକେଟରେ ବିଜୟୀ ହୋଇ ଦଳରୁ ବହିଷ୍କୃତ ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ରାଜନୈତିକ ଗତିବିଧି ଭିନ୍ନ ରୂପ ଧାରଣ କରିଛି।

୨୦୧୪ ମସିହା ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ମୋଟ ୬ ଲକ୍ଷ ୨୩ ଖଣ୍ଡ ଭୋଟ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ପାଇଥିଲେ ୩ ଲକ୍ଷ ୯୦ ହଜାର ୭୨୩ ଖଣ୍ଡ ଭୋଟ। ବିଜୟ ବ୍ୟବଧାନ ଥିଲା ୨ ଲକ୍ଷ ୯ ହଜାର ୩୦୦। ଅନ୍ୟପକ୍ଷରେ ତୃତୀୟ ସ୍ଥାନରେ ରହିଥିବା ବିଜେପିର ବିଷ୍ଣୁ ଦାସଙ୍କ ପକେଟ୍‌କୁ ଯାଇଥିଲା ସମୁଦାୟ ୧ ଲକ୍ଷ ୧୮ ହଜାର ୬୫୩ ଖଣ୍ଡ ଭୋଟ୍।

ଚଳିତ ନିର୍ବାଚନରେ ବିଷ୍ଠୁଙ୍କ ବଦଳରେ ବୈଜୟନ୍ତରୁ ବିଜେପି ପ୍ରାର୍ଥୀ ହେବା ଏକପ୍ରକାର ସ୍ପଷ୍ଟ। ବିଜେପି ଦଳୀୟ ମହଲ ଏବଂ ରାଜନୈତିକ ବିଶେଷଜ୍ଞ ଏହି ମତ ଦେଉଛନ୍ତି। ମାତ୍ର, ପୂର୍ବରୁ ପ୍ରାର୍ଥିତ୍ବ ନେଇ ସ୍ପଷ୍ଟ ଚିତ୍ର ରହିଥିବା ବିଜେଡି ଏଥରକ ଦ୍ବନ୍ଦ୍ବରେ ରହିଥିବା କୁହାଯାଉଛି। ଯଦି, ବୈଜୟନ୍ତ ବିଜେପିରୁ ପ୍ରାର୍ଥୀ ହୁଅନ୍ତି, ତାଙ୍କ ବିପକ୍ଷରେ ବିଜେଡିରୁ କିଏ ପ୍ରତିଦ୍ବନ୍ଦ୍ବିତା କରିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

କିଛିଦିନ ତଳେ, ମୁଖ୍ୟମନ୍ତ୍ରୀଙ୍କ ମିସନ୍ ଶକ୍ତି ସଭାରେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଏବଂ କେନ୍ଦ୍ରାପଡ଼ା ମାଟିର ଝିଅ ତଥା ମିସନ ଶକ୍ତିର ନିର୍ଦ୍ଦେଶିକା ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଭାଷଣ ଦେବା ପାଇଁ ସୁଯୋଗ ଦିଆଯିବା ଘଟଣା ଚର୍ଚ୍ଚାର ବିଷୟ ଥିଲା। ଏହି ଭାଷଣରୁ ଏହି ଦୁଇଜଣଙ୍କ ମଧ୍ୟରେ କେହି ବି ଦଳୀୟ ପ୍ରାର୍ଥୀ ହେବେ ବୋଲି ଆଲୋଚନା ଦାନା ବାନ୍ଧିଥିଲା।

ତେବେ, ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ ଅତନୁ ସବ୍ୟସାଚୀ ନାୟକ କିମ୍ବା ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ବିଜେଡି ରାଜ୍ୟ ସଂପାଦକ ପ୍ରମୋଦ ସାହୁଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ଛାଡ଼ିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ବିଜେଡିକୁ ଫେରିଲେ ଏହି ଧାରାରେ କିଛି ପରିବର୍ତନ ହୋଇ ପାରେ। ତେବେ, ଯଦି ଦିଲୀପ ବିଜେଡିରେ ଯୋଗ ଦେଉଛନ୍ତି, ତାଙ୍କୁ ପ୍ରାର୍ଥିତ୍ବ ସମ୍ଭାବନା ଅଧିକ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, କଂଗ୍ରେସ ମଧ୍ୟ ପୂର୍ବଥର ଲଢ଼ିଥିବା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କ ପ୍ରାର୍ଥୀପତ୍ର ଚୂଡ଼ାନ୍ତ କରିସାରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ବିଭିନ୍ନ ଦୃଷ୍ଟିକୋଣରୁ ଏହି ନିର୍ବାବଚନମଣ୍ଡଳୀର ସ୍ବତନ୍ତ୍ରତା ରହିଛି। ଏହାର ଅନ୍ୟ ଏକ ବିଶେଷତ୍ବ ହେଉଛି, ବାହାରୁ ପ୍ରାର୍ଥୀ ଆମଦାନି ହୁଅନ୍ତି ଓ ନିର୍ବାଚନ ଲଢ଼ି ବିଜୟୀ ହୋଇଥା’ନ୍ତି। ତେବେ, କେନ୍ଦ୍ରାପଡ଼ା ନିତ୍ୟାନନ୍ଦ କାନୁନଗୋ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ବିଜୟାନନ୍ଦ ଓରଫ ବିଜୁ ପଟ୍ଟନାୟକ, ଶରତ ଦେବ, ରବି ରାୟ, ଶ୍ରୀକାନ୍ତ ଜେନା, ପ୍ରଭାତ ସାମନ୍ତରାୟଙ୍କ ଭଳି ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରିଛି ତେବେ ଏଠାରୁ ଏକମାତ୍ର ମହିଳା ଭାବେ ଅର୍ଚ୍ଚନା ନାୟକ ନିର୍ବାଚନରେ ବିଜୟୀ ହୋଇଥିଲେ। ରବି ରାୟ ଏଠାରୁ ନିର୍ବାଚିତ ହୋଇ ଲୋକସଭାର ବାଚସ୍ପତି ଆସନ ଅଳଙ୍କୃତ କରିପାରିଥିଲେ ପରବର୍ତୀ ସମୟରେ। ବିଜୁ ବାବୁ, ଶ୍ରୀକାନ୍ତଙ୍କ ଭଳି କେନ୍ଦ୍ରମନ୍ତ୍ରୀ ପଦ ପାଇଛନ୍ତି। ତେଣୁ ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଅନେକ ନେତାଙ୍କ ପ୍ଲାଟ୍‌ଫର୍ମ ହୋଇଛି କେନ୍ଦ୍ରାପଡ଼ା।

କେନ୍ଦ୍ରାପଡ଼ାର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏବେ ସାଲେପୁର ମାହାଙ୍ଗାକୁ ଛାଡ଼ି ଦେଲେ ବିଜେଡ଼ି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ପାଟକୁରା ଓ କେନ୍ଦ୍ରାପଡ଼ାରେ ବିଜେଡ଼ି ବିଧାୟକ ଅଛନ୍ତି। ୨୦୦୯ରେ ବିଜେଡିରୁ ବୈଜୟନ୍ତ ପଣ୍ଡା ୫ଲକ୍ଷ ୨ହଜାର ୬୩୫, କଂଗ୍ରେସରୁ ରଞ୍ଜୀବ ବିଶ୍ୱାଳ ପାଇଥିଲେ ୩ଲକ୍ଷ ୭୫ ହଜାର ୫୨୮ ଖଣ୍ଡ ଭୋଟ। ବିଜେପିରୁ ପ୍ରାର୍ଥୀ ହୋଇଥିବା ଜ୍ଞାନଦେବ ବେଉରାଙ୍କ ଭାଗରେ ପଡ଼ିଥିଲା ୮୦ ହଜାର ୩୯୨ ଖଣ୍ଡ ଭୋଟ।

୨୦୦୪ରେ ଅର୍ଚନା ନାୟକ ବିଜେଡି ଟିକେଟରୁ ୮୬ ହଜାର ୮୪୩ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ମିଳିଥିଲା ୩ଲକ୍ଷ ୬୬ହଜାର ୪୩୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଅର୍ଚନା ପାଇଥିଲେ ୪ଲକ୍ଷ ୫୩ ହଜାର ୨୭୬ ଖଣ୍ଡ ଭୋଟ। ୧୯୯୯ ମସିହାରେ ପ୍ରଭାତ ସାମନ୍ତରାୟ ବିଜେଡି ଲଢ଼ି ୩ଲକ୍ଷ ୫୯ ହଜାରେ ୩୧୪ ଖଣ୍ଡ ଭୋଟ, କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ନାୟକ ୨ଲକ୍ଷ ୫୭ ହଜାର ୧୭୫ ଖଣ୍ଡ ଭୋଟ ପାଇଥିଲେ। ବିଜୟ ବ୍ୟବଧାନ ରହିଥିଲା ୧ଲକ୍ଷ ୨ହଜାର ୧୩୯। ଏହି ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଚଳିତ ନିର୍ବାଚନରେ ବିଜେଡିର ପଲା ଭାରି ରହିଛି।

ସମ୍ବନ୍ଧିତ ଖବର